ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ନେଲେ ମହେନ୍ଦ୍ର ସିଂହ ଧୋନୀ

ନୂଆଦିଲ୍ଲୀ: ଭାରତ ତଥା ଟିମ୍ ଇଣ୍ଡିଆର ସବୁଠୁ ସଫଳ ଅଧିନାୟକ କୁହାଯାଉଥିବା ମହେନ୍ଦ୍ରସିଂହ ଧୋନୀ ଆନ୍ତର୍ଜାତିକ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଧୋନୀ ୨୦୧୯ ବିଶ୍ପକପରେ ଭାରତ ପକ୍ଷରୁ ଶେଷ ଆନ୍ତର୍ଜାତିକ ମ୍ୟାଚ ଖେଳିଥିଲେ । ଏହି ମ୍ୟାଚରେ ଭାରତ ପରାଜିତ ହୋଇଥିଲା । ଏହାପରେ ଗତ କିଛି ମାସ ଧରି ତାଙ୍କର କ୍ରିକେଟ୍ କ୍ୟାରିଅରକୁ ନେଇ ବେଶ୍ ଚର୍ଚା ଚାଲିଥିଲା । ମାତ୍ର ଅଚାନକ ଆଜି ସେ ଅବସର ନେଇଥିବା ଖବର ମିଳିଛି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏ ସଂପର୍କରେ ସୂଚନା ଦେଇଛନ୍ତି ।


ମହେନ୍ଦ୍ରସିଂହ ଧୋନୀ ଓରଫ୍ ମାହି ଓରଫ୍ ଏମଏସଡ଼ି ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକ । ଯାହାଙ୍କ ନେତୃତ୍ଵରେ ଭାରତୀୟ କ୍ରିକେଟ ଏକ ସମୟରେ ସଫଳତାର ଶିଖରରେ ପହଞ୍ଚିଥିଲା । ତାଙ୍କୁ ଭାରତୀୟ ଦଳର ଅଧିନାୟକ ଭାବରେ ମନୋନୀତ କରାଯିବା ବେଳେ  ଏ କଥା କେହି କେବେ ଭାବି ନ ଥିଲେ ଯେ ମହେନ୍ଦ୍ର ସିଂହ ଧୋନୀ ଭାରତୀୟ କ୍ରିକେଟକୁ ଏକ ନୂଆ କକ୍ଷପଥରେ ପହଞ୍ଚାଇବେ । ରାହୁଳ ଦ୍ରାବିଡ଼ ଭାରତୀୟ କ୍ରିକେଟ ଦଳର ଅଧିନାୟକ ପଦ ଛାଡ଼ିବା ପରେ ଧୋନୀଙ୍କୁ ମିଳିଥିଲା ଏହି ଦାୟିତ୍ଵ । ୨୦୦୭ରେ ସେ ପ୍ରଥମଥର ଆୟୋଜିତ ଟି-୨୦ ବିଶ୍ଵକପରେ ଭାରତୀୟ ଯୁବ ଖେଳାଳିଙ୍କୁ ନେଇ ଦକ୍ଷିଣ ଆଫ୍ରିକାରେ ଭାରତୀୟ ବିଜୟ ପତାକା ଉଡ଼ାଇବାରେ ସକ୍ଷମ ହୋଇଥିଲେ ।

୨୦୧୪ରେ ସେ ଭାରତୀୟ ଟେଷ୍ଟ କ୍ରିକେଟ ଦଳରୁ ଅବସର ନେଇଥିଲେ । ମାତ୍ର ଟି-୨୦ ଓ ଦିନିକିଆ ଦଳର ନିୟମିତ ସଦସ୍ୟ ଥିଲେ । ୨୦୧୯ ବିଶ୍ଵକପରେ ଭାରତୀୟ ଦଳର ପରାଜୟ ପରେ ସେ କିଛି ସମୟ ପାଇଁ ବିଶ୍ରାମ ନେଇଥିଲେ । ୱେଷ୍ଟ ଇଣ୍ଡିଜ୍ ଗସ୍ତରେ ଭାରତୀୟ ଦଳରେ ସାମିଲ ନ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ । ଭାରତୀୟ ସେନାରେ କିଛି ସମୟ କାମ କରିବାକୁ ସେ ଚାଲି ଯାଇଥିଲେ । ସେହିପରି ଦକ୍ଷିଣ ଆଫ୍ରିକା ବିରୋଧରେ ଟି-୨୦ ସିରିଜ ବି ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ ।

ଶୂନରୁ ଆରମ୍ଭ କରିଥିଲେ ଆନ୍ତର୍ଜାତିକ କ୍ରିକେଟ ଜୀବନ

ଭାରତୀୟ କ୍ରିକେଟ ଦଳର ସଫଳ ଅଧିନାୟକ ତଥା ବିଶ୍ଵ କ୍ରିକେଟର ସବୁଠାରୁ ଅନ୍ୟତମ ଶ୍ରେଷ୍ଠ ଫିନିସର ମହେନ୍ଦ୍ର ସିଂହ ଧୋନୀ ତାଙ୍କର ଆନ୍ତର୍ଜାତିକ ମ୍ୟାଚ ‘୦’ (ଶୂନ)ରୁ ଆରମ୍ଭ କରିଥିଲେ । ବାଂଲାଦେଶ ବିପକ୍ଷରେ ଧୋନୀ ତାଙ୍କର ପ୍ରଥମ ମ୍ୟାଚ ଖେଳିଥିଲେ ଓ ୭ ନମ୍ବର ବ୍ୟାଟ୍ସମ୍ୟାନ ଭାବରେ ଖେଳିବାକୁ ଆସି ପ୍ରଥମ ବଲରେ ରନଆଉଟ ହୋଇ ଯାଇଥିଲେ । ମାତ୍ର ପ୍ରଥମ ମ୍ୟାଚରେ ଶୂନରେ ଆଉଟ ହୋଇଥିବା ଏହି ୱିକେଟକିପର ବ୍ୟାଟ୍ସମ୍ୟାନ ୩୫୦ ଆନ୍ତର୍ଜାତିକ ଦିନିକିଆ ଖେଳି ହାରାହାରି ୫୧ ହାରରେ ୧୦୭୭୩ ରନ ସଂଗ୍ରହ କରିଛନ୍ତି । ଏହାମଧ୍ୟରେ ୭୩ ଅର୍ଧଶତକ ଓ ୧୦ଟି ଶତକ ମଧ୍ୟ ଅନ୍ତର୍ଭୁକ୍ତ।

ଶ୍ରୀଲଙ୍କା ବିରୋଧରେ ଅପରାଜିତ ୧୮୩

୨୦୦୫ ମସିହାରେ ଶ୍ରୀଲଙ୍କା ବିରୋଧରେ ଜୟପୁରରେ ଖେଳାଯାଇଥିବା ମ୍ୟାଚ ଧୋନୀ ଓ ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ନିଶ୍ଚିତ ସ୍ମରଣୀୟ ହୋଇ ରହିବ । ଏହି ମ୍ୟାଚରେ ପୂରା ୫୦ ଓଭର ୱିକେଟ କିପିଂ କରିବା ପରେ ସେ    ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ଓ ମ୍ୟାଚର ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି ୧୮୩ ରନ୍ ସଂଗ୍ରହ କରିଥିଲେ । ଏହି ମ୍ୟାଚରେ ଭାରତ ୨୯୯ ରନ୍ ସଂଗ୍ରହ କରିଥିଲା ।

Comments are closed.