ପ୍ରେମିକାକୁ ଜିଅନ୍ତା ଜାଳିଦେବା ମାମଲା: ଅଭିଯୁକ୍ତର ବୟାନ – କିଛି ଜାଣିନି, ମୁଁ ନିର୍ଦୋଷ

ବ୍ରହ୍ମପୁର: ଏକତରଫା ପ୍ରେମ, ଅପହରଣ ପରେ ମୋ ଝିଅକୁ ଜାଳି ଦିଆଯାଇଛି। ଏଭଳି ଅଭିଯୋଗ ଆଣିଛନ୍ତି ପୋଡିହୋଇ ପ୍ରାଣ ହରାଇଥିବା ଶୁଭସ୍ମିତା ଦେବୀଙ୍କ ବାପା ପ୍ରଶାନ୍ତକୁମାର ଖାଡଙ୍ଗା। ଝିଅକୁ ପୋଡି ହତ୍ୟା କରାଯିବା ଖବର ପାଇବା ପରେ ପ୍ରଶାନ୍ତ ଆଜି ପୁରୁଷୋତ୍ତମପୁର ଥାନାରେ କୃଷ୍ଣଚନ୍ଦ୍ର ସାହୁଙ୍କ ନାମରେ ଏତଲା ଦାୟର କରିଛନ୍ତି। ଏତଲା ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତକୁ ତ୍ବରାନ୍ବିତ କରିଛି। ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଘଟଣାର ତଦନ୍ତ ଜାରି ରଖିଛନ୍ତି। ଅଭିଯୁକ୍ତ କୃଷ୍ଣର ଆଜି ଡାକ୍ତରୀ ମାଇନା କରାଯାଇଛି। ଅନ୍ୟପକ୍ଷରେ ମୃତ ଶୁଭସ୍ମିତା ଜଣେ ମାନସିକ ବିକାରଗ୍ରସ୍ତ ଥିଲା। ଘଟଣା ସମୟରେ ସେ ସେଠାରେ ଉପସ୍ଥିତ ନଥିଲେ । ତାଙ୍କ ବିରୋଧରେ ଅଯଥା ଆରୋପ କରାଯାଉଛି । ସେ ସମ୍ପୂର୍ଣ୍ଣ ନିର୍ଦୋଷ ବୋଲି ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁ ଗଣମାଧ୍ୟମକୁ କହିଛନ୍ତି।

ସୂଚନା ମୁତାବକ ବୁଗୁଡା ଥାନା ଅନ୍ତର୍ଗତ କଳମ୍ବ ଗ୍ରାମର ପ୍ରଶାନ୍ତଙ୍କ କନ୍ୟା ଶୁଭସ୍ମିତା ମୁଜାଗଡ ଡାକ୍ତରଖାନାରେ ଜଣେ ପରୀକ୍ଷାଗାର ବୈଷୟିକ କର୍ମଚାରୀ ଭାବେ କାମ କରନ୍ତି। ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପପୁର ଗ୍ରାମର ଶିକ୍ଷିତ ଯୁବକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ତାଙ୍କର କୁଆଡେ ୨୦୧୫ ମସିହାରୁ ପ୍ରେମ ସମ୍ପର୍କ ରହିଥିଲା। ବିବାହ କରିବାକୁ ଦୁହେଁ ପ୍ରତିଶ୍ରୁତିବଦ୍ଧ ଥିଲେ। ହେଲେ କୃଷ୍ଣ କୁଆଡେ ମାମୁଙ୍କ ଝିଅକୁ ବିବାହ କରିବାକୁ ଯୋଜନା କରୁଥିବା ଖବର ପାଇ ଶୁଭସ୍ମିତା ଗତକାଲି ପ୍ରତାପପୁରକୁ ଆସି ଫୋନରେ ଏକ ପରିତ୍ୟକ୍ତ ମିଲକୁ କୃଷ୍ଣକୁ ଡକାଇଥିଲେ। ସେଠାରେ ବିବାହକୁ ନେଇ ଦୁଇଜଣଙ୍କ ମଧ୍ୟରେ ଛକାପଞ୍ଝା ହୋଇଥିଲା। ପ୍ରଥମେ ହଁ ଏବଂ ପରେ ନାକୁ ନେଇ ଘଟଣାସ୍ଥଳରେ ଉଭୟଙ୍କ ମଧ୍ୟରେ କୁଆଡ଼େ ପାଟିତୁଣ୍ଡ ହୋଇଥିଲା। ଏଥିରେ କୃଷ୍ଣ ଉତ୍‌କ୍ଷିପ୍ତ ହୋଇପଡିଥିଲା। ହାତରେ ଧରିଥିବା ସ୍ପିରିଟ ଢାଳିଦେଇ ନିଆଁ ଲଗାଇ ଦେଇ ଚମ୍ପଟ ମାରିଥିଲା ବୋଲି ଗୁରୁତର ଅବସ୍ଥାରେ ତହସିଲଦାର ନିତୀଶ ତ୍ରିପାଠୀଙ୍କ ଉପସ୍ଥିତିରେ ନିଆଯାଇଥିବା ଜମାନବନ୍ଦୀରେ ଶୁଭସ୍ମିତା କହିଥିବା ପୁଲିସ ସୂଚନା ଦେଇଛି।

ଘଟଣା ଘଟାଇ ଏକ ଆପାଚି ଗାଡ଼ିରେ କୃଷ୍ଣ ବାହାରକୁ ଚାଲିଯିବାକୁ ଉଦ୍ୟମ କରିବା ବେଳେ ପୁରୁଷୋତ୍ତମପୁର ଥାନାର କନଷ୍ଟେବଳ ମନୋରଞ୍ଜନ ଦାସ, ହେମନ୍ତକୁମାର ସାହୁ ଓ ସୁଧାଂଶୁ ବେହେରା ଗୋଡ଼ାଇ ଗୋଡ଼ାଇ କେଶପୁର ଛକରେ କୃଷ୍ଣକୁ କାବୁ କରିଥିଲେ ବୋଲି ପୁଲିସ କହିଛି। ଥାନା ଅଧିକାରୀ ନିଜ ଗାଡ଼ିରେ ଯୁବତୀଙ୍କୁ ପୁରୁଷୋତ୍ତମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନା ନିଅଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ସାଢେ ୧୦ଟା ସମୟରେ ଯୁବତୀଙ୍କ ପ୍ରାଣବାୟୁ ଉଡି ଯାଇଥିଲା।
ଛତ୍ରପୁରରୁ ବୈଷୟିକ ଦଳ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଖାଲି ସ୍ପିରିଟ ବୋତଲ, ଚପଲ, ଦିଆସିଲି, ପାଉଁଶ ଓ ପୋଡା କପଡା ଜବତ କରିଛନ୍ତି। କେଶ ନମ୍ବର ୩୩୪/୨୦୨୧ରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଆଜି କୃଷ୍ଣର ଡାକ୍ତରୀ ମାଇନା କରାଯାଇଛି। ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ ନିଜେ ଏହାର ଟିକିନିଖି ତଦନ୍ତ କରୁଛନ୍ତି।

ଅଭିଯୁକ୍ତ କୃଷ୍ଣ କିନ୍ତୁ ଭିନ୍ନ କଥା କହିଛି। ସେ ଗତକାଲି ଘଟଣାସ୍ଥଳକୁ ଆଦୌ ଯାଇନଥିଲେ । ସେ ଘଟଣା ସମ୍ପର୍କ​‌େ​‌ର କିଛି ଜାଣି ନାହାନ୍ତି। ମୁଁ ନିର୍ଦୋଷ ବୋଲି କହିଛନ୍ତି।

Comments are closed.