ବିଧାୟକ ବନ୍ଧକ ନାହାନ୍ତି : କମଳ ନାଥ, ଆଜି ପୁଣି ଶୁଣାଣି

ସୁପ୍ରିମକୋର୍ଟରେ ମଧ୍ୟପ୍ରଦେଶ ମାମଲା

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର କମଳ ନାଥ ସରକାରଙ୍କ ଭାଗ୍ୟ ସୁପ୍ରିମକୋର୍ଟରେ ଲଟକିଛି। ବିଧାନସଭାରେ ତୁରନ୍ତ ଶକ୍ତି ପରୀକ୍ଷା ପାଇଁ ବିଜେପିର ଆବେଦନ ଓ ବେଙ୍ଗାଲୁରୁରେ ବନ୍ଧକ ଥିବା ବିଧାୟକଙ୍କୁ ମୁକୁଳାଇବା ନେଇ କଂଗ୍ରେସର ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। ଅଦାଲତରେ ବୁଧବାର ଉଭୟ ପକ୍ଷଙ୍କ ନାଟକ ଦେଖି ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ବିସ୍ମୟ ପ୍ରକାଶ କରିବା ସହ ଗୁରୁବାର ଅପରାହ୍ଣ ୨ଟାକୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି। ଅଭିଯୋଗ ଅନୁସାରେ ବିଧାୟକମାନଙ୍କୁ ବନ୍ଧକ ରଖାଯାଇଛି କି ନାହିଁ ତାହା ଅଦାଲତ ଯାଞ୍ଚ କରୁଥିବା ବିଚାରପତି କହିଛନ୍ତି। ତେବେ ଘୋଡ଼ାବେପାର ନେଇ ସେ ଚିନ୍ତିତ ଥିବା ବିଚାରପତି କହିଲାବେଳେ କଂଗ୍ରେସର ଓକିଲ ଅଭିଷେକ ମନୁ ସିଂହଭି ଉତ୍ତର ଦେଇଥିଲେ ଯେ ଘୋଡ଼ାମାନେ ଏବେ ବେପାରୀଙ୍କ କବ୍‌ଜାରେ ଅଛନ୍ତି। କଂଗ୍ରେସ ପକ୍ଷରୁ ମାମଲାର ବିଚାର ସାମ୍ବିଧାନିକ ପୀଠରେ କରାଯିବା ପାଇଁ ଆବେଦନ କରାଯାଇଥିଲେ ମଧ୍ୟ ବିଚାରପତି ଏହାକୁ ଅଗ୍ରାହ୍ୟ କରିଥିଲେ। କଂଗ୍ରେସର ଅନ୍ୟତମ ଓକିଲ ଦୁଷ୍ମନ୍ତ ଡାଭେ ପ୍ରଧାନମନ୍ତ୍ରୀଙ୍କ କଂଗ୍ରେସ ମୁକ୍ତ ଭାରତ ଆହ୍ବାନରେ ବିଜେପି ରାଜ୍ୟ ସରକାରକୁ ଭାଙ୍ଗିବା ଉଦ୍ୟମ କରୁଥିବା ଅଭିଯୋଗ କରିବାରେ ରୋହତଗିଙ୍କ ସହ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ବିଚାରପତିଙ୍କ ହସ୍ତକ୍ଷେପ ପରେ ଏହା ଥମିଥିଲା।
ବିଜେପି ନେତା ଶିବରାଜ ସିଂହଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ମୁକୁଲ ରୋହତଗି ଅଦାଲତରେ ବିଦ୍ରୋହୀ ବିଧାୟକଙ୍କ ଚିଠି ଓ ଭିଡିଓ ବାର୍ତ୍ତା ଉପସ୍ଥାପନ କରି ସେମାନେ ଅପହୃତ ହୋଇ ନାହାନ୍ତି, ସ୍ବଇଚ୍ଛାରେ ଯାଇଛନ୍ତି ବୋଲି ଜଣାଇବା ସହ ସେମାନଙ୍କୁ ଅଦାଲତରେ ହାଜର କରିବାକୁ ପ୍ରସ୍ତାବ ଦେଇଥିଲେ। ବିଧାୟକମାନଙ୍କ ଇସ୍ତଫା ଉପରେ ବାଚସ୍ପତି ଶୀଘ୍ର ନିଷ୍ପତ୍ତି ନେବାକୁ ସେ ଦାବି କରିଥିଲେ। ବୁଧବାର ସକାଳ ସାଢ଼େ ୧୦ଟାରେ ଶୁଣାଣି ଆରମ୍ଭ ହୋଇଥିଲାବେଳେ ଏହା ଅପରାହ୍ଣ ୪ଟା ୨୩ ପର୍ଯ୍ୟନ୍ତ ଜାରି ରହିଥିଲା। ବିଧାୟକମାନଙ୍କ ଇସ୍ତଫାପତ୍ର ବାଚସ୍ପତି ଗ୍ରହଣ କରିବା ସମ୍ପର୍କରେ ବିଚାରପତିଙ୍କ ପ୍ରଶ୍ନରେ ସିଂହଭି କହିଥିଲେ ଯେ ନିଜର ହୃଦ୍‌ବୋଧ ନ ହେବା ପର୍ଯ୍ୟନ୍ତ ବାଚସ୍ପତି କିପରି ନିଷ୍ପତ୍ତି ନେବେ ? ଇସ୍ତଫାପତ୍ରଗୁଡ଼ିକ ମଧ୍ୟରୁ ଅଧିକାଂଶ ଜ​ଣେ ‌ବ୍ୟକ୍ତିଙ୍କ ହାତରେ ଲେଖାଯାଇଥିବା ଓ ମାତ୍ର ୬ଟି ଇସ୍ତଫାପତ୍ରରେ ସମ୍ପୃକ୍ତ ବିଧାୟକଙ୍କ ନିଜ ଅକ୍ଷର ଥିବା ଲକ୍ଷ୍ୟ କରାଯାଇଥିବା ସେ ଦର୍ଶାଇଥିଲେ। ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ଅଦାଲତ ହସ୍ତକ୍ଷେପ କରିବେ ନାହିଁ ବୋଲି ବିଚାରପତି କହିଥିଲେ।
ଇସ୍ତଫା ଗୃହୀତ ହୋଇ ନ ଥିବା ୧୬ ବିଧାୟକଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରି ଆଇନଜୀବୀ ମନିନ୍ଦର ସିଂହ କହିଥିଲେ ଯେ ଗଣତନ୍ତ୍ରକୁ ସୁଦୃଢ଼ କରିବା ଆମର ଉଦ୍ଦେଶ୍ୟ। ସାମ୍ବିଧାନିକ ଅଧିକାରର ସୁରକ୍ଷା ଓ ନିଜ ଆଦର୍ଶକୁ ଆଧାର କରି ବିଧାୟକମାନେ ଇସ୍ତଫା ଦେଇଛନ୍ତି; କିନ୍ତୁ ବାଚସ୍ପତି ଏହାକୁ ଗ୍ରହଣ କରୁ ନାହାନ୍ତି। ରାଜ୍ୟପାଳଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହତା କହିଥିଲେ ଯେ ରାଜ୍ୟପାଳ ଯାହା ଅନୁଭବ କରିବେ ତାହା ହିଁ ଚୂଡ଼ାନ୍ତ। ରାଜ୍ୟପାଳ ବିଧାନସଭାର ସ୍ଥିତି ପ୍ରତି ସଚେତନ ଅଛନ୍ତି ବୋଲି ସେ ଯୁକ୍ତି ବାଢ଼ିଥିଲେ। ମୁଖ୍ୟମନ୍ତ୍ରୀ କମଳ ନାଥଙ୍କ ପକ୍ଷରୁ ଆଇନଜୀବୀ କପିଳ ସିବଲ ମାମଲା ପରିଚାଳନା କରିଥିଲେ। ବିଦ୍ରୋହୀ ବିଧାୟକ ମନୋଜ ଚୌଧୁରୀଙ୍କ ଭାଇ ଏକ ହେବିଅସ୍‌ କର୍ପସ୍‌ ଦାୟର କରିବାକୁ ଚାହୁଁଥିଲେ ମଧ୍ୟ ଏହା ଅଗ୍ରାହ୍ୟ ହୋଇଥିଲା।
ବିଧାୟକମାନଙ୍କୁ ଭେଟିବା ପାଇଁ ବେଙ୍ଗାଲୁରୁରେ ପହଞ୍ଚିଥିବା କଂଗ୍ରେସ ନେତା ଦିଗବିଜୟ ସିଂହ ସେଠାରେ ଅନଶନରେ ବସିଛନ୍ତି। ବିଧାୟକଙ୍କୁ ଭେଟିବା ପାଇଁ କର୍ଣ୍ଣାଟକ ପୁଲିସ ଅନୁମତି ଦେଉ ନ ଥିବାରୁ ଏହା ବିରୋଧରେ ଦିଗବିଜୟ ସେଠାକା ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଏହା ଖାରଜ ହୋଇଯାଇଛି। ଦିଗବିଜୟ ବିଧାୟକଙ୍କୁ ଭେଟିବା ଦାବିରେ ଅନଶନରେ ବସିବା ପରେ ପୁଲିସ ତାଙ୍କୁ ଓ ଅନ୍ୟ ଦୁଇ କଂଗ୍ରେସ ନେତାଙ୍କୁ ଅଟକ ରଖିଛି। ଏହି ଘଟଣାକୁ ନେଇ ଭୋପାଳରେ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି।

Comments are closed.