ମଧ୍ୟପ୍ରଦେଶ ପ୍ରଥମଥର ରଣଜୀ ଟ୍ରଫି ଚମ୍ପିଆନ୍

ମୁମ୍ବଇ ୬ ୱିକେଟରେ ପରାସ୍ତ

ବେଙ୍ଗାଲୁରୁ : ମଧ୍ୟପ୍ରଦେଶ କ୍ରିକେଟ ଦଳ ପ୍ରଥମଥର ଦେଶର ସର୍ବୋଚ୍ଚ ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଚମ୍ପିଆନ୍ ହୋଇଛି। ରବିବାର ଏଠାରେ ସମାପ୍ତ ହୋଇଥିବା ୨୦୨୧-୨୨ ରଣଜୀ ଟ୍ରଫି ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ମୁମ୍ବଇକୁ ୬ ୱିକେଟରେ ମଧ୍ୟପ୍ରଦେଶ ପରାସ୍ତ କରିଛି। ୬୯ ବର୍ଷ ତଳେ ହୋଲ୍‌କାର ନାମରେ ତତ୍କାଳୀନ ମଧ୍ୟପ୍ରଦେଶ ରଣଜୀ ଚମ୍ପିଆନ୍ ହୋଇଥିଲା। ପୁଣି ୨୩ ବର୍ଷ ତଳେ ମଧ୍ୟପ୍ରଦେଶ ଏହି ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ପ୍ରଥମଥର ରଣଜୀ ଫାଇନାଲ ଖେଳିଥିଲେ ହେଁ କର୍ଣ୍ଣାଟକଠାରୁ ପରାସ୍ତ ହୋଇଥିଲା। ଏହି ଷ୍ଟାଡିୟମ୍‌ରେ ୨ୟ ପ୍ରୟାସରେ ପ୍ରଥମଥର ମଧ୍ୟପ୍ରଦେଶ ରଣଜୀ ଟାଇଟଲ ହାତେଇ ପାରିଛି। ପୁଣି ସର୍ବାଧିକ ୪୧ ଥର ରଣଜୀ ଚମ୍ପିଆନ୍ ମୁମ୍ବଇକୁ ଫାଇନାଲରେ ପରାସ୍ତକରି ଚମ୍ପିଆନ୍ ହେବା ମଧ୍ୟପ୍ରଦେଶ ପାଇଁ ଅଧିକ ସୁଖଦ ଅନୁଭୂତି।
ମୁମ୍ବଇର ପ୍ରଥମ ଇନିଂସ ସ୍କୋର୍ ୩୭୪ ରନ୍ ଜବାବରେ ମଧ୍ୟପ୍ରଦେଶ ୫୩୬ ରନ୍‌କରି ପ୍ରଥମ ଇନିଂସରେ ୧୬୨ ରନ୍‌ ଆଗରେ ରହିଥିଲା। ମଧ୍ୟପ୍ରଦେଶର ବୋଲର ଚମତ୍କାର ପ୍ରଦର୍ଶନ କରିବାରୁ ରବିବାର ୫ମ ତଥା ଅନ୍ତିମ ଦିନରେ ମୁମ୍ବଇ ୨ୟ ଇନିଂସରେ ୨୬୯ ରନ୍‌କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ଫଳରେ ୨ୟ ଇନିଂସରେ ମଧ୍ୟପ୍ରଦେଶକୁ ୧୦୮ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲା। ୪ ୱିକେଟ ହରାଇ ମଧ୍ୟପ୍ରଦେଶ ଏହା ହାସଲ କରି ନେଇଥିଲା। ୪ର୍ଥ ଦିନରେ ମୁମ୍ବଇ ୨ୟ ଇନିଂସରେ ୨ ୱିକେଟରେ ୧୧୩ ରନ୍‌ କରିଥିଲା। ୫ମ ଦିନରେ ଏହା ଆଉ ୧୫୬ ରନ୍‌ ଯୋଗକରି ବାକି ୮ଟି ୱିକେଟ ହରାଇଥିଲା ଅର୍ମାନ୍ ଜାଫର ଓ ସୁଭେଦ ପାର୍କର ୫୬ ରନ୍‌ ଯୋଡ଼ିବା ପରେ ଜାଫର ୩ଟି ଚୌକା ସହ ୩୭ ରନ୍‌କରି ଆଉଟ୍‌ ହୋଇଥିଲେ। ପାର୍କର ଓ ସର୍ଫରାଜ ଖାଁ ୫୩ ରନ୍‌ ଯୋଡ଼ିଥିଲେ। ଇନିଂସରେ ଏକମାତ୍ର ଅର୍ଦ୍ଧଶତକ ଅର୍ଜନ କରିଥିବା ପାର୍କର ଗୋଟିଏ ଛକା ଓ ୩ଟି ଚୌକା ସହ ୫୧ ରନ୍‌ କରିଥିଲେ। ପ୍ରଥମ ଇନିଂସରେ ଶତକ ମାରିଥିବା ସର୍ଫରାଜ ଖାଁ ଗୋଟିଏ ଛକା ଓ ୨ଟି ଚୌକା ସହ ୪୫ ରନ୍‌ କରିଥିଲେ। ସାମ୍‌ସ ମୁଲାନି ୧୭ ଓ ମୋହିତ ଅବସ୍ଥି ୧୫ ରନ୍‌ କରିଥିଲେ। ମଧ୍ୟପ୍ରଦେଶର କୁମାର କାର୍ତ୍ତିକେୟ ୪ଟି ଏବଂ ଗୌରବ ଯାଦବ ଓ ପାର୍ଥ ସାହାଣୀ ୨ଟି ​‌େ​‌ଲଖାଏଁ ୱିକେଟ ନେଇଥିଲେ। ୧୦୮ ରନ୍‌ର ବିଜୟଲକ୍ଷ୍ୟକୁ ମଧ୍ୟପ୍ରଦେଶ ସହଜରେ ପିଛା କରିଥିଲା। ଯଶ ଦୁବେ ୧ ରନ୍‌କରିଆଉଟ୍‌ ହେବା ପରେ ହିମାଂଶୁ ମନ୍ତ୍ରୀ ଓ ଶୁଭମ୍ ଶର୍ମା ୫୨ ରନ୍‌ ଯୋଡ଼ିଥିଲେ। ମନ୍ତ୍ରୀ ୩ଟି ଚୌକା ସହ ୩୭ ଓ ଶୁଭମ୍‌ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୩୦ ରନ୍‌ କରିଥିଲେ। ରଜତ ପଟିଦାର ୪ଟି ଚୌକା ସହ ୩୦ ଓ ଅଧିନାୟକ ଆଦିତ୍ୟ ଶ୍ରୀବାସ୍ତବ ୧ ରନ୍‌କରି ଅପରାଜିତ ଥିଲେ। ସାମ୍‌ସ ମୁଲାନି ୩ଟି ୱିକେଟ ନେଇଥିଲେ। ଶୁଭମ୍ ଶର୍ମା ପ୍ଲେୟର ଅଫ୍ ଦି ମ୍ୟାଚ୍‌ ଏବଂ ୬ଟି ମ୍ୟାଚ୍‌ରୁ ୪ଟି ଶତକ ଓ ୨ଟି ଅର୍ଦ୍ଧଶତକ ସହ ୯୮୨ ରନ୍‌ କରିଥିବା ମୁମ୍ବଇର ସର୍ଫରାଜ ଖାଁ ପ୍ଲେୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ। ମୁମ୍ବଇର ସାମ୍‌ସ ମୁଲାନି ମଧ୍ୟ ଚଳିତ ସଂସ୍କରଣରେ ମଧ୍ୟ ୬ଟି ମ୍ୟାଚ୍‌ରୁ ସର୍ବାଧିକ ୪୫ଟି ୱିକେଟ ନେଇଛନ୍ତି।

Comments are closed.