ସିଫା ଓ କିସ୍ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ପିପିଲି : କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଓ କିସ୍ ଡିମ୍ଡ ୟୁନିଭରସିଟି ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଏହା ଦ୍ୱାରା ସମାଜର ଅଭାବୀ ଲୋକଙ୍କ ପାଇଁ ସାମାଜିକ ବିଜ୍ଞାନ କ୍ଷେତ୍ରରେ ଗବେଷଣା, ବୈଜ୍ଞାନିକ ଜ୍ଞାନର ବିତରଣ ଓ ବୈଷୟିକ ଜ୍ଞାନର ଆଦାନ ପ୍ରଦାନ ଆଦି ଗବେଷଣାଗାରରୁ ଚାଷୀର କ୍ଷେତ୍ର ପର୍ଯ୍ୟନ୍ତ ପହଁଚିପାରିବ। ଫଳରେ ସାଧାରଣ ଚାଷୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ।
ଏହି ଅବସରରେ କିସ୍‍ ପରିସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁଙ୍କ ସମେତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଜାତୀୟ ପ୍ରଫେସର ଡଃ ପି. କେ. ସାହୁ, ସିଫାର ପ୍ରଧାନ ବୈଜ୍ଞାନିକ ଡଃ ମୃଣାଳ ସାମନ୍ତ, କିସର କୁଳପତି ପ୍ରଫେସର ଦୀପକ କୁମାର ବେହେରା, ରେଜିଷ୍ଟ୍ରାର ଡଃ ପ୍ରଶାନ୍ତ କୁମାର ରାଉତରାୟ ଓ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଏହି ଉତ୍ସବରେ ଉଦବୋଧନ ଦେଇ ପ୍ରଫେସର ବେହେରା କହିଥିଲେ ଯେ, ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହେବାଦ୍ୱାରା ଅଭାବୀ ଲୋକମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ କରିବା ପାଇଁ ପ୍ରଶିକ୍ଷଣ ଦେଇ ସଶକ୍ତୀକରଣ କରାଯାଇପାରିବ। ଉଭୟ ସଂସ୍ଥାର ଏକ ମିଳିତ ଏକ୍ସପର୍ଟ ଗ୍ରୁପ୍ ତିଆରି କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ କୃଷକମାନଙ୍କର ରୋଜଗାର ବୃଦ୍ଧି ପାଇଁ ସିଫା ଦ୍ୱାରା ପ୍ରଣୟନ ହୋଇଥିବା ବିଭିନ୍ନ ଗବେଷଣାଲବ୍ଧ ଜ୍ଞାନ କୌଶଳ ସଂପର୍କରେ ଉପସ୍ଥାପନା କରିଥିଲେ। ଦେଶରେ ତଫସିଲଭୁକ୍ତ ଜାତି ଓ ଜନଜାତିର ଲୋକମାନଙ୍କର ଜୀବିକାର ଅଭିବୃଦ୍ଧି କରିବା ପାଇଁ ସିଫାର ଭୂମିକା ସଂପର୍କରେ ବର୍ଣ୍ଣନା କରିଥିଲେ । ଜାତୀୟ ପ୍ରଫେସର ଡଃ ପି. କେ. ସାହୁ ଜଳଜୀବ ପାଳନ କ୍ଷେତ୍ରରେ କିସର ଛାତ୍ରଛାତ୍ରୀମାନେ ବୈଷୟିକ ଜ୍ଞାନ ଆହରଣ କରି ଜୀବିକା ନିର୍ବାହକୁ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସିଫାର ପ୍ରଧାନ ବୈଜ୍ଞାନିକ ଡଃ ମୃଣାଳ ସାମନ୍ତ ବିଭିନ୍ନ ବିଶ୍ୱବିଦ୍ୟାଳୟ ସହିତ ସିଫା ସ୍ୱାକ୍ଷର କରିଥିବା ବୁଝାମଣା ପତ୍ର ସଂପର୍କରେ ସୂଚନା ଦେଇଥିଲେ।

Comments are closed.