ଚୋରଙ୍କ ଟାର୍ଗେଟରେ ଉଠା ଜଳସେଚନ ପ୍ରକଳ୍ପର ମୋଟର, ସପ୍ତାହକରେ ୫ ଗାଏବ

ଚିକିଟି: ଜଳସେଚନର ସୁବନ୍ଦୋବସ୍ତ କରି ଚାଷୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଜଳସମ୍ପଦ ବିଭାଗ ତରଫରୁ ବାହୁଦା ନଦୀ କୂଳରେ ଭ୍ରମରପୁରଠାରୁ ଆରମ୍ଭ କରି ବି ନୂଆଗାଁ ପର୍ୟ୍ୟନ୍ତ ପ୍ରାୟ ୯୮ଟି ଉଠା ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିବା ବେଳେ ୧୧୧ଟି ମୋଟର ସଂଯୋଗ କରାଯାଇଛି । ଯାହାଫଳରେ ଚାଷୀ ଜଳସେଚନର ସୁବିଧା ପାଇ ଆରାମରେ ଚାଷ କରିପାରୁଛି । କିନ୍ତୁ ଏବେ ଉଠା ଜଳସେଚନ ପ୍ରକଳ୍ପ ପାଇଁ ଏକ ଖରାପ ସମୟ ଆସିଛି । ଚୋରମାନଙ୍କ ଟାର୍ଗେଟରେ ଏବେ ଉଠା ଜଳସେଚନ ପ୍ରକଳ୍ପର ମୋଟର । ଚଳିତ ୨୧ ତାରିଖରୁ ଅର୍ଥାତ ସପ୍ତାହକ ମଧ୍ୟରେ ୫ଟି ଉଚ୍ଚ ଶକ୍ତି ସମ୍ପନ୍ନ ମୋଟର ଚୋରୀ ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି ।

ମିଳିଥିବା ସୂଚନା ପ୍ରକାରେ, ଗୌଡ଼ଗାଁରୁ ୧୨.୫ ଏଚ ପି, ବଡକେଲାଝୁରୀ ୧୦, ସାନ କେଲାଝୁରୀ ୧୦ ଏଚପି, ଚାନ୍ଦପୁର ୧୦ଏଚପି, ବଳରାମ ପୁର(ପଥରଚୁଡ଼ି)୧୨.୫ ଏଚପିର ମୋଟରଗୁଡିକ ଚୋରୀ ହୋଇଥିବା ସହକାରୀ ଯନ୍ତ୍ରୀ ସୁଧାଂଶୁ କୁମାର ଦାସ କହିଛନ୍ତି । ଏନେଇ ନୁଆପଡା ଫାଣ୍ଡିରେ ଅଭିଯୋଗ ହୋଇଥିବା ବେଳେ କେବଳ ଚାନ୍ଦପୁର ଅଭିଯୋଗକୁ ପୋଲିସ ଗ୍ରହଣ କରିଛି । ତେବେ ଏକ ସ୍ୱତନ୍ତ୍ର ମୋଟର ଚୋର ଦଳ ସକ୍ରିୟ ହୋଇ ମୋଟର ଚୋରୀ କରୁଛନ୍ତି । ଯଦି ପୁଲିସ ପ୍ରଶାସନର ତୀକ୍ଷ୍ଣ ଦୃଷ୍ଟି ନରହେ ଏବେ ସେହି ଚୋରଙ୍କ ହାତକୁ ଅଧିକାଂଶ ମୋଟର ଚାଲିଯିବା ଆଶଙ୍କା ଦେଖାଦେଇଛି । ଯଦି ଗୋଟିଏ ଚୋରୀ ରାକେଟ ପଦାକୁ ଆସିବ ତେବେ ସବୁ ମୋଟର ଉଦ୍ଧାର ହେବା ନିଶ୍ଚିତ ବୋଲି ପାଣି ପଞ୍ଚାୟତ ସଦସ୍ୟମାନେ ମତ ଦେଇଛନ୍ତି । ସପ୍ତାହକରେ ୫ଟି ମୋଟର ଚୋରୀ ହେବା ପରେ ସମସ୍ତଙ୍କ ମନରେ ଛନକା ଓ ଭୟର ବାତାବରଣ ସୃଷ୍ଟି ହୋଇଛି ।

Comments are closed.