ଘରେ କିପରି ତିଆରି ହେବ କୋଭିଡ ଭ୍ୟାକ୍‌ସିନ ? ୨୦୨୦ରେ ଗୁଗଲରେ ଏହାକୁ ସବୁଠୁ ଅଧିକ ସର୍ଚ୍ଚ କରିଛନ୍ତି ଭାରତୀୟ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ୨୦୨୦ ଭୟ ଓ ଆତଙ୍କର ବର୍ଷ ଥିଲା। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଦେଶବାସୀଙ୍କୁ ଚିନ୍ତାରେ ପକାଇଥିଲା। ସମସ୍ତେ କରୋନା ଟିକାକୁ ଅପେକ୍ଷା କରି ରହିଥିଲେ। ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ ଭାରତୀୟ ଘରେ କିପରି କରୋନା ଟିକା ତିଆରି ହେବ ତାହା ଜାଣିବା ଲାଗି ଅଧିକ ଉତ୍ସୁକ ଥିଲେ। ଏପରି କି ଏହା ଜାଣିବା ଲାଗି ଗୁଗଲରେ ଏ ସମ୍ପର୍କରେ ଅଧିକ ସର୍ଚ୍ଚ କରିଥିଲେ।

ଗତ ଜୁଲାଇରେ ଅଧିକାଂଶ ଭାରତୀୟ ‘ହାଓ ଟୁ ମେକ୍‌ କରୋନା ଭ୍ୟାକ୍‌ସିନ ଆଟ୍‌ ହୋମ’ ଗୁଗଲରେ ସର୍ଚ୍ଚ କରିଥିଲେ। ଆଶ୍ଚର୍ଯ୍ୟର କଥା ଦେଶରେ ବର୍ତ୍ତମାନ କରୋନା ଟିକାକରଣକୁ ନେଇ ବିରାଟ ଅଭିଯାନ ଚାଲିଥିବାବେଳେ ଲୋକମାନେ ଏବେ ବି ଗୁଗଲରେ ଟିକା କିପରି ଘରେ ପ୍ରସ୍ତୁତ ହୋଇପାରିବ ତାହା ସର୍ଚ୍ଚ ଜାରି ରଖିଛନ୍ତି।

ଗୁଗଲ ଟ୍ରେଣ୍ଡ ଅନୁସାରେ, ଗତ ରବିବାର ଏବଂ ସୋମବାର ସକାଳେ ‘ହାଓ ଟୁ ମେକ୍‌ କରୋନା ଭ୍ୟାକ୍‌ସିନ ଆଟ୍‌ ହୋମ’ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ବାକ୍ୟ ଅଟେ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୬ ତାରିଖରେ ଦେଶରେ ଟିକାକରଣ ଅଭିଯାନର ଶୁଭାରମ୍ଭ କରିଥିଲେ। ଦିଲ୍ଲୀ ଏମ୍‌ସର ଜଣେ ଆଗଧାଡ଼ିର ଯୋଦ୍ଧା ମନିଷ କୁମାର ପ୍ରଥମ ବ୍ୟକ୍ତିଭାବେ ଭାରତରେ ଟିକା ନେଇଥିଲେ।

ସୋସିଆଲ ମିଡିଆରେ ଟିକାକରଣ ଅଭିଯାନକୁ ବୃହତ୍‌ ସମର୍ଥନ କରାଯିବା ସହିତ ସ୍ବାଗତ କରାଯାଇଛି। ତଥାପି ବହୁ ସଂଖ୍ୟାରେ ଲୋକମାନେ ଏବେ ବି କରୋନା ଟିକା କେମିତି ଘରେ ତିଆରି ହୋଇପାରିବ ତାହା ଜାଣିବାକୁ ଇଣ୍ଟରନେଟ୍‌ରେ ଫର୍ମୁଲା ସର୍ଚ୍ଚ କରିବା କୌତୁହଳର ବିଷୟ ପାଲଟିଛି।

Comments are closed.