ଆନ୍ତର୍ଜାତିକ କ୍ରିକେଟ୍‌ରୁ ମୋର୍ଗାନ୍‌ଙ୍କ ଅବସର ଘୋଷଣା

ଲଣ୍ଡନ୍‌: ପୂର୍ବରୁ ମିଳିଥିବା ସୂଚନା ଅନୁସାରେ ଇଂଲଣ୍ଡ ସୀମିତ ଓଭର କ୍ରିକେଟ ଦଳର ଅଧିନାୟକ ଇଓନ ମୋର୍ଗାନ୍‌ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଧଳାବଲ୍‌ ବ୍ୟାଟ୍‌ସମ୍ୟାନ୍‌ ମୋର୍ଗାନ୍ ଇଂଲଣ୍ଡ ପାଇଁ ସର୍ବାଧିକ ଦିନିକିଆ ଓ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଥିବା ବେ​‌େ​‌ଳ ଉଭୟ ଫର୍ମାଟରେ ସର୍ବାଧିକ ରନ୍‌ ମଧ୍ୟ କରିଛନ୍ତି। ଇଂଲଣ୍ଡର ଏକମାତ୍ର ଅଧିନାୟକ ଭାବେ ମୋର୍ଗାନ୍ ଦେଶକୁ ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌ ଜିତାଇଛନ୍ତି। ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେଇଥିଲେ ହେଁ ମୋର୍ଗାନ୍‌ ଘରୋଇ କ୍ରିକେଟ୍‌ ଖେଳିବା ଜାରିରଖିବେ ବୋଲି କହିଛନ୍ତି। ପୁଣି ଭାରତ ଏବଂ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇଂଲଣ୍ଡର ଘରୋଇ ଶୃଙ୍ଖଳାରେ ମୋର୍ଗାନ୍ ଟିଭି ଭାଷ୍ୟକାର ଭୂମିକା ମଧ୍ୟ ନିର୍ବାହ କରିବେ।

ବ୍ୟାଟିଂରେ ଖରାପ ଫର୍ମ ଯୋଗୁଁ ମୋର୍ଗାନ୍‌ ନେତୃତ୍ବ ଛାଡ଼ିବା ସହ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଅନୁମାନ କରାଯାଉଛି। ୨୦୧୫ରେ ଆଲଷ୍ଟାୟର କୁକ୍‍ଙ୍କ ପରେ ମୋର୍ଗାନ୍‌ ଇଂଲଣ୍ଡ ସୀମିତ ଓଭର କ୍ରିକେଟ ଦଳର ନେତୃତ୍ୱ ନେଇଥିଲେ। ମୋର୍ଗାନ୍ ୨୪୮ଟି ଦିନିକିଆରୁ ୧୪ଟି ଶତକ ଓ ୪୭ଟି ଅର୍ଦ୍ଧଶତକ ସହ ୭୭୦୧ ଏବଂ ୧୧୫ଟି ଟ୍ବେଣ୍ଟି୨୦ରୁ ୧୪ଟି ଅର୍ଦ୍ଧଶତକ ସହ ୨୫୪୮ ରନ୍‌ କରିଥିଲେ। ମୋର୍ଗାନ ୧୬ଟି ଟେଷ୍ଟମ୍ୟାଚ୍‍ ଖେଳି ୨ଟି ଶତକ ସହ ୭୦୦ ରନ୍‌ କରିଛନ୍ତି। ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ପ୍ରଥମଥର ୨୦୧୯ରେ ଦିନିକିଆ କ୍ରିକେଟ ବିଶ୍ବକପ୍‍ ଚମ୍ପିଅାନ୍‍ ହୋଇଥିଲା। ପୁଣି ୨୦୧୦ରେ ଇଂଲଣ୍ଡ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଜିତିଥିବା ବେଳେ ମୋର୍ଗାନ୍ ଦଳର ସଦସ୍ୟ ଥିଲେ। ତାଙ୍କ ନେତୃତ୍ବରେ ଇଂଲଣ୍ଡ ଉଭୟ ଦିନିକିଆ ଓ ଟି୨୦ କ୍ରିକେଟରେ ୧ନଂ ଦଳର ମାନ୍ୟତା ପାଇଥିଲା।

Comments are closed.