ନଷ୍ଟ ହେଲାଣି ୪୪ ଲକ୍ଷରୁ ଅଧିକ ଡୋଜ୍ ଟିକା

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟ ସରକାର କରୋନା ଟିକାର ଅଭାବ ଦର୍ଶାଉଥିବା ବେଳେ ୪୪ ଲକ୍ଷରୁ ଅଧିକ ଡୋଜ୍‌ ଟିକା ଇତି ମଧ୍ୟରେ ନଷ୍ଟ ହେଲାଣି। ମିଳିଥିବା ତଥ୍ୟରୁ ପ୍ରକାଶ ଯେ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ ଏପ୍ରିଲ ୧୧ ସୁଦ୍ଧା ୧୦ କୋଟି ଟିକା ବ୍ୟବହାର ହୋଇଥିବା ବେଳେ ସେଥି ମଧ୍ୟରୁ ବିଭିନ୍ନ କାରଣରୁ ୪୪ ଲକ୍ଷରୁ ଅଧିକ ଡୋଜ୍ ଟିକା ଅପଚୟ ହୋଇଛି। ସବୁଠୁ ଅଧିକ ଟିକା ତାମିଲନାଡୁରେ ନଷ୍ଟ ହୋଇଛି। ଏହି ରାଜ୍ୟରେ ୧୨.୧୯% ଟିକା ନଷ୍ଟ ହୋଇଛି। ହରିୟାଣାରେ ୯.୭୪%, ପଞ୍ଜାବରେ ୮.୧୨%, ମଣିପୁରରେ ୭.୮% ଓ ତେଲଙ୍ଗାନାରେ ୭.୫୫% ନଷ୍ଟ ହୋଇଛି।

ଆଣ୍ଡାମାନ ଓ ନିକୋବର, ଡାମନ ଡିଉ, ଗୋଆ, ହିମାଚଳ ପ୍ରଦେଶ, କେରଳ, ଲାକ୍ଷାଦ୍ବୀପ, ମିଜୋରାମ ଓ ପଶ୍ଚିମବଙ୍ଗରେ ସବୁଠୁ କମ ଟିକା ନଷ୍ଟ ହୋଇଛି। ଟିକାର ଗୋଟିଏ ଭାୟଲରେ ୧୦ ରୁ ୧୨ ଡୋଜ୍ ରହିଥାଏ। ଭାୟଲ ଖୋଲାଯିବା ପରେ ନିର୍ଦ୍ଧାରିତ ଅଧ ଘଣ୍ଟା ମଧ୍ୟରେ ଟିକା ଉପଯୋଗ ନ ହେଲେ ଏହା ନଷ୍ଟ ହୋଇଥାଏ। ସେଥିପାଇଁ ଏତେ ପରିମାଣ ଟିକା ନଷ୍ଟ ହୋଇଥିବା ପ୍ରକାଶ।

Comments are closed.