କେରଳରେ ଦିନକରେ ୨୨ ହଜାର କରୋନା ସଂକ୍ରମିତ

ତିରୁଅନନ୍ତପୁରମ: କେରଳରେ ଗୁରୁବାର ଗୋଟିଏ ଦିନରେ ୨୨ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ରମାଗତ ତୃତୀୟ ଦିନ ପାଇଁ ରାଜ୍ୟରେ ଏତେ ପରିମାଣରେ ସଂକ୍ରମିତ ଚିହ୍ନଟ ହେବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଇତିମଧ୍ୟରେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଏକ ୬ ଜଣିଆ କେନ୍ଦ୍ରୀୟ ଦଳ କେରଳ ଅଭିମୁଖେ ଯାତ୍ରା କରିଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ରାଜ୍ୟରେ ଲଗାତର ଆର-ଫାକ୍ଟର ଅଭିବୃଦ୍ଧି କାରଣରୁ ଏହା ନୂଆ ସଂକ୍ରମଣ କ୍ଷେତ୍ରରେ ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ହଟସ୍ପଟ ହୋଇ ରହିବ।

ଆର-ଫାକ୍ଟର ଭୂତାଣୁ ସଂକ୍ରମଣ ବେଗ ସମ୍ପର୍କରେ ସୂଚନା ଦେଇଥାଏ। ଆର ଫାକ୍ଟର ଯେତେ କମ୍‍ ରହିବ ସେତେ ଶୀଘ୍ର ରୋଗ ସଂକ୍ରମଣ ହ୍ରାସପାଇବ। ଏହା ଯେତେ ଅଧିକ ରହିବ, ସଂକ୍ରମଣ ହାର ସେତେ ଅଧିକ ରହିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। କେରଳରେ ଏହା ପ୍ରାୟ ୧.୧୧ ରହିଥିବା ଜଣାଯାଇଛି। କେରଳରେ ଗୁରୁବାର ୨୨,୦୬୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ୧୨୮ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ରାଜ୍ୟରେ ୨୨,୧୨୯ ଜଣ ଏବଂ ବୁଧବାର ୨୨,୦୫୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ରାଜ୍ୟରେ ସଂପ୍ରତି ୧,୫୪,୮୨୦ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି ଏବଂ ୪,୫୪,୮୨୦ ଜଣ ସଂକ୍ରମିତଙ୍କୁ ନିରୀକ୍ଷଣ ମଧ୍ୟରେ ରଖାଯାଇଛି।

Comments are closed.