ଗୁଜରାଟରେ ୧୦୦ରୁ ଅଧିକ ବ୍ଲାକ ଫଙ୍ଗସ୍‍ ରୋଗୀ ଚିହ୍ନଟ; ରୋଗୀଙ୍କ ପାଇଁ ହେବ ପୃଥକ ୱାର୍ଡ

ଅହମଦାବାଦ: ଗୁଜରାଟରେ ୧୦୦ରୁ ଅଧିକ ଲୋକଙ୍କ ଠାରେ ବ୍ଲାକ ଫଙ୍ଗସ୍‍ ଚିହ୍ନଟ କରାଯାଇଛି। ସେମାନଙ୍କର ଚିକିତ୍ସା ପାଇଁ ଶନିବାର ଦିନ ରାଜ୍ୟ ସରକାର ୫ହଜାର ଇଞ୍ଜେକ୍ସନ ବରାଦ ଦେଇଛନ୍ତି। ଏହି ଆଣ୍ଟିଫଙ୍ଗାଲ ଇଞ୍ଜେକ୍ସନ ଆମ୍ଫୋଟେରିସିନ-ବି ୫ହଜାର ଆଣିବାକୁ ସରକାର ୩.୧୨ କୋଟି ଟଙ୍କା ଦେବେ। ଏହା ଫଙ୍ଗାଲ ସଂକ୍ରମଣ ଚିକିତ୍ସାରେ ବ୍ୟବହାର କରାଯିବ। ସୂଚନାଯୋଗ୍ୟ ଯେ କୋଭିଡ ଆକ୍ରାନ୍ତ ଜଟିଳ ରୋଗୀଙ୍କ ଠାରେ ଏହି ସମସ୍ୟା ଏବେ ଦେଖାଯିବା ଆରମ୍ଭ ହୋଇଛି। ବିଶେଷକରି ଯେଉଁମାନଙ୍କ ଶରୀରରେ ମଧୁମେହ ନିୟନ୍ତ୍ରଣ ସ୍ଥିତିରେ ନାହିଁ, ସେମାନଙ୍କ ଠାରେ ଏହି ସଂକ୍ରମଣ ଆଶଙ୍କା ବୃଦ୍ଧିପାଉଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଶନିବାର ଘୋଷଣା କରିଛନ୍ତି ଯେ ଏଭଳି ସଂକ୍ରମଣ ଅଧିକ ଦେଖାଯାଉଥିବା ଅହମଦାବାଦ, ବଡୋଦରା, ସୁରଟ, ରାଜକୋଟ, ଭାବନଗର, ଜାମନଗରସ୍ଥିତ ସମସ୍ତ ସରକାରୀ ସିଭିଲ ଡାକ୍ତରଖାନାରେ ଏହିଭଳି ରୋଗୀଙ୍କର ଚିକିତ୍ସା ପାଇଁ ପୃଥକ ୱାର୍ଡ ସ୍ଥାପନ କରାଯିବ। ଇତିମଧ୍ୟରେ ରାଜ୍ୟରେ ୧୦୦ରୁ ଅଧିକ ବ୍ଲକ ଫଙ୍ଗସ ବା ମ୍ୟୁକୋମାୟିକୋସିସ୍‍ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସଂପ୍ରତି ଅହମଦାବାଦର ଜାଇଡସ୍‍ ହାସପାତାଳରେ କେବଳ ଏହିଭଳି ୪୦ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଦେଶର ଅନ୍ୟାନ୍ୟ କେତେକ ସ୍ଥାନରେ ମଧ୍ୟ ଏହିଭଳି ରୋଗୀଙ୍କୁ ଚିହ୍ନଟ କରାଯାଇଛି।

Comments are closed.