ମୁରୀରେ ତୁଷାରପାତ; ୨୨ ପର୍ଯ୍ୟଟକଙ୍କ ମୃତ୍ୟୁ

ଇସ୍‌ଲାମାବାଦ: ପାକିସ୍ତାନ ଅନ୍ତର୍ଗତ ପ୍ରସିଦ୍ଧ ଶୈଳନିବାସ ମୁରୀରେ ପ୍ରବଳ ତୁଷାରପାତ ଯୋଗୁଁ ଶନିବାର ୨୨ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୦ ଶିଶୁ ଅଛନ୍ତି। ଗୋଟିଏ ପରିବାରର ୬ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶୁକ୍ରବାରଠାରୁ ବହୁ ସଂଖ୍ୟକ ପର୍ଯ୍ୟଟକ ଉପତ୍ୟକାରେ ଅଟକି ରହିଥିବାବେଳେ ସେମାନେ ତୁଷାରପାତରୁ ବର୍ତ୍ତିବା ପାଇଁ ନିଜ କାର୍‌ ମଧ୍ୟରେ ରହିଯାଇଥିଲେ ଏବଂ ବାଷ୍ପରୁଦ୍ଧ ହୋଇ ସେମାନଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ରାତିରେ ପ୍ରବଳ ତୁଷାରପାତ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି। ଇତିମଧ୍ୟରେ ୧୧୨୨ ପର୍ଯ୍ୟଟକଙ୍କ ସହ ସେମାନଙ୍କର ୨୩ ହଜାରରୁ ଅଧିକ ଗାଡ଼ି ଉଦ୍ଧାର କରାଗଲାଣି। ଆହୁରି ୧୦୦୦ରୁ ଅଧିକ ଗାଡ଼ି ସହ ସମପରିମାଣ ପର୍ଯ୍ୟଟକ ସେଠାରେ ଅଟକିଛନ୍ତି। ସେମାନଙ୍କୁ ଉଦ୍ଧାର ଉଦ୍ୟମ ଜାରି ରହିଛି।

ପାକିସ୍ତାନ ସରକାର ସମ୍ପୃକ୍ତ ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି। ପର୍ଯ୍ୟଟକମାନଙ୍କୁ ମୁରୀ ଗସ୍ତ ପାଇଁ ବାରଣ କରାଯାଇଛି। ସେଠାକାର ସମସ୍ତ ହୋଟେଲ ଓ ରିସର୍ଟକୁ ବନ୍ଦ କରିଦିଆଯାଇଛି। ଇସ୍‌ଲାମାବଦଠାରୁ ଉତ୍ତର-ପୂର୍ବକୁ ପ୍ରାୟ ୬୦କିଲୋମିଟର ଦୂର ରାୱଲପିଣ୍ଡି ଅନ୍ତର୍ଗତ ମୁରୀ ଶ୍ରୀନଗରର ନିକଟତମ ସ୍ଥାନ। ପ୍ରତି ଶୀତଋତୁରେ ତୁଷାରପାତ ଉପଭୋଗ ପାଇଁ ଏଠାରେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ସୋମବାର ତୁଷାରପାତ ଆରମ୍ଭ ହେବା ପରେ ଦେଢ଼ ଲକ୍ଷରୁ ଅଧିକ ଗାଡ଼ିରେ ହଜାର ଲକ୍ଷାଧିକ ପର୍ଯ୍ୟଟକ ସେଠାକୁ ଯାଇଥିଲେ।

Comments are closed.