ଆଜିଠୁ ମୌସୁମି ଅଧବେଶନ, ଚର୍ଚ୍ଚାରେ ଚାଷୀ ପ୍ରସଙ୍ଗ

ନୂଆଦିଲ୍ଲୀ: ସୋମବାର ଠାରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ ହେଉଛି। କରୋନା କଟକଣାରେ ବସୁଥିବା ଏହି ଅଧିବେଶନ ୧୯ଟି କାର୍ଯ୍ୟଦିବସ ସହ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ ସରକାର ୨୯ଟି ବିଧେୟକ ଆଗତ କରିବେ। ପୁରୁଣା ୬ଟି ବିଧେୟକ ଆଗତ ହୋଇ ସାରିଥିବାବେଳେ ଅବଶିଷ୍ଟ ନୂଆ ବିଧେୟକ ଆଗତ ହେବ। ଆଗତ ହେବାକୁ ଥିବା ବିଧେୟକଗୁଡିକ ମଧ୍ୟରେ ରହିଛି ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍‌ସି କୋଡ (ସଂଶୋଧନ) ବିଧେୟକ ୨୦୨୧। ଲିମିଟେଡ ଲାଏବିଲିଟି ପାର୍ଟନରସିପ୍ (ସଂଶୋଧନ) ବିଧେୟକ ୨୦୨୧, ଡିପୋଜିଟ୍ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ୍ ଗ୍ୟାରେଣ୍ଟ କୋଅପରେସନ (ସଂଶୋଧନ) ବିଧେୟକ ୨୦୨୧ ଓ ଇଲେକ୍ଟ୍ରସିଟି (ସଂଶୋଧନ) ବିଧେୟକ ୨୦୨୧।

ତେବେ ଡିଜିଟାଲ କରେନ୍ସି ବିଧେୟକ ୨୦୨୧କୁ ଆଗତ ଲାଗି ତାଲିକାଭୁକ୍ତ ହୋଇ ନାହିଁ। ସେହିପରି ୬ଟି ଅଧ୍ୟାଦେଶକୁ ଆଇନର ରୂପ ଦେବା ଲାଗି ସରକାର ବିଧେୟକ ଆଗତ କରିବେ।

ସଂସଦର ମୌସୁମୀ ଅଧିବେଶନ କାଳରେ ବିଜେଡି, ବିଜେପି ଓ କଂଗ୍ରେସ ତିନି ରାଜନୈତିକ ଦଳର ମୁଖ୍ୟ ପ୍ରସଙ୍ଗ ଭାବେ ରହିଛି କୃଷି ଓ କୃଷକଙ୍କ ସହ ଜଡ଼ିତ ସମସ୍ୟା। ତିନି ରାଜନୈତିକ ଦଳ ଭିନ୍ନ ଭିନ୍ନ ଢ଼ଙ୍ଗରେ ଚାଷୀଙ୍କ ସମସ୍ୟାଗୁଡ଼ିକୁ ସଂସଦର ଉଭୟ ଗୃହରେ ଉତ୍ଥାପନ କରିବେ। ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ରାଜ୍ୟର ଗୋଦାମ ଗୁଡ଼ିକରୁ ଉଷୁନା ଚାଉଳ ଉଠାଣରେ ବିଳମ୍ବ, ଧାନ ସଂଗ୍ରହ ବାବଦ ବକେୟା ରିଆତି ରାଶି ୫୧୨୦ କୋଟି ଓ ଅଗ୍ରୀମ ରିଆତି ରାଶି ୧୫୦୦ କୋଟି ତୁରନ୍ତ ପ୍ରଦାନ ଏବଂ ସ୍ୱାମୀନାଥନ ସମିତି ସୁପାରିସ୍‌ ଆଧାରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ଲାଗି ବିଜେଡି ତରଫରୁ ଦାବି ଉପସ୍ଥାପନ କରାଯିବ। ଉପକର (ସେସ) ଓ ଅତିରିକ୍ତ କର (ସରଚାର୍ଯ)ରୁ ମିଳୁଥିବା ରାଜସ୍ୱରୁ ରାଜ୍ୟ ଅଂଶ ପ୍ରଦାନ, ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା, ମହିଳା ସ୍ଥାନ ସଂରକ୍ଷଣ ବିଧେୟକ ପାରିତ କରିବା, ଓଡ଼ିଶା ବିଧାନ ପରିଷଦ ଗଠନ, କେନ୍ଦୁପତ୍ର ଉପରେ ସାମଗ୍ରୀ ଓ ସେବା ଟିକସ (ଜିଏସଟି) ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିବା ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାକିସ୍ତି (ପ୍ରିମିୟମ) ରାଶି ବାବଦରେ କେନ୍ଦ୍ର ଅଧିକ ଅର୍ଥ ବହନ କରିବା ଆଦି ଦାବି ଉପସ୍ଥାପନ କରାଯିବ ବୋଲି ରାଜ୍ୟସଭାରେ ଦଳର ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ଅନ୍ୟପକ୍ଷରେ ସଂସଦରେ ଓଡ଼ିଶା ସରକାରଙ୍କ ଚାଷୀ ମାରଣ ନୀତିକୁ ଜୋରଦାର ବିରୋଧ କରିବ
ବିଜେପି। ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଧାନକୁ ରାଜ୍ୟ ସରକାର କ୍ରୟ କରିବାରେ ବିଫଳ ହେବା, ଜିଲାସ୍ତରରେ ଧାନ କିଣା ଚିଠା (ଟୋକନ) ବ୍ୟବସ୍ଥା ଲାଗୁ, କଟନିଛଟନି ବନ୍ଦ କରିବା ପାଇଁ ବିଜେପି ଦାବି ଉପସ୍ଥାପନ କରିବ ବୋଲି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କହିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନିୀତିକୁ ଓଡ଼ିଶା ବିଜେପି ସାଂସଦ ମୌସୁମୀ ଅଧିବେଶନ କାଳରେ ପ୍ରସଙ୍ଗ କରିବ। କଟକ ଜିଲାରେ ବେଆଇନ ଭାବେ ହଜାରରୁ ଊର୍ଦ୍ଧ୍ବ ବାସଗୃହ ଆବଣ୍ଟନ ମାଧ୍ୟମରେ ଅର୍ଥ ହରିଲୁଟ୍‌ ଘଟଣା ଜଣାପଡ଼ିବା ପରିପ୍ରେକ୍ଷୀରେ ଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ଆବଣ୍ଟନ ଏବଂ ଦୋଷୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ବିଜେପି ତରଫରୁ ଉଭୟ ଗୃହରେ ଦୃଷ୍ଟି ଆକର୍ଷଣ କରାଯିବ।
କଂଗ୍ରେସ ତରଫରୁ କୃଷକଙ୍କ ସମସ୍ୟା ଓ ଦରଦାମ ବୃଦ୍ଧି ପ୍ରସଙ୍ଗକୁ ମୁଖ୍ୟ ପ୍ରସଙ୍ଗ କରାଯିବ ବୋଲି କୋରାପୁଟ ସାଂସଦ ସପ୍ତଗିରି ଉଲାକା କହିଛନ୍ତି। ମୋଦୀ ସରକାର ଅମଳରେ ରେଳ କ୍ଷେତ୍ରରେ ଓଡ଼ିଶାକୁ ଅବହେଳା ବିଶେଷ କରି ରାୟଗଡ଼ା ରେଳ ଡିଭିଜନ କାର୍ଯ୍ୟକ୍ଷମ କରିବା, ଗୁଣୁପୁର-ଥେରୁବାଲି ରେଳପଥ ନିର୍ମାଣ ଓ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳପଥ ନିର୍ମାଣ ସମେତ ରାଜ୍ୟକୁ ଅଧିକ ରେଳ ଅନୁଦାନ ଲାଗି ଦାବି କରିବେ ସାଂସଦ ଉଲାକା। କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, ଗଜପତି, କନ୍ଧମାଳ ଆଦି ଜିଲାର ଅପହଞ୍ଚ ଅଞ୍ଚଳରେ ଟେଲିଯୋଗାଯୋଗ ସଂଯୋଗ ବୃଦ୍ଧି ପାଇଁ କଂଗ୍ରେସ ଲୋକସଭାରେ ଜୋରଦାର ଦାବୀ ଉପସ୍ଥାପନ କରିବ ବୋଲି ଜଣାପଡ଼ିଛି।
ଚର୍ଚ୍ଚାରେ ଚାଷୀ…

Comments are closed.