କୋଭିଡ କଟକଣା ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ : ରହିବନି ପ୍ରଶ୍ନ କାଳ

ଟିଏମସି ଓ କଂଗ୍ରେସ ସାଂସଦଙ୍କ ବିରୋଧ

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଚଳିତ ମାସ ୧୪ ତାରିଖରୁ ଆରମ୍ଭ ହେବ। ଲୋକସଭା ସଚିବାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରାଯାଇଛି। ୧୪ ତାରିଖଦିନ ପୂର୍ବାହ୍ନ ୯ଟାରେ ଲୋକସଭାର କାର୍ଯ୍ୟଧାରା ଆରମ୍ଭ ହେବାକୁ
ଥିବା ବେଳେ ଏହା ଦିନ ଗୋଟାଏ ଯାଏ ଚାଲିବ। ସେହିପରି ରାଜ୍ୟସଭାର କାର୍ଯ୍ୟଧାରା ଅପରାହ୍ନ ୩ ଟାରୁ ରାତି ୭ଟା ପର୍ଯ୍ୟନ୍ତ ଚାଲିବ। ସେପ୍ଟେମ୍ବର ୧୪ ପରେ ରାଜ୍ୟସଭା ବୈଠକ ସକାଳ ୯ଟାରୁ ଦିନ ଗୋଟାଏ  ପର୍ଯ୍ୟନ୍ତ ଏବଂ ଲୋକସଭାର ବୈଠକ ଅପରାହ୍ନ ୩ ଟାରୁ ରାତି ୭ଟା ପର୍ଯ୍ୟନ୍ତ ବସିବ। ସଂସଦର ଉଭୟ ଗୃହର ବୈଠକ ଦିନକୁ ଚାରି ଘଣ୍ଟା ଧରି ବସିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହି ମୌସୁମି ଅଧିବେଶନ ଅକ୍ଟୋବର ପହିଲା ପର୍ଯ୍ୟନ୍ତ ଚାଲିବ।

ଅନ୍ୟପକ୍ଷରେ ରାଜ୍ୟସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନରେ କୌଣସି ପ୍ରଶ୍ନ କାଳ ରହିବ ନାହିଁ। ତେବେ ଶୂନ୍ୟ କାଳ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ଗୃହର କାର୍ଯ୍ୟସୂଚୀ ଆଧାରରେ କରାଯିବ।

 

ତେବେ ଟିଏମସି ଓ କଂଗ୍ରେସ ଦଳର ସାଂସଦ ଏହାକୁ ବିରୋଧ କରିଛନ୍ତି। ଟିଏମସି ସାଂସଦ ଡେରେକ ଓ’ବ୍ରାଇନ୍ ସରକାରଙ୍କର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ସେ ତାଙ୍କ ଟ୍ୱିଟ୍ କରି କହିଛନ୍ତି ଯେ ଅଧିବେଶନ ଆରମ୍ଭ ହେବାର ୧୫ଦିନ ପୂର୍ବରୁ ସାଂସଦମାନେ ସଂସଦକୁ ପ୍ରଶ୍ନ ଉପସ୍ଥାପନ ସଂପର୍କରେ ଜଣାଇ ଥାଆନ୍ତି, ଯଦି ଅଧିବେଶନ ୧୪ରୁ ଆରମ୍ଭ ହୁଏ ତେବେ ସତରେ କ’ଣ ପ୍ରଶ୍ନ କାଳ ବାତିଲ ହେବ?

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ୧୯୫୦ ପରଠାରୁ ପ୍ରଥମ ଥର ପାଇଁ ବିରୋଧୀ ସାଂସଦମାନେ ସରକାରଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ହରାଇବାକୁ ଯାଉଛନ୍ତି। ସେ ଲେଖିଛନ୍ତି ଯେ ଯେତେବେଳେ ସଂସଦର ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ  ଭାବେ ଚାଲିବ, ତେବେ ପ୍ରଶ୍ନ କାଳ କାହିଁକି ବାତିଲ ହେଲା? ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ମହାମାରୀକୁ ବାହାନା କରାଯାଉଛି।

ସୂଚନାଯୋଗ୍ୟ, ସଂସଦୀୟ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‍ କମିଟି ଏ ସଂପର୍କରେ  ନିଷ୍ପତ୍ତି ନେଇଛନ୍ତି। କୋଭିଡ-୧୯ ସଂକ୍ରମଣ ଦୃଷ୍ଟିରୁ ପାର୍ଲାମେଣ୍ଟ ଅଧିବେଶନ ସମୟରେ ସମସ୍ତ ସୁରକ୍ଷା ନିୟମକୁ କଡାକଡି ଭାବେ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି।  ଦୁଇ ସଦନର ସମସ୍ତ ସାଂସଦଙ୍କର ନମୂନା ପରୀକ୍ଷା, ଲୋକସଭା ଓ ରାଜ୍ୟସଭା ବୈଠକ ଭିନ୍ନ ଭିନ୍ନ  ସମୟରେ ବସିବା ଓ ଶାରିରୀକ ଦୂରତା ବଜାୟ ରଖିବା ଆଦି ଅନ୍ତର୍ଭୁକ୍ତ।

 

Comments are closed.