ଉପକୂଳରେ ମୌସୁମି ବର୍ଷା

ଭୁବନେଶ୍ୱର: ପକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଶନିବାର ସୁଦ୍ଧା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ପରି ଉପକୂଳବର୍ତ୍ତୀ ଜିଲାରେ ପହଞ୍ଚିଛି। ଏହାସହିତ ପୁରୀର ବାକି ଅଞ୍ଚଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲାର ଅଧିକାଂଶ ଅଞ୍ଚଳ ଏବଂ କଟକ, ଯାଜପୁର ଓ ମୟୂରଭଞ୍ଜ ଜିଲାର କେତେକ ଭାଗରେ ପହଞ୍ଚି ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାସହିତ ଗତକାଲି ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ଏହାର ନିକଟବର୍ତ୍ତୀ ଓଡ଼ିଶା ଉପରେ ଥିବା ଲଘୁଚାପ ଆଗାମୀ ୨-୩ ଦିନ ମଧ୍ୟରେ ପଶ୍ଚିମ-ଉତ୍ତର-ପଶ୍ଚିମମୁହାଁ ହୋଇ ଓଡ଼ିଶା, ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଆଡ଼େ ଅଗ୍ରସର ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ମୌସୁମି ଓ ଲଘୁଚାପ ପ୍ରଭାବରେ ରବିବାରରୁ ସୋମବାର ସକାଳ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦୁଝର ଓ ମୟୂରଭଞ୍ଜ ପ୍ରଭୃତି ୮ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ପକ୍ଷରୁ ଆକଳନ କରି କୁହାଯାଇଛି। ସେହିପରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଢ଼େଙ୍କାନାଳ, ଯାଜପୁର, କଟକ, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରପଡ଼ାର କେତେକ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସୋମବାରରୁ ମଙ୍ଗଳବାର ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର ଜିଲାରେ ପ୍ରବଳ ବର୍ଷା ଏବଂ ଦେବଗଡ଼, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କଟକ, ବରଗଡ଼ ଓ ଯାଜପୁର ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି। ବୁଧବାରରୁ ଗୁରୁବାର ସକାଳ ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୋଳ ଏବଂ କେନ୍ଦୁଝର ଜିଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

ଏହି ସବୁ ଜିଲାଗୁଡ଼ିକ ପାଇଁ ରବିବାରରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବଙ୍ଗୋପସାଗରରେ ପବନର ବେଗ ୪୦-୫୦ କିମି ବେଗରେ ବହିବାର ସମ୍ଭାବନା ଥିବାରୁ ୧୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ଏସଆରସିଙ୍କ ପକ୍ଷରୁ ବାରଣ କରାଯାଇଛି। ୟେଲୋ ୱାର୍ଣ୍ଣିଂ ଜାରି ଜିଲାଗୁଡ଼ିକରେ ତଳୁଆ ଅଞ୍ଚଳରେ ପାଣି ଜମି ରହିବା ଏବଂ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ଥିବାରୁ ଜିଲା ପ୍ରଶାସନ ସତର୍କ ରହିବାକୁ ଏସଆରସି ପ୍ରଦୀପ ଜେନା ନିର୍ଦେଶ ଦେଇଛନ୍ତି।

ସାରା ରାଜ୍ୟରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ୧୪ ଓ ୧୫ରେ ଅନେକ ସ୍ଥାନରେ ଭାରି ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି। ଅନେକ ସ୍ଥାନରେ ସମୁଦାୟ ବର୍ଷା ୧୫୦ ମିମି ଅଧିକ ହେବାବେଳେ, କେତେକ ସ୍ଥାନରେ ୨୦୦ ମିମିରୁ ଅଧିକ ହେବାର ସମ୍ଭାବନା ଅଛି। ଫଳରେ ରାଜ୍ୟରେ କେତେକ ନଦୀ ଫୁଲିବ। ଶନିବାର ସକାଳେ ଲଘୁଚାପର କେନ୍ଦ୍ର ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ରହିଥିଲା। ୪୮ ଘଣ୍ଟା ଭିତରେ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ୧୪-୧୬ ତାରିଖ ପର୍ଯ୍ୟନ୍ତ ଏହା ଓଡ଼ିଶା ଉପରେ ରହିବ। ୧୭ରେ ଝାଡ଼ଖଣ୍ଡ ଯିବାର ଶ୍ରୀ ପଶୁପାଳକ ଆକଳନ କରିଛନ୍ତି। ବର୍ଷାରେ ବୈତରଣୀ ଅଧିକ ଫୁଲିବାର ସମ୍ଭାବନା ରହିଛି। ସେହିପରି ତେଲ ଓ ବ୍ରାହ୍ମଣୀ ଫୁଲିବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ। ବର୍ଷା ସରିବା ପର୍ଯ୍ୟନ୍ତ ବୁଣାବୁଣି କରିବାକୁ ସେ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି।

Comments are closed.