ଧର୍ମାନ୍ତରୀକରଣ ଓ ଗୋ ଚାଲାଣ ରୋକିବାକୁ ସରକାର କଠୋର ପଦକ୍ଷେପ ନେବା ଉଚିତ

ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଅଧ୍ୟକ୍ଷ ଡା.ତୋଗାଡ଼ିଆଙ୍କ ସୁନ୍ଦରଗଡ଼ ଜିଲା ଗସ୍ତ

ସୁନ୍ଦରଗଡ଼ : ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ଡା.ପ୍ରବିନ ଭାଇ ତୋଗାଡ଼ିଆ ସୋମବାର ଦୁଇ ଦିନିଆ ସୁନ୍ଦରଗଡ଼ ଜିଲା ଗସ୍ତରେ ଆସି ପହଞ୍ଚିଛନ୍ତି । ହିନ୍ଦୁ ଜାଗରଣ ଅଭିଯାନର କାର୍ଯ୍ୟକ୍ରମକୁ ଅଧିକ ତ୍ବରାନ୍ନିତ କରିବା ପାଇଁ ଡା.ତୋଗାଡ଼ିଆଙ୍କ ଗସ୍ତ ରହିଥିବା ବେଳେ ଆଜି ସନ୍ଧ୍ୟାରେ ସେ ସ୍ଥାନୀୟ ସର୍କିଟ ହାଉସରେ ସାମ୍ବାଦିକଙ୍କୁ କାର୍ଯ୍ୟକ୍ରମ ଓ ହିନ୍ଦୁ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ସୂଚନା ଦେଇଥିଲେ । ଡା.ତୋଗାଡ଼ିଆ ଧର୍ମାନ୍ତରୀକରଣ ଓ ଗୋ ଚାଲାଣକୁ ରୋକିବା ପାଇଁ ଉଭୟ ସରକାର (କେନ୍ଦ୍ର ଓ ରାଜ୍ୟ)ଙ୍କ ପାଖରେ ନିୟମ ରହିଥିଲେ ହିଁ ଆନ୍ତରିକତା ଅଭାବରୁ ଏହା ଠିକ ଭାବେ କାର୍ଯ୍ୟକାରୀ ହେଉନଥିବାର ଅଭିଯୋଗ କରିଥିଲେ । ଦେଶରେ ଧର୍ମାନ୍ତରୀକରଣ ଏକ ସମସ୍ୟା ହୋଇ ଉଭା ହେଉଥିଲେ ହିଁ ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଉଛି। ଏପରିକି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ଓ କେନ୍ଦ୍ର ସରକାର ଅଧିକ ଯତ୍ନବାନ ହୋଇ କାର୍ଯ୍ୟ କରିବା ପାଇଁ ସେ ପରାମର୍ଶ ଦେବା ସହ ହିନ୍ଦୁ ସମାଜର ସୁରକ୍ଷା ସପକ୍ଷରେ ମତ ରଖିଥିଲେ। ସେହିପରି ଗୋ ଚାଲାଣ ଜିଲାସ୍ତରରୁ ଆରମ୍ଭ ହୋଇ ବାଲାଂଦେଶ ସୀମା ପାର ହେଉଥିବା ବେଳେ କେଉଁଠାରେ ସେମାନଙ୍କୁ ଅଟକା ଯାଉନଥିବାର ଅଭିଯୋଗ କରି ସୀମାରେ ମୁତୟନ ଥିବା ସୀମା ସୁରକ୍ଷା ବଳ(ବିଏସଏଫ)ର ନଜରକୁ ଅତିକ୍ରମ କରି ଗୋରୁମାନଙ୍କୁ ବାଲାଂଦେଶ ଚାଲାଣ କରାଯାଉଛି । ତେଣୁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଡା.ତୋଗାଡ଼ିଆ ଦାବି କରିଛନ୍ତି । ଦେଶରେ ହିନ୍ଦୁ ସମାଜର ସୁରକ୍ଷାକୁ ଅଧିକ ମଜବୁତ କରିବା ଉପରେ ମଧ୍ୟ ଡା.ତୋଗାଡ଼ିଆ ଗୁରୁତ୍ବାରୋପ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଜିଲା ସଭାପତି କିଶୋର ମିଶ୍ର, ସଂପାଦକ ଲବ ରଣା, ରାଷ୍ଟ୍ରୀୟ ଆଦିବାସୀ ପରିଷଦର ସାଧାରଣ ସଂପାଦକ ଦୀପକ ମାହାନ୍ତ, ପଶ୍ଚିମ ଓଡ଼ିଶା ରାଷ୍ଟ୍ରୀୟ ବଜରଙ୍ଗ ଦଳର ସାଧାରଣ ସଂପାଦକ ଅନିଲ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.