ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି ଛାତ୍ର ଛାତ୍ରୀ, ପ୍ରବଳ ବର୍ଷା ହେଲେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ

ମୋହନା : ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହୋଇ ସ୍କୁଲ ଓ କଲେଜକୁ ଯାଉଛନ୍ତି ୫ ଖଣ୍ଡ ଗାଁର ଛାତ୍ର ଛାତ୍ରୀ । ଗଜପତି ଜିଲ୍ଲା ଲିଲିଗଡ ପଞ୍ଚାୟତ ଆଶାଢ଼ିଆମ୍ବ ନଦୀରେ ଜଳ ସ୍ତର ବୃଦ୍ଧି ଯୋଗୁଁ ଜୀବନକୁ ବାଜି ଲଗାଇ ନଦୀ ପାର ହୋଇ ସ୍କୁଲ ଓ କଲେଜକୁ ବହୁ ଛାତ୍ର ଛାତ୍ରୀ ପାଠ ପଢିବା ପାଇଁ ଯାଉଛନ୍ତି ।

ଛୋଟ ଛୋଟ ଶିଶୁଙ୍କୁ କାନ୍ଧରେ ଓ କାଖ କରି ଅବିଭାବକମାନେ ନଦୀ ପାର କରାନ୍ତି । ବରିଷ୍ଠ ନାଗରିକମାନେ ଜରୁରୀ କାମରେ ମୋହନା ଓ ଅନ୍ୟ ଗ୍ରାମକୁ ଯିବାକୁ ହେଲେ ବିପଦ ସଙ୍କୁଳ ଅବସ୍ଥାରେ ଭରା ନଦୀ ପାର ହୋଇ ଜୀବନକୁ ବାଜି ଲଗାଇ ଯିବାକୁ ବାଧ୍ୟ ହୋଇଥାନ୍ତି। ନଦୀ ସେପାଖେ ଡେଙ୍ଗାଆମ୍ବ, ଟିଟିମେରି, କୁଇହୁରୁ, କୁତୁଣୀକୁଆ ଓ ରାଇପଦା ଗାଁ ସମେତ ୫ରୁ ଅଧିକ ଗ୍ରାମର ଗ୍ରାମବାସୀ ନିର୍ଭରଶୀଳ ।

ନଦୀର ଜଳ ସ୍ତର ବୃଦ୍ଧି ପାଇଲେ ସ୍କୁଲ କଲେଜ ବନ୍ଦ ହେବା ସହ ସ୍ୱାସ୍ଥ୍ୟକେନ୍ଦ୍ର ଓ ହାଟ ବଜାର ସବୁ କିଛି ଠପ ହୋଇଯାଏ । ଜରୁରୀ କାମ ପଡ଼ିଲେ ଲୋକେ ମୋହନା ଆସି ପାରନ୍ତି ନାହିଁ । ଗ୍ରାମବାସୀ ବାରମ୍ବାର ପୋଲ ନିର୍ମାଣ ପାଇଁ ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ ମଧ୍ୟ ପୋଲ ନିର୍ମାଣ ହୋଇପାରୁନାହିଁ । ତେବେ ବର୍ଷା ଦିନେ ଏଭଳି ସମସ୍ୟା ଉତ୍କଟ ରୂପ ଧାରଣ କରେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ସ୍କୁଲ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

Comments are closed.