ଅବ୍ୟବସ୍ଥାରେ ମୋହନା ବ୍ଲକର ପ୍ରାଣୀଧନ ସହାୟକ କେନ୍ଦ୍ର

ମୋହନା: ଗଜପତି ଜିଲ୍ଲାର ବହୁ ଦୁର୍ଗମ ଅଞ୍ଚଳର ଆଦିବାସୀ ଲୋକେ କୁଲି ମଜୁରୀ କରିବା ସହ ଚାଷବାସ କରି ପରିବାର ପ୍ରତିପୋଷଣ କରିଥାନ୍ତି। ପ୍ରତେକ ଘରେ ସାଧାରଣତଃ ଗାଈ, ଗୋରୁ ଛେଳି, କୁକୁଡ଼ା ପାଳନ କରନ୍ତି। ହେଲେ କୌଣସି ପ୍ରକାର ରୋଗରେ ପଶୁପକ୍ଷୀ ଅକ୍ରାନ୍ତ ହୁଅନ୍ତି ତେବେ ସେମାନଙ୍କ ଚିକିତ୍ସା ପାଇଁ ପ୍ରାଣୀଧନ ଚିକିତ୍ସାଳୟକୁ ନେବାକୁ ପଡୁଛି। ନଚେତ ମୋହନା ଡାକ୍ତରଙ୍କୁ ଖବର ଦେଲେ ସେ ପହଞ୍ଚି ଚିକିତ୍ସା ଯୋଗାଇଥାନ୍ତି। ବିଭିନ୍ନ ସମୟରେ ଦୁର୍ଗମ ଅଞ୍ଚଳର ଲୋକେ ରାତି ଅଧରେ କୌଣସି ଗାଈଗୋରୁ ଅସୁସ୍ଥ ହେଲେ ସେମାନଙ୍କ ଚିକିତ୍ସା ପାଇଁ ନିକଟସ୍ଥ ସହାୟକ କେନ୍ଦ୍ରକୁ ଆଣିଲେ ବହୁ ଦୁଃଖ ଭୋଗିବାକୁ ପଡ଼ିଥାଏ କାରଣ ଚିକିତ୍ସା କେନ୍ଦ୍ରରେ ବର୍ଷ ବର୍ଷ ଧରି ବିଦ୍ୟୁତ ସଂଯୋଗ ହୋଇନାହିଁ। ଯାହାଫଳରେ ରାତ୍ରକାଳୀନ ଚିକିତ୍ସା ମୋବାଇଲ ଲାଇଟ କିମ୍ଵା ଟର୍ଚ୍ଚ ଲାଭଟକୁ ବ୍ୟବହାର କରି ଡାକ୍ତର / ପ୍ରାଣୀଧନ ନିରୀକ୍ଷକ ଚିକିତ୍ସା ଯୋଗାଇଥାନ୍ତି।

ହେଲେ ଏଭଳି କିଛି ପ୍ରାଣୀଧନ ସହାୟକ କେନ୍ଦ୍ର ମୋହନା ବ୍ଳକରେ ରହିଛି ଯେଉଁଠି ଦୀର୍ଘ ବର୍ଷ ଧରି କୋଠା ନିର୍ମାଣ ହୋଇଛି କିନ୍ତୁ ଏହା ସମ୍ପୁର୍ଣ୍ଣ ନ ହୋଇ ଭୁତ କୋଠରୀ ଭଳି ପଡିରହିଛି। ଏହି ସମସ୍ତ କେନ୍ଦ୍ରଗୁଡିକରେ ବିଦ୍ୟୁତ ସୁବିଧା, ବାସଗୃହ, ଶୌଚାଳୟ କିମ୍ଵା ପାନୀୟ ଜଳର ସୁବିଧା ନାହିଁ। ଯାହାଫଳରେ ପ୍ରାଣୀ ଧନ ସହାୟକ କେନ୍ଦ୍ର ଗୁଡିକରେ କାର୍ଯ୍ୟରତ ପ୍ରାଣୀଧନ ନିରୀକ୍ଷକ ଓ ଚିକିତ୍ସା ପାଇଁ ପ୍ରାଣୀମାନଙ୍କୁ ଧରି ଆସୁଥିବା ବ୍ୟକ୍ତିମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାଧ୍ଯ ହୋଇ ନିରୀକ୍ଷକମାନେ ଘର ଭଡ଼ା କରି ବାହାରେ ରହୁଛନ୍ତି। ଖରା ଦିନେ କାର୍ଯ୍ୟାଳୟରେ ବସି କାର୍ଯ୍ୟ କରିବା ଓ ଚିକିତ୍ସା କରିବା ସମ୍ଭବପର ହୋଇ ପାରୁନହିଁ। ଯାହାଫଳରେ ଗଛ ଛାଇରେ ବସି ଗାଈ ,ଗୋରୁ ,ଛେଳି ଓ ପକ୍ଷୀ ଙ୍କ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳୁଛି।

ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଫ୍ରିଜ ମଧ୍ୟ ଯେମିତି ସେମିତି ପଡ଼ି ରହିଛି। ଅତି ଆବଶ୍ୟକ ପଡ଼ିଲେ ମୋହନା ପ୍ରାଣୀ ଚିକିତ୍ସାକେନ୍ଦ୍ରକୁ ଆସି ଇଞ୍ଜେକସନ ନେବାକୁ ପଡୁଛି। ମୋହନା କାର୍ଯ୍ୟାଳୟରୁ ଇଞ୍ଜେକସନ ନେଇ କେନ୍ଦ୍ରରେ ପହଞ୍ଚିଲା ବେଳକୁ ପ୍ରାଣୀଟିର ମୃତ୍ୟୁ ଘଟିଯାଇଥାଏ। ଲୁହାଗୁଡି, ଚାନ୍ଦିପୁଟ, ବିରିକୋଟ, ଅଡ଼ବା ଆଦି ପ୍ରାଣୀଧନ ସହାୟକ କେନ୍ଦ୍ରଗୁଡ଼ିକରେ ବିଦ୍ୟୁତ, ପାନୀୟ ଜଳ, ଶୌଚାଳୟ ନଥିବା ବେଳେ ଅନେକ ସ୍ଥାନରେ ଅଧପନ୍ତରିଆ ହୋଇ ପଡ଼ିରହିଛି ପ୍ରାଣୀ ଚିକିତ୍ସା କେନ୍ଦ୍ର। ଏହି ସମସ୍ୟା ବିଷୟରେ ମୋହନା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ଡ. ବିରେନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ ସେ ଏ ସଂମ୍ପର୍କରେ ବହୁବାର ଜିଲ୍ଲା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ।

Comments are closed.