ଗୁଣି ସନ୍ଦେହରେ ଗୁଳି, ଅଳ୍ପକେ ବର୍ତ୍ତିଲେ ପାଳକ

ମୋହନା: ଗଜପତି ଜିଲା ଅଡବା ଥାନା ଅଞ୍ଚଳରେ ଗୁଣିଗାରେଡି ସନ୍ଦେହରେ ଗୁଳି ଫୁଟିଛି । ଅଳ୍ପକେ ମରଣମୁହଁରୁ ବଞ୍ଚି ଯାଇଛନ୍ତି ପାଳକ( ପାଷ୍ଟର) । ଏଭଳି ଏକ ଘଟଣା ଘଟିଛି ଅଡବା ଥାନା ଅଞ୍ଚଳରେ। ଜୁଡ଼ୁଙ୍ଗ ଗ୍ରାମର ୩୩ ବର୍ଷୀୟ ପାଷ୍ଟର ଡମ୍ବରୁଧର ମାଝୀ ନିଜ ଗ୍ରାମରୁ ନିକଟସ୍ଥ କରଡାବାଡି ଚର୍ଚ୍ଚକୁ ପ୍ରାର୍ଥନା କରିବା ପାଇଁ ଯାଉଥିବାବେଳେ ଆଗରୁ ସାରୁମେରା ନିକଟରେ ଛପି ରହିଥିବା ୩ ଜଣ ଯୁବକ ତାଙ୍କ ଉପରକୁ ଅତର୍କିତ ଗୁଳି ଚଳାଇ ଥିଲେ। କିନ୍ତୁ ଗୁଳି ପାଷ୍ଟରଙ୍କ ବଦଳେ ତାଙ୍କ ବାଇକରେ ବାଜିଥିଲା। ସେ ଗାତି ଛାଡ଼ି ପ୍ରାଣ ବିକଳରେ ଦୌଡ଼ିଥିଲେ । ଦୁଇଜଣ ତାଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଧରି ନପାରିବାରୁ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ପଥର ମାଡ କରିଥିଲେ । ପାଷ୍ଟର ଜଣକ ଆହତ ହୋଇ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦୌଡି ଯାଇଥିଲେ। ସେଠାରୁ ଫେରି ଅଡବା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଓ ପୁଲିସ ଘଟଣାସ୍ଥଳକୁ ଯାଇ ସେଠାରୁ ୨ଟି ଖୋକା, ବାଇକ ଜବତ କରିବା ସହ ମାମଲା ରୁଜୁ କରିଛି । ଡମ୍ବରୁଙ୍କ ଅଭିଯୋଗ ଅନୁଯାୟୀ ସେ ଚର୍ଚ୍ଚକୁ ଯିବା ସମୟରେ ତାଙ୍କ ଗ୍ରାମର ପ୍ରମୋଦ ଆଲିସ, ସାଗର ମାଝୀ ଓ ଅନ୍ୟ ଦୁଇଜଣ ମିଶି ଅତର୍କିତ ଗୁଳି ଫୁଟାଇଥିଲେ । ଅଭିଯୁକ୍ତ ସାଗର ମାଝୀଙ୍କ ୯ ମାସର ପୁଅ ୨୦୨୦ ମସିହା ଅଗଷ୍ଟ ମାସ ୨୭ ତାରିଖରେ ଦେହ ଅସୁସ୍ଥ ହୋଇ ପ୍ରାଣ ହରାଇଥିଲା। କିନ୍ତୁ ଡମ୍ବରୁଧର ଓ ତାଙ୍କ ବାପା ଗୁଣିଗାରେଡ଼ି କରି ସାଗରର ପୁଅକୁ ମାରିଦେଇଥିବା ସନ୍ଦେହ କରି ସାଗର କ୍ରୋଧାନ୍ବିତ ହୋଇଥିଲା। ଘଟଣାର ଆପୋଷ ସମାଧାନ ପାଇଁ ଗ୍ରାମସଭା ବସିଥିଲା । ସଭାରେ ଭୋଜିଭାତ ଦେବା ପାଇଁ ଡମ୍ବରୁ ରିବାରଙ୍କୁ କୁହାଯାଇଥିଲା । ପରେ ଗ୍ରାମବାସୀ ଏହାକୁ ବାରଣ କରିଥିଲେ। I ଗୁଣିଗାରେଡିକୁ ସନ୍ଦେହ କରି ଡମ୍ବରୁକୁ ଜୀବନରେ ମାରିଦେବା ପାଇଁ ସାଗର ଗୁଳି ଫୁଟାଇଥିଲେ । କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପାଳକ ଡମ୍ବରୁ । ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇ ଯାଇଛନ୍ତି। ସେମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ଅଡବା ଆଇଆଇସି କହିଛନ୍ତି।

Comments are closed.