ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୨୪ ଯାତ୍ରୀ

ମୋହନା: ସ୍ଥାନୀୟ ଥାନା ଅନ୍ତର୍ଗତ ରାଇସିଂ ଘାଟିରେ ଘରୋଇ ବସ କାମଧେନୁ ଦୁର୍ଘଟଣାର ସମ୍ମୁଖିନ ହୋଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିଲେ ବି ବସରେ ଯାତ୍ରା କରୁଥିବା ୨୪ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରାୟଗଡା ଜିଲା ଆମ୍ବା ଦଳାରୁ ବ୍ରହ୍ମପୁର ଅଭିମୁଖେ ଘରୋଇ ବସ କାମଧେନୁ ବସ ଯୋଗେ ପ୍ରାୟ ୨୪ ଜଣ ଯାତ୍ରୀ ନିଜ ଘରକୁ ଫେରୁଥିଲେ। ବସଟି ରାତ୍ରୀ ପ୍ରାୟ ୩ଟା ବେଳେ କଣ୍ଚେଇକୋଳି ଗାଁ ନିକଟ ରାଇସିଂ ଛକ ନିକଟ ଘାଟି ଉଠୁଥିବା ବେଳେ ଚାଳକଙ୍କର ଆଖି ଲାଗିଯାଇଥିଲା। ଯାହାଫଳରେ ବସଟି ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପାର୍ଶ୍ବକୁ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଖବର ପାଇ ମୋହନା ଥାନା ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ବସ ମଧ୍ୟରେ ଫସି ରହିଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଅଧିକାଂଶ ଯାତ୍ରୀ ଦିଗପହଣ୍ଡି ଓ ବ୍ରହ୍ମପୁର ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କୁ ଅନ୍ୟ ଏକ ବସ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.