ଲଗାଣ ବର୍ଷାରେ ଭାସିଗଲା ପୋଲ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚୁଡଙ୍ଗପୂରୁ ପଂଞ୍ଚାୟତ ଝରଣପୂର ନିକଟରେ ରହିଛି ଗଜେଲ ନାଳ। ଯେଉଁ ନାଳ ଦେଇ ପ୍ରତ୍ୟେକ ଦିନ ୨୦ ଖଣ୍ଡ ଗ୍ରାମବାସୀ ବିଭିନ୍ନ କାମ ନେଇ ଯାତାୟାତ କରନ୍ତି। ଏହି ନାଳ ଠାରୁ ରାଇପଙ୍କା ମାତ୍ର ୮କିମି ଓ ରାୟଗଡ଼ା ଜିଲ୍ଲା ପଦ୍ମପୁର ହେଉଛି ମାତ୍ର ୧୪କିମି। ରାୟଗଡ଼ା ଜିଲ୍ଲାର ବ୍ୟବସାୟୀମାନେ ନିଜ ପରିବାର ପ୍ରତିପୋଷଣ ପାଇଁ ଚୁଡ଼ଙ୍ଗପୁର, ଅନ୍ତରବା, ଝରଣପୁର, ଶିଆଳିଲଟି ଭଳି ବିଭିନ୍ନ ଗ୍ରାମ ବୁଲି ବାଣିଜ୍ୟ ବ୍ୟବସାୟ କରନ୍ତି। ରାସ୍ତା ଭଲ ନଥିବାରୁ ଗାଡ଼ି ଠେଲି ମୁଣ୍ଡରେ ଭାର ବୋହି ନାଳ ପାର ହୁଅନ୍ତି। ଖାଲି ସେତିକି ନୁହେଁ ବରଂ ବିଦ୍ୟାଳୟକୁ ମଧ୍ୟ କୁନି କୁନି ଛାତ୍ର ଛାତ୍ରୀମାନେ ଜୀବନକୁ ବାଜି ଲଗାଇ ବିଦ୍ୟାଳୟକୁ ପାଠ ପଢିବା ପାଇଁ ପ୍ରତ୍ୟେକ ଦିନ ଯିବା ଆସିବା କରନ୍ତି। ବର୍ଷା ହେଲେ ପାଠ ପଢା ବନ୍ଦ।

ଏହି ଖବର ଆମେ ସମାଜ ଖବର କାଗଜରେ ୨୩ ତାରିଖରେ ପ୍ରକାଶ କରିଥିଲୁ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କୁ ଏ ସଂପର୍କରେ ଅବଗତ କରିଥିଲୁ। ସେ କହିଥିଲେ ତୁରନ୍ତ ଏହି ସମସ୍ୟାର ପଦକ୍ଷେପ ନେଇ ରାସ୍ତା ନିର୍ମାଣ କରାଯିବ। ଖବର ପ୍ରସାରଣ ହେବାର ୨୪ଘଣ୍ଟା ମଧ୍ୟରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦେଶ କ୍ରମେ ବ୍ଲକ୍ ପ୍ରଶାସନ ପକ୍ଷରୁ ଠିକାଦାରଙ୍କୁ କହି ଦୁଇଟି କଂକ୍ରିଟ ପାଇପ (ପୋଲ) ଅସ୍ଥାୟୀ ଭାବେ ପକାଯାଇ ରାସ୍ତା ନିର୍ମାଣ କରାଯାଇଥିଲା। ଜିଲ୍ଲାପାଳଙ୍କ ତ୍ଵରିତ ପଦକ୍ଷେପ ଯୋଗୁଁ ଅସ୍ଥାୟୀ ରାସ୍ତା କରାଯାଇଥିଲା। ଏଭଳି ପଦକ୍ଷେପକୁ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ପ୍ରଶସାଂ କରିଥିଲେ। କିନ୍ତୁ ଲଗାଣ ବର୍ଷାରେ ସୋମବାର ଦିନ ଅସ୍ଥାୟୀ କଂକ୍ରିଟ ପୋଲ ସହ ରାସ୍ତା ଭାସିଯାଇଛି। ଯାହାଫଳରେ ଛାତ୍ରଛାତ୍ରୀ ପାଠ ପଢ଼ାରୁ ବଞ୍ଚିତ ଅଛନ୍ତି। ଅଞ୍ଚଳର ଲୋକେ ଗମନାଗମନ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।

Comments are closed.