କାମରେ ଆସୁନି ବସୁଧା ଯୋଜନା, ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ଚୁଆଁପାଣି

ମୋହନା: ପାନୀୟ ଜଳ ଯୋଗାଣରେ ବିଭାଗୀୟ ଅଧିକାରୀମାନଙ୍କ ଆନ୍ତରିକତାର ଅଭାବ ଯୋଗୁଁ ସୌର ଜଳଯୋଗାଣ ପ୍ରକଳ୍ପ ଥିଲେ ମଧ୍ୟ ତାହାର ମରାମତି ଅଭାବରୁ କୌଣସି କାମରେ ଆସୁନାହିଁ। ଫଳରେ ଦୁର୍ଗମ ଅଞ୍ଚଳରେ ଏବେ ବି ଚୂଆଁପାଣି ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି। ମହିଳାମାନେ ଲମ୍ବା ଧାଡ଼ି କରି କାଦୁଅ ପଙ୍କ ବିଲ ହିଡ ଦେଇ ଯିବା ସହ ଗୋଟିଏ ଚୁଆଁରୁ ପାଣି ସଂଗ୍ରହ କରି ଫେରୁଛନ୍ତି। ଆଉ ଏହି ପାଣିକୁ ଦେଖିଲେ ଆପଣଙ୍କ ମନରେ ମଧ୍ୟ ସଂକ୍ରମଣର ଭୟ ସୃଷ୍ଟି ହୋଇଯିବ। ତଥାପି ଏହି ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି ଗ୍ରାମବାସୀ।
ଗଜପତି ଜିଲା ମୋହନା ବ୍ଲକ୍ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ବାଡେଗୁଡା ପଞ୍ଚାୟତ ତୁଆଗୁଡା ଗାଁରେ ପ୍ରାୟ ଶତାଧିକ ପରିବାରର ୫ ଶହରୁ ଉର୍ଦ୍ଧ୍ବ ଲୋକେ ବସବାସ କରନ୍ତି। ଏହି ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାରଙ୍କ ବସୁଧା ଯୋଜନାରେ ସୌର ଭିତ୍ତିକ ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ନଳକୂପ ଖୋଳାଯାଇଛି। ପାଣି ଟ୍ୟାଙ୍କ୍ ଓ ସୋଲାର ପ୍ଲେଟ ଖଞ୍ଜାଯାଇଛି । ୯୫ଟି ପରିବାରକୁ ସଂଯୋଗ କରାଯାଇଛି ବୋଲି ସୂଚନା ଫଳକରେ ଦର୍ଶାଯାଇଛି। ଗାଁର ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡ ପୋଷ୍ଟ ପୋତାଯାଇଛି। ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିର୍ମାଣର କିଛି ମାସ ନହେଉଣୁ ସୋଲାର୍ ପ୍ଲେଟ ସହ ଷ୍ଟାଣ୍ଡ୍ ପୋଷ୍ଟ ଗୁଡିକ ଭାଙ୍ଗିଯାଇ ଲଟାବୁଦା ମାଡିଗଲାଣି। ତେଣୁ ଗ୍ରାମବାସୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ପାଇବା ସାତ ସପନ ହୋଇଛି। ଗ୍ରାମବାସୀ ଏହାର ମରାମତି ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ସରକାରଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ଏହି ଦୂଷିତ ଜଳକୁ ଲୋକେ ବାଧ୍ୟ ହୋଇ ପାନୀୟ ଜଳ ରୂପେ ବ୍ୟବହାର କରୁଥିବା କହିଛନ୍ତି ଗ୍ରାମବାସୀ ।

 

ଅପରପକ୍ଷେ ଗାଁରେ ଦୁଇଟି ନଳକୂପ ଥିବା ସହ ବିଲ ମଧ୍ୟରେ ଅସଜଡା କୂଅ ରହିଛି। ହେଲେ ଉଭୟ କୂଅର ମରାମତି ଅଭାବରୁ ତାହା ମଧ୍ୟ ଭୁସୁଡିଗଲାଣି। ନଳକୂପର ପାଣି ପାନୀୟ ଜଳ ରୂପେ ବ୍ୟବହାର ଉପଯୋଗୀ ହେଉନଥିବାରୁ ମହିଳାମାନେ ନଳକୂପ ପାଣିରେ ବାସନକୁସନ ସଫାସୁତୁରା କରୁଥିବା ବେଳେ ଅସଜଡା କୂଅର ପାଣିକୁ କେବଳ ଗାଧୋଇବା ପାଇଁ ବ୍ୟବହାର କରୁଛନ୍ତି। ଏହି ଅଞ୍ଚଳ ଏକ ଦୂର୍ଗମ ଅଞ୍ଚଳ ହୋଇଥିବା ଯୋଗୁ ବିଭାଗୀୟ ଅଧିକାରୀଙ୍କ ପାଦ ପଡୁନଥିବା ବେଳେ ବର୍ଷ ବର୍ଷ ଧରି ଏମିତି ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ। ଶେଷରେ ବସୁଧା ହେଲପ୍‌ ଲାଇନ୍ ନମ୍ୱରକୁ ଫୋନ୍ କଲେ ମଧ୍ୟ ଏହାର ପ୍ରତିକାର ପାଇଁ ପଦକ୍ଷେପ ନିଆଯାଉନଥିବା ଜଣାପଡ଼ିଛି। ଫଳରେ ଲୋକେ ବାଧ୍ୟ ହୋଇ ପାନୀୟ ଜଳ ପାଇଁ ଏଭଳି ସଂଘର୍ଷ କରୁଥିବା କହିଛନ୍ତି ଗ୍ରାମବାସୀ। ସରକାର ଯଦି ଏଥିପ୍ରତି ଦୃଷ୍ଟି ନଦେବେ ତା ହେଲେ ପି. ଗୋବିନ୍ଦପୁର ଗ୍ରାମରେ ଝାଡାବାନ୍ତି ବ୍ୟାପିବା ଭଳି ଘଟଣାର ପୁନରାବୃତ୍ତି ଘଟିବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ ବୋଲି ସେମାନେ କହିଛନ୍ତି।

Comments are closed.