ଜବତ କାଜୁକୁ ବିକିଦେଲେ; ବିଡିଓ, ଆଇଆଇସି ସମେତ ୬ଜଣଙ୍କ ନାମରେ ମାମଲା

ମୋହନା : କୋର୍ଟ ନିର୍ଦେଶ ପରେ ଜବତ କାଜୁକୁ ସର୍ବସାଧାରଣରେ ବିକ୍ରି କରିବା ବଦଳରେ ଯେଉଁ ବ୍ୟବସାୟୀଙ୍କ ଠାରୁ ଜବତ ହୋଇଥିଲା, ତାଙ୍କୁ ହିଁ ବିକ୍ରି କରିଦିଆଯାଇଛି । ଏଭଳି ଏକ ରୋଚକ ମାମଲାରେ ଜଣେ ପ୍ରଶାସନିକ ଅଧିକାରୀ, ଜଣେ ତତ୍କାଳୀନ ଥାନା ଅଧିକାରୀ ସମେତ ୬ଜଣଙ୍କ ନାମରେ ଅଡବା ଥାନାରେ ମାମଲା ରୁଜୁ ହୋଇଛି। ଗଜପତି ଜିଲା ଅଡ଼ବା ଥାନାରେ ଏହି ଘଟଣା ଘଟିଛି । ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ ସୋମବାର ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି । ଏସ୍‌ପି ପଟ୍ଟନାୟକଙ୍କ କହିବାନୁଯାୟୀ, ଗତ ଅଗଷ୍ଟ ୨୪ ତାରିଖରେ ଅଡ଼ବା ଥାନା ପୁଲିସ ଏକ ଗଞ୍ଜେଇ ସହ ଚୋପାଛଡା କାଜୁ ବୋଝେଇ ଗାଡ଼ିକୁ ଜବତ କରିଥିଲା। ଟ୍ରକରେ ୧୭.୮୧୪ ଟନ୍‌ କାଜୁ ଓ ୨୪୩ କ୍ୱିଣ୍ଟାଲ ଗଞ୍ଜେଇ ମଧ୍ୟ ରହିଥଲା । ପରବର୍ତ୍ତୀ ସମୟରେ କୋର୍ଟ ଚାଲାଣ ପରେ ଜବତ କାଜୁକୁ ସର୍ବସାଧାରଣରେ ନିଲାମ କରିବାକୁ ଗଜପତି ଜିଲା ଅଦାଲତ ନିର୍ଦେଶ ଦେଇଥିଲେ। ଜବତ କାଜୁର ମୂଲ୍ୟ ଆନୁମାନିକ ୬୭ ଲକ୍ଷ ଟଙ୍କା ହେବ। କିନ୍ତୁ ଯାହା ଠାରୁ ଜବତ ହୋଇଥିଲା, ତାଙ୍କୁ ମାତ୍ର ୧୪ ଲକ୍ଷ ଟଙ୍କାରେ କାଜୁକୁ ବିକ୍ରି କରି ଦିଆଗଲା । ଏ ସଂକ୍ରାନ୍ତରେ ଟ୍ରକ ମାଲିକ ଅଦାଲତରେ ବୟାନ ଦେବା ପରେ ବିଚାରପତି ଏହାର ତଦନ୍ତ ନିର୍ଦେଶ ଦେଇଥିଲେ। ଅତିରିକ୍ତ ଏସପି ସୀତାରାମ ଶତପଥୀଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିଲା। ପ୍ରାଥମିକ ତଦନ୍ତରୁ ଏଥିରେ ଅନିୟମିତତା ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗତ ୧୭ ତାରିଖରେ ଏସ୍‌ଡିପିଓ ଦିଲ୍ଲୀପ କୁମାର ନାୟକ ଅଡ଼ବା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସମ୍ପୃକ୍ତ ତଦନ୍ତକାରୀ ଅଧିକାରୀ ଏସ.ଆଇ ଆଲୋକ ରଞ୍ଜନ ଜଗଦଲାଙ୍କୁ ନିଲମ୍ବନ କରାଯାଇଥିଲା। ଏହାସହ ପୂର୍ବତନ ଥାନା ଅଧିକାରୀ ତପନକୁମାର ପତିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଅଦାଲତଙ୍କ ନିର୍ଦେଶ ପରେ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟମାନଙ୍କ ମଧ୍ୟରେ ମୋହନା ବିଡିଓ ବଂଶୀଧର ଖୋସଲା, ପୂର୍ବତନ ଅଡବା ଥାନା ଅଧିକାରୀ ତପନକୁମାର ପତି, ମୋହନା ଯୋଗାଣ ନିରୀକ୍ଷକ ଶଙ୍କର ବେହେରା, ଆନ୍ଧ୍ରପ୍ରଦେଶ ପଲାସାର କାଜୁ ବ୍ୟବସାୟୀ କେ.ରବିକୁମାର ଏବଂ ଟ୍ରକ ମାଲିକ ବି.ମୋହନ ରାଓଙ୍କ ନାମରେ ମାମଲା ରୁଜୁ କରାଯାଇଛି । ମାମଲା ରୁଜୁ ପରେ ଏହାର ତଦନ୍ତ ଭାର ରା.ଉଦୟଗିରି ଏସଡିପିଓ ଦିଲିପ କୁମାର ନାୟକଙ୍କୁ ଦିଆଯାଇଛି। ଅଭିଯୁକ୍ତଙ୍କ ବି​ରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଏସପି ତପନ କୁମାର ପଟ୍ଟନାୟକ କହିଛନ୍ତି।

Comments are closed.