ଭାଇକୁ ବଞ୍ଚାଇବାକୁ ଯାଇ ୨ ଭାଇ ମୃତ

ମୋହନା : ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମ ୩୨୬ ଜାତୀୟ ରାଜପଥ ନିକଟରେ ରହିଥିବା ଜିହୋବା ନଗରରେ ଘଟିଛି ଏକ ଅଭାବନୀୟ ଘଟଣା। ଘରର ମଝି କୋଠରୀରେ ଭୂମି ତଳେ ରହିଥିବା ୭ଫୁଟ ଓସାର ଓ ଲମ୍ବର ସୁଡଙ୍ଗରେ ଏଟିଏମ୍‍ କାଡ ଆଣିବାକୁ ଯାଇ ମଝିଆ ଭାଇ ସ୍ୱାଶ ରୁଦ୍ଧ ହୋଇ ମୃତ୍ୟୁ ଘଟିଥିଭା ବେଳେ ତାକୁ ବଞ୍ଚାଇବାଇକୁ ଯାଇ ଆଉ ଦୁଇ ଭାଇଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।
ସୂଚନା ଅନୁସାରେ, ଶୁକ୍ରବାର ରାତ୍ର ପ୍ରାୟ ୯ଟା ସମୟରେ ଘର ଭିତରେ ରହିଥିବା ସୁଡଙ୍ଗ ମଧ୍ୟରୁ ଏଟିଏମ୍‍ କାର୍ଡ ଆଣିବା ପାଇଁ ବାପା ଜୁଆନ ମାଝୀ(୫୮) ତାଙ୍କ ମଝିଆ ପୁଅ ସଞ୍ଜୀବ ମାଝୀ(୨୭)କୁ ପଠାଇଥିଲେ। ସେ ଭିତରକୁ ଯାଇ ଆଉ ଫେରି ନଥିଲେ। ତାଙ୍କର ଆସିବାର ବିଳମ୍ବ ଦେଖି ବଡ ପୁଅ ବିକ୍ରମ ମାଝୀ(୩୦) ମଧ୍ୟ ସେଠାକୁ ଯାଇ ବେହୋସ ହୋଇ ଯାଇଥିଲେ। ଦୁଇ ଭାଇ ଅଚେତ ଅବସ୍ଥାରେ ସ୍ୱାଶ ରୁଦ୍ଦ ହୋଇ ପଡିଥିବାର ଦେଖି ସାନ ଭାଇ ଜିତୁ ମାଝୀ(୨୪) ବଞ୍ଚାଇବାକୁ ଯାଇ ସେ ମଧ୍ୟ ଅଚେତ ଅବସ୍ଥାରେ ପଡିଯାଇଥିଲେ। ପରିବାର ଲୋକେ ଏଭଳି ଘଟଣା ଦେଖି ସାହି ଲୋକଙ୍କ ସହାୟତାରେ ଏକ ଲୁହା ଆଙ୍କୁଡା ଓ ରସି ସାହାର୍ୟ୍ୟରେ ସୁଡଙ୍ଗ ମଧ୍ୟରୁ ୩ ଭାଇଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ବିରିକୋଟ ପ୍ରାଥମିକ ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅମୃତରାଜ ଜେନା, ସରତ ପରିଡା, ସୌମ୍ୟରଞ୍ଜନ ଜେନା ୩ ଜଣଙ୍କୁ ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଡବା ଭାରପ୍ରାପ୍ତ ଥାନା ଅଧିକାରୀ ଆଲୋକ ରଞ୍ଜନ ଜଗଦଲା, ଏସଆଇ ଚନ୍ଦନ ଦାସ, ମୋହନା ଥାନା ଅଧିକାରୀ ସୁଜିୟ କୁମାର ନାୟକ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଥିବା ଜଣାପଡିଛି। ଘଟଣାର ତଦନ୍ତ ଜାରି ରହିଛି।

Comments are closed.