ମୋହନା ବିଡିଓ ନିଲମ୍ବିତ

ବ୍ରହ୍ମପୁର: ଗଞ୍ଜେଇ ସହ ଜବତ ହୋଇଥିବା କାଜୁଭର୍ତ୍ତି ଟ୍ରକକୁ ତଞ୍ଚକତା କରି କମ ଟଙ୍କାରେ ବିକ୍ରି ସହ କ୍ଷମତାର ଦୁରୂପଯୋଗ ଅଭିଯୋଗରେ ମୋହନା ବିଡ଼ିଓ ବଂଶୀଧର ଖୋସ୍ଲାଙ୍କୁ ନିଲମ୍ବନ କରିଛି ପଞ୍ଚାୟତିରାଜ ବିଭାଗ। ପତ୍ର ସଂଖ୍ୟା ୪୩୯୭ ତା ୩-୩-୩୨୦୨୧ ରେ ନିଲମ୍ବନ ଆଦେଶ ଦେଇଛି ପଞ୍ଚାୟତିରାଜ ବିଭାଗ। ଏହି ଘଟଣାରେ ଅଡବା ଥାନାରେ ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଘଟଣାରେ ଜଣେ ଏସଆଇ ଆଲୋକ ଜଗଦଲାଙ୍କୁ ପୂର୍ବରୁ ନିଲମ୍ବନ କରିଛନ୍ତି ଗଜପତି ଏସପି ତପନ କୁମାର ପଟ୍ଟନାୟକ।

ଗଜପତି ଜିଲା ଅଡ଼ବା ଥାନା ମାଣ୍ଡିମେରା ନିକଟରେ ଗତ ଅଗଷ୍ଟ ୨୪ ତାରିଖରେ ଏକ କାଜୁ ବୋଝେଇ ଟ୍ରକ ସହ ୩ କୁଇଣ୍ଟାଲ ୪୪ କେଜି ଗଞ୍ଜେଇ ଜବତ ହୋଇଥିଲା। ୧୭ ଟନ ୮୧୪ କିଲୋ ଓଜନ କାଜୁ ମଧ୍ୟ ଜବତ ହୋଇଥିଲା। ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ୨ ଜଣଙ୍କୁ ସେହି ସମୟରେ ଗିରଫ କରାଯାଇଥିଲା। ଗଞ୍ଜେଇ ସହ ଟ୍ରକରୁ ଚୋପାଛଡା କାଜୁ ଜବତ ହୋଇଥିଲା; କିନ୍ତୁ ଚୋପା ଥିବା ଗୋଟା କାଜୁ ଜବତ ହୋଇଥିବା ଉଲ୍ଲେଖ କରି ମାତ୍ର ୧୪ ଲକ୍ଷ ଟଙ୍କାରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ବିଡ଼ିଓ ବଂଶୀଧର ଖୋସ୍ଲା, ଯୋଗାଣ ଅଧିକାରୀ ଶଙ୍କର ବେହେରା ଓ ଥାନା ଅଧିକାରୀ ତପନ କୁମାର ପତିଙ୍କ ଉପସ୍ଥିତିରେ ବିକ୍ରି କରାଯାଇଥିବା ନେଇ କୋର୍ଟକୁ ତଥ୍ୟ ପ୍ରଦାନ କରିଥିଲେ ତଦନ୍ତକାରୀ ଅଧିକାରୀ ଅଡବା ଥାନା ଏସଆଇ ଆଲୋକ ରଞ୍ଜନ ଜଗଦଲା। ଏହି ତଥ୍ୟ ଉପରେ ପୁନଃ ତଦନ୍ତ ପାଇଁ ଗଜପତି ଏସପିଙ୍କୁ ନିର୍ଦେଶ ଦେଇଥିଲେ କୋର୍ଟ। ଗଜପତି ଏସପି ତପନ କୁମାର ପଟ୍ଟନାୟକ ଅତିରିକ୍ତ ଏସପି ସୀତାରାମ ଶତପଥୀଙ୍କୁ ଏହାର ତଦନ୍ତ ପାଇଁ ଗତ ନଭେମ୍ବର ୧୫ ତାରିଖରେ ନିର୍ଦେଶ ଦେଇଥିଲେ। ଅତିରିକ୍ତ ଏସପି ଅଡବା ଥାନାକୁ ଆସି ଏହାର ତଦନ୍ତ କରିଥିଲେ।

ତଦନ୍ତ ପରେ ଏଥିରେ ବଡ ଧରଣର ଘୋଟାଲା ସାମନାକୁ ଆସିଥିଲା। ୧୭ଟନ ୮୧୪ କିଲୋ ଚୋପାଛଡା କାଜୁ ଜବତ ହୋଇଥିବା ତଦନ୍ତରୁ ଜଣାପଡିଥିଲା; କିନ୍ତୁ କୋର୍ଟକୁ ଚୋପା ଥିବା ଗୋଟାକାଜୁ ଜବତ ହୋଇଥିଲା ବୋଲି ମିଥ୍ୟା ତଥ୍ୟ ଦେଇଥିଲେ ଏସଆଇ ଆଲୋକ ଜଗଦଲା। ଜବତ ହୋଇଥିବା ୧୭ ଟନ ୮୧୪ କିଲୋ କାଜୁର ସରକାରୀ ମୂଲ୍ୟ ୬୭ ଲକ୍ଷରୁ ଅଧିକ ଟଙ୍କା ହେବା କଥା; କିନ୍ତୁ ତଞ୍ଚକତା କରି ମାତ୍ର ୧୪ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ଉଲ୍ଲେଖ କରାଯାଇଥିଲା। ଅତିରିକ୍ତ ଏସପି ଏହାର ତଦନ୍ତ ରିପୋର୍ଟ ଗତ ନଭେମ୍ବର ମାସ ୧୭ ତାରିଖରେ ଗଜପତି ଏସପିଙ୍କୁ ପ୍ରଦାନ କରିଥିଲେ। ଏହା ପରେ ଅଡବା ଥାନା ଅଧିକାରୀ ତପନ କୁମାର ପତି, ବିଡ଼ିଓ ବଂଶୀଧର ଖୋସ୍ଲା, ଯୋଗାଣ ଅଧିକାରୀ ଶଙ୍କର ବେହେରା, ଏସଆଇ ଆଲୋକ ରଞ୍ଜନ ଜଗଦଲା , କାଜୁ ବ୍ୟବସାୟୀ ଆନ୍ଧ୍ରପ୍ରଦେଶ ପଲାସାର କେ. ରବି କୁମାର ଓ ଟ୍ରକ ମାଲିକ ପଲାସାର ବି. ମୋହନ ରାଓ ଆଦି ୬ ଜଣଙ୍କ ନାମରେ ଏତଲା ଦେଇଥିଲେ ରା.ଉଦୟଗିରି ଏସ୍‌ଡ଼ିପିଓ ଦିଲ୍ଲିପ କୁମାର ନାୟକ।

Comments are closed.