ସମସ୍ୟା ଘେରରେ ଧନୁପୋତା ପ୍ରାଥମିକ ବିଦ୍ୟାଳୟ

ମୋହନା : ମୋହନା ବ୍ଳକ ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତର ଧନୁପୋତା ପ୍ରାଥମିକ ବିଦ୍ୟାଳୟ ବହୁ ସମସ୍ୟା ଘେରରେ ରହିଛି । ଏହି ବିଦ୍ୟାଳୟର ୧ମ ରୁ ୫ମ ଶ୍ରେଣୀ ରହିଥିବା ବେଳେ ୪୨ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତ ମଳିକ ପ୍ରସୁତିକାଳିନ ନିମନ୍ତେ ଛୁଟିରେ ରହିଥିବା ବେଳେ ଅନ୍ୟ ୨ ଜଣ ଶିକ୍ଷୟିତ୍ରୀ ଦମୟନ୍ତି ନାୟକ ଓ ନମିତା ନାୟକ ପିଲାମାନଙ୍କ ପାଠପଢ଼ାରେ କର୍ତ୍ତବ୍ୟରତ ଅଛନ୍ତି।

ବିଡମ୍ବନାର ବିଷୟ ପିଲାମାନଙ୍କର ପାଠପଡା ପାଇଁ ୫ଟି କୋଠରୀର ଆବଶ୍ୟକତା ଥିବା ବେଳେ ରହିଛି ମାତ୍ର ୨ଟି କୋଠରୀ। ଯାହା ଫଳରେ ୨ଟି ଶ୍ରେଣୀ କକ୍ଷରେ ଛାତ୍ରଛାତ୍ରୀମାନେ ଏକାଠି ବସି ପାଠ ପଢିବାରେ ନାନା ବିଧ ସମସ୍ୟା ଘଟୁଥିବା ଦେଖିବାକୁ ମିଳୁଛି। ଏହାସହ ବିଦ୍ୟାଳୟକୁ ଲାଗିରହିଥିବା ଜଙ୍ଗଲ, ଲଟାବୁଦାର ଚତୁଃପାର୍ଶ୍ବରେ ପାଚେରୀ ନାହିଁ। ବଣ୍ୟ ଜିବଜନ୍ତୁଙ୍କର  ସଦାସର୍ବଦା ଅବାଧ ପ୍ରବେଶ ଲାଗିରହୁଛି। ଯାହାଫଳରେ ଛାତ୍ରଛାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ବିଦ୍ୟାଳୟ ହତା ମଧ୍ୟରେ ନଳକୂପ ନ ଥିବାରୁ ପାନୀୟ ଜଳର ଘୋର ସମସ୍ୟା ଉପୁଜୁଛି। ପିଲାମାନେ ପାଣି ପିଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଷେଇ ଗୃହ ନଥିବାରୁ ଏକ ପରିତ୍ୟକ୍ତ ସ୍ଥାନରେ ଖୋଲାମେଲାରେ ରୋଷେଇ ହେଉଛି। ବିଦ୍ୟାଳୟ ପରିସରରେ ଶିଳା ଖଣ୍ଡମାନ ରହିଥିବା ଯୋଗୁଁ ପିଲାମାନେ ଗମନା ଗମନର ଅସୁବିଧା ସାଙ୍ଗକୁ ଖେଳକୁଦରୁ ବଞ୍ଚିତ ହେଉଥିଭା ଅଭିଯୋଗ ହେଉଛି। ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିଦ୍ୟାଳୟରେ ରହିଥିବା ସମସ୍ୟା ଗୁଡିକୁ ତୁରନ୍ତ ସମାଧାନ କରିବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି।

Comments are closed.