ଆମିରଙ୍କ ବିଶ୍ବକପ ଖେଳିବା ନେଇ ଆଶଙ୍କା

କରାଚି: ଚଳିତବର୍ଷ ଜୁନରେ ଇଂଲଣ୍ଡରେ ଆୟୋଜିତ ହେବାକୁ ଯାଉଛି ଆଇସିସି ବିଶ୍ବକପ କ୍ରିକେଟ। ଏଥିପାଇଁ କେବଳ ନ୍ୟୁଜିଲାଣ୍ଡ ପକ୍ଷରୁ ୧୫ ଜଣିଆ ବିଶ୍ବକପ ଦଳ ଘୋଷଣା କରାଯାଇଥିବାବେଳେ ମେ’ ୨୩ ସୁଦ୍ଧା ଅନ୍ୟ ଦଳଗୁଡିକ ଘୋଷଣା ହେବାର ସମ୍ଭାବନା ରହିଛି। ତେବେ ପାକିସ୍ତାନର ଅନ୍ୟତମ ନିର୍ଭରଯୋଗ୍ୟ ଫାଷ୍ଟ ବୋଲର ମହମ୍ମଦ ଆମିର ବିଶ୍ବକପ ଦଳରେ ସ୍ଥାନ ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ବିଗତ କିଛି ବର୍ଷ ଧରି ଆମିରଙ୍କ ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ପାକ୍‌ ଅଧିନାୟକ ସର୍ଫରାଜ ଅହମ୍ମଦ ପ୍ରତିକୂଳ ମନ୍ତବ୍ୟ ଦେଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟିହୋଇଛି।
ନିକଟରେ ଏକ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତକାର ଦେଇ ସର୍ଫରାଜ କହିଛନ୍ତି ଯେ ଆମିର ନିୟମିତଭାବେ ୱିକେଟ ଅକ୍ତିଆର କରିପାରୁନଥିବାରୁ ତାଙ୍କୁ ନେଇ ଆଶଙ୍କା ପ୍ରକାଶ ପାଉଛି।

୨୦୧୭ରେ ଇଂଲଣ୍ଡର ଓଭାଲରେ ଖେଳାଯାଇଥିବା ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ଆମିର ୧୬ ରନରେ ୩ଟି ୱିକେଟ ଅକ୍ତିଆର କରି ଦଳକୁ ଚମ୍ପିଆନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତେବେ ତା’ ପରଠାରୁ ତାଙ୍କ ପ୍ରଦର୍ଶନ ନିମ୍ନଗାମୀ ହେବାରେ ଲାଗିଛି। ଚମ୍ପିଆନ୍ସ ଟ୍ରଫି ପରଠାରୁ ଆମିର ୧୪ଟି ଦିନିକିଆ ଖେଳି ସାରିଲେଣି। ଏହି ୧୪ଟି ମ୍ୟାଚରେ ସେ ଗୋଟିଏରୁ ଅଧିକ ୱିକେଟ ଅକ୍ତିଆର କରିବାରେ ବିଫଳ ହୋଇଛନ୍ତି। ପୁନଶ୍ଚ ତାଙ୍କର ଗତି ଓ ଷ୍ଟ୍ରାଇକ୍‌ ରେଟ୍‌ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ଆମିର ବିଶ୍ବକପ ଦଳରେ ସ୍ଥାନ ପାଇବା କଷ୍ଟକର ହୋଇପାରେ ବୋଲି ସର୍ଫରାଜ କହିଛନ୍ତି।

Comments are closed.