ଟ୍ରମ୍ପ-ମୋଦୀ ଭେଟ; ୪ ପ୍ରସଙ୍ଗରେ ହେଲା ଆଲୋଚନା

ଓସାକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ଦୁଇ ଦେଶର କେତେକ ପ୍ରସଙ୍ଗ ଉପରେ କିଛି ସମୟ ଧରି ଆଲୋଚନା ହୋଇଛି। ଲୋକସଭା ନିର୍ବାଚନରେ ମୋଦୀଙ୍କ ବିଜୟ ନେଇ ଟ୍ରମ୍ପ ଶୁଭେଚ୍ଛା ଜଣାଇଥିବାରୁ ମୋଦୀ ତାଙ୍କୁ ଧନ୍ୟବାନ ଜ୍ଞାପନ କରିଥିଲେ। ମୋଦୀ କହିଥିଲେ ଭାରତ ପ୍ରତି ଆପଣଙ୍କର ଭଲପାଇବା ରହିଛି। ସେଥିପାଇଁ ମୁଁ କୃତଜ୍ଞ।

ଦ୍ବିପାକ୍ଷିକ ଆଲୋଚନା ପରେ ବିଦେଶ ସଚିବ ବିଜୟ ଗୋଖଲେ କହିଛନ୍ତି ଯେ, ମୋଦୀ ୪ଟି ପ୍ରମୁଖ ପ୍ରସଙ୍ଗ ଉପରେ ଟ୍ରମ୍ପଙ୍କ ସହିତ ଆଲୋଚନା କରିଥିଲେ। ସେଗୁଡ଼ିକ ହେଉଛି ଇରାନ, ୫ଜି, ଦିପକ୍ଷୀୟ ଏବଂ ପ୍ରତିରକ୍ଷା। ତେବେ ଏସ-୪୦୦ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇ ନ ଥିଲା। ସେହିପରି ଆମେରିକା-ଭାରତ-ଜାପାନ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହୋଇଛି। ଏଥିରେ ଗୁରୁତ୍ଵପୂର୍ଣ୍ଣ ଇଣ୍ଡୋ-ପାସିଫିକ ପ୍ରସଙ୍ଗ ରହିଥିଲା। ୩ ଦେଶ ମଧ୍ୟରେ କିପରି ଯୋଗାଯୋଗକୁ ସୁଦୃଢ଼ କରାଯାଇପାରିବ ଏବଂ ଏହା ସହିତ ଶାନ୍ତି ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ଆଲୋଚନା ହୋଇଥିଲା।

ସୂଚନାଯୋଗ୍ୟ, ଭାରତର ବଡ଼ ପ୍ରସଙ୍ଗ ହେଉଛି ଇରାନଠାରୁ ତୈଳ ଆମଦାନୀ। ବତ୍ତର୍ମାନ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାରୁ ଆମେରିକା ଇରାନ ଉପରେ ନୂଆ ପ୍ରତିବନ୍ଧକ ଲାଗୁ କରିଛି। ଏହାର ସିଧାସଳଖ ପ୍ରଭାବ ଭାରତ ଉପରେ ପଡ଼ୁଛି। ଭାରତକୁ ଆବଶ୍ୟକ ହେଉଥିବା ତୈଳର ସବୁଠାରୁ ବଡ଼ ଭାଗ ଇରାନଠାରୁ ଆମଦାନୀ କରାଯାଇଥାଏ। କିନ୍ତୁ ଆମେରିକାର ପ୍ରତିବନ୍ଧକ ଉପରେ ଭାରତ ପ୍ରଭାବିତ ହୋଇପାରେ। ତେବେ ଆମେରିକା ଭାରତକୁ ଭରସା ଦେଇଛି ଯେ ତୈଳ ଯୋଗାଣ କମ୍‌ ହେବାକୁ ଦିଆଯିବ ନାହିଁ।

Comments are closed.