ମୋଦୀଙ୍କୁ ଟ୍ରମ୍ପଙ୍କ ଫୋନ୍‌: ଜି-୭, ସୀମା ବିବାଦ ଆଲୋଚନା

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜି-୭ ରାଷ୍ଟ୍ର ସମ୍ମିଳନୀରେ ଯୋଗ ଦେବା ଲାଗି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି। ମଙ୍ଗଳବାର ଟ୍ରମ୍ପ ଟେଲିଫୋନ କରି ମୋଦୀଙ୍କୁ ଏହି ନିମନ୍ତ୍ରଣ କରିଛନ୍ତି। ଆସନ୍ତା ସେପ୍ଟେମ୍ବରରେ ଆମେରିକାରେ ଏହି ବୈଠକ ହେବ। ଏହା ଜୁନ୍‌ରେ ହେବାକୁ ଥିବାବେଳେ କରୋନା ପାଇଁ ସ୍ଥଗିତ ରହିଥିଲା। ଟ୍ରମ୍ପଙ୍କ ସହିତ ଟେଲିଫୋନ କଥାବାର୍ତ୍ତା ହୋଇଥିବା ବିଷୟ ମୋଦୀ ସ୍ପଷ୍ଟ କରିଛନ୍ତି। କଥାବାର୍ତ୍ତା କାଳରେ ଜି-୭, କୋଭିଡ-୧୯, ଭାରତ-ଚୀନ ସୀମା ବିବାଦ ଓ ଅନ୍ୟାନ୍ୟ ପ୍ରସଙ୍ଗ ଆଲୋଚନା ହୋଇଥିବା ମୋଦୀ କହିଛନ୍ତି। ଆମେରିକା ହିଂସାକୁ ନେଇ ମୋଦୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଶ୍ୱର ପ୍ରମୁଖ ଆର୍ଥିକ ବିକାଶଶୀଳ ରାଷ୍ଟ୍ରକୁ ନେଇ ଗଠିତ ଜି-୭ ରାଷ୍ଟ୍ର ଗୋଷ୍ଠୀକୁ ସମ୍ପ୍ରସାରଣ କରିବା ଲାଗି ଟ୍ରମ୍ପ ପ୍ରସ୍ତାବ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଜି-୭ ଏକ ପୁରୁଣା ଗୋଷ୍ଠୀ। ବିଶ୍ୱରେ ଘଟୁଥିବା ସମସ୍ୟାଗୁଡିକର ଏହା ସଠିକ ପ୍ରତିନିଧିତ୍ୱ କରେ ନାହିଁ। ଏହି ଗୋଷ୍ଠୀରେ ଭାରତ ସହିତ ରୁଷ୍, ଅଷ୍ଟ୍ରେଲିଆ ଓ ଦକ୍ଷିଣ କୋରିଆକୁ ସାମିଲ କରାଯିବା ଦରକାର। ଜି-୭ ଗୋଷ୍ଠୀରେ ଏବେ ଆମେରିକା, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଏବଂ ବ୍ରିଟେନ ସଦସ୍ୟ ଅଛନ୍ତି। ଗତବର୍ଷ ଅଗଷ୍ଟରେ ଫ୍ରାନ୍ସରେ ଜି-୭ ବୈଠକ ହୋଇଥିବାବେଳେ ମୋଦୀ ଏଥିରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ତାଙ୍କୁ ସ୍ବତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରିଥିଲେ। ୧୯୭୫ରେ ଜି-୭ ରାଷ୍ଟ୍ର ଗୋଷ୍ଠୀ ଗଠନ କରାଯାଇଥିଲା। ୧୯୭୭ରେ କାନାଡା ଏହାର ସଦସ୍ୟ ହୋଇଥିଲା।

Comments are closed.