ଗୁରୁଦ୍ୱାର ରକାବ ଗଞ୍ଜରେ ଅଚାନକ ପହଁଚିଲେ ମୋଦୀ, ଗୁରୁ ତେଗ ବାହାଦୂରଙ୍କୁ ଅର୍ପଣ କଲେ ଶ୍ରଦ୍ଧାଞ୍ଜଳି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ହଠାତ୍ ଦିଲ୍ଲୀର ଗୁରୁଦ୍ୱାର ରକାବ ଗଞ୍ଜ ସାହିବରେ ପହଞ୍ଚି ଗୁରୁ ତେଗ ବାହାଦୂରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜି ଗୁରୁ ତେଗ ବାହାଦୂରଙ୍କ ଶହୀଦ ଦିବସ। ଦିଲ୍ଲୀ ସୀମାରେ ପଞ୍ଜାବ-ହରିୟାଣା କୃଷକଙ୍କ ସକ୍ରିୟ ଆନ୍ଦୋଳନ ସମୟରେ ଗୁରୁଦ୍ୱାର ରକାବ ଗଞ୍ଜରେ ପ୍ରଧାନମନ୍ତ୍ରୀଙ୍କ ପହଂଚିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁରୁଦ୍ୱାର ରକାବ ଗଞ୍ଜ ଗସ୍ତ ସମୟରେ କୌଣସି ପୁଲିସ ବ୍ୟବସ୍ଥା କରାଯାଇନଥିଲା କିମ୍ବା ଟ୍ରାଫିକ କଟକଣା ମଧ୍ୟ ନ ଥିଲା।


୧୬୨୧ ମସିହାରେ ଜନ୍ମ ଗ୍ରହଣ କରିଥିବା ନବମ ଶିଖ ଗୁରୁ ତେଗ ବାହାଦୂର ୧୬୭୫ ମସିହାରେ ଦିଲ୍ଲୀରେ ସହିଦ ହୋଇଥିଲେ। ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ‘ଶ୍ରୀ ଗୁରୁ ତେଗ ବାହାଦୂର ଜୀ ସାହସ ଏବଂ କରୁଣାର ପ୍ରତୀକ। ଗୁରୁ ତେଗ ବାହାଦୂରଙ୍କ ଶହୀଦ ଦିବସରେ ମୁଁ ତାଙ୍କୁ ପ୍ରଣାମ କରୁଛି।’

ଗୁରୁ ତେଗ ବାହାଦୂର ଶିଖମାନଙ୍କ ଦଶ ଜଣ ଗୁରୁଙ୍କ ମଧ୍ୟରୁ ନବମ ଥିଲେ। ସେ ୧୭ତମ ଶତାବ୍ଦୀରେ (୧୬୨୧ରୁ ୧୬୭୫) ଶିଖ ଧର୍ମର ପ୍ରଚାର କରିଥିଲେ। ସେ ମଧ୍ୟ ଦଶମ ଗୁରୁ ଗୋବିନ୍ଦ ସିଂଙ୍କ ପିତା ଥିଲେ। ଶିଖ ଗୁରୁ ଭାବରେ ତାଙ୍କର କାର୍ଯ୍ୟକାଳ ୧୬୬୫ରୁ ୧୬୭୫ ପର୍ଯ୍ୟନ୍ତ ଚାଲିଥିଲା। ଧର୍ମ ପ୍ରଚାର ପାଇଁ ସେ ଉତ୍ତର ଏବଂ ପୂର୍ବ ଭାରତ ଭ୍ରମଣ କରିଥିଲେ। ସେ ମୋଗଲ ସାମ୍ରାଜ୍ୟର ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ନିଜ ଅନୁଗାମୀଙ୍କ ବିଶ୍ୱାସ ଏବଂ ଧାର୍ମିକ ସ୍ୱାଧୀନତା ଅଧିକାର ରକ୍ଷା କରିବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ।

Comments are closed.