୮୦ କୋଟି ବିପିଏଲ ଲୋକଙ୍କୁ ଅଧିକ ୨କିଲୋ ଖାଦ୍ୟଶସ୍ୟ

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣ ଜନିତ ତାଲାବନ୍ଦ ପରିସ୍ଥିତିରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା (ବିପିଏଲ) ପରିବାର ଗୁଡିକ ଯେଭଳି ଅତ୍ୟାବଶ୍ୟକ ସାମଗ୍ରୀ ପାଇବାରେ କୌଣସି ସମସ୍ୟାର ସମ୍ମୁଖୀନ ନ ହେବେ ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ ବିପିଏଲ ପରିବାରଗୁଡିକୁ ମାସକୁ ମୁଣ୍ଡପିଛା ୫ କିଲୋ ସ୍ଥାନରେ ଆଉ ଅଧିକ ୨ କିଲୋଗ୍ରାମ (ମୋଟ ୭ କିଲୋ) ଚାଉଳ, ଗହମ ରିଆତି ମୂଲ୍ୟରେ ଦିଆଯିବ। ଏଥିରେ ପ୍ରାୟ ୮୦ କୋଟି ଗରିବ ଲୋକ ଉପକୃତ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ବିପିଏଲ ପରିବାର ଗୁଡିକୁ ପ୍ରତିମାସରେ ୫ କିଲୋଗ୍ରାମ ଖାଦ୍ୟଶସ୍ୟ ଯୋଗାଇ ଦେଉଛନ୍ତି। କରୋନା ସଂକ୍ରମଣ ଓ ଲକ୍‍ଡାଉନ ପରିସ୍ଥିତିରେ ଏହା ପରିବାର ପିଛା ୭ କିଲୋଗ୍ରାମକୁ ବୃଦ୍ଧି କରାଯାଇଛି। ସରକାର ଏହିଭଳି ପରିବାରଗୁଡିକୁ ଗହମ କିଲୋ ପିଛା ୨ଟଙ୍କା ଏବଂ ଚାଉଳ କିଲୋପିଛା ୩ ଟଙ୍କାରେ ଯୋଗାଇ ଦେଉଛନ୍ତି। ସୂଚନାଯୋଗ୍ୟ ଯେ ଗହମର ବଜାର ଦର କିଲୋ ପିଛା ୨୭ଟଙ୍କା ଏବଂ ଚାଉଳ ଦର କିଲୋପିଛା ୩୨ ଟଙ୍କା ରହିଛି। ପିଡିଏସ୍‍ରେ ବଣ୍ଟନ ନିମନ୍ତେ କେନ୍ଦ୍ର ନିକଟରୁ ଆଗୁଆ ଖାଦ୍ୟଶସ୍ୟ ସଂଗ୍ରହ କରିବାକୁ ରାଜ୍ୟ ଗୁଡିକୁ ପରାମର୍ଶ ଦିଆଯାଇଛି। ଏଥିସହିତ ଠିକା ଶ୍ରମିକଙ୍କୁ ମଧ୍ୟ ସେମାନଙ୍କ ମଜୁରି ପ୍ରଦାନ କରାଯିବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶରେ ୨୧ ଦିନିଆ ଲକ୍‍ଡାଉନ ଘୋଷଣାର ପ୍ରଥମ ଦିନରେ କେନ୍ଦ୍ର କ୍ୟାବିନେଟ କମିଟି ବୈଠକ ବସି ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।
ଏହି ଅବସରରେ ସେ କହିଛନ୍ତି ଯେ ଦେଶର ଆଞ୍ଚଳିକ ଗ୍ରାମ୍ୟବ୍ୟାଙ୍କଗୁଡିକୁ ପୁନଃ ପାଣ୍ଠିଯୋଗାଣ କରାଯିବ। ସେଥିପାଇଁ କେନ୍ଦ୍ର ସରକାର ମୋଟ ୧୩୪୦କୋଟି ଟଙ୍କା ବରାଦ କରିଛନ୍ତି। ସେଥିମଧ୍ୟରୁ ସରକାର ୬୭୦କୋଟି ଟଙ୍କା ଦେବେ ଏବଂ ଅବଶିଷ୍ଟ ବିଭିନ୍ନ ବ୍ୟାଙ୍କ ଗୁଡିକରୁ ଦିଆଯିବ। ଏଥିସହିତ ସେ କହିଥିଲେ ଯେ ରପ୍ତାନି କରାଯାଉଥିବା ଉତ୍ପାଦ ଉପରେ ଟିକସ ଓ ଶୁଳ୍କ ଛାଡ ଯୋଜନା କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ପୋଷାକ ରପ୍ତାନି ଉପରେ ଟିକସ ରିଆତିକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ସାମ୍ବାଦିକଙ୍କୁ ସୂଚନା ଦେଇ ଶ୍ରୀ ଜାଭଡେକର କହିଥିଲେ, ଏପ୍ରିଲ ୧ ତାରିଖରୁ ପୋଷାକ ଏବଂ ଆନୁଷଙ୍ଗିକ ଉତ୍ପାଦିତ ସାମଗ୍ରୀ ରପ୍ତାନି କ୍ଷେତ୍ରରେ କେନ୍ଦ୍ରୀୟ ଟିକସ ଓ ଅତିରିକ୍ତ ଶୁଳ୍କରେ ରିଆତି ପ୍ରଦାନ କରାଯାଉଥିବାବେଳେ ତାହାର ଅବଧିକୁ ବୃଦ୍ଧି କରାଯାଇଛି। ରପ୍ତାନି କରାଯାଉଥିବା ଉତ୍ପାଦ ଉପରେ ଟିକସ ଓ ଶୁଳ୍କ ଛାଡ଼ ଯୋଜନା କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ଏହି ରିଆତି ବ୍ୟବସ୍ଥା ବଳବତ୍ତର ରହିବ।

Comments are closed.