ମୋଦୀ ୨.୦.୧ : ସୁଧାର ଓ ବିଶ୍ବାସର ପ୍ରତିଫଳନ

ଲକ୍ଷ୍ୟ ପୂରଣ ଦିଗରେ ସରକାର ନିଜ ସଂକଳ୍ପକୁ ଅଧିକ ଦୃଢ଼ କରୁଛନ୍ତି

୨୦୧୯ ସାଧାରଣ ନିର୍ବାଚନରେ ବିପୁଳ ଜନମତ ତଥା ଅତୀତରେ ହୋଇଥିବା ବିଭିନ୍ନ ସର୍ବେକ୍ଷଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଲୋକଙ୍କର ବିଶ୍ୱାସଭାଜନ ହୋଇପାରିଥିବା ନେଇ ପୂର୍ବରୁ ଅନେକ ରିପୋର୍ଟ ପ୍ରକାଶ ପାଇଛି। ଏବେ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷ ପୂର୍ତ୍ତି ହୋଇଥିବାବେଳେ ଏହା ମୋଦୀ ସରକାରଙ୍କ ଦୃଢ଼ ପ୍ରତିଶ୍ରୁତିବଦ୍ଧତାକୁ ଦେଖାଇଛି। ‘ତିନି ତଲାକ’ ଭଳି ରୂଢ଼ିବାଦୀ ପ୍ରଥାଠାରୁ ଆରମ୍ଭ କରି, ଧାରା ୩୭୦ ଉଚ୍ଛେଦ, ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଇତ୍ୟାଦି ଭଳି ନିଜର ଘୋଷଣାପତ୍ରରେ ଥିବା ପ୍ରତିଶ୍ରୁତିଗୁଡ଼ିକ ପୂରଣ କରି ଦେଖାଇଛି ମୋଦୀ ୨.୦.୧, ଯାହା ଭାରତୀୟ ଇତିହାସରେ ବୃହତ୍‌ ଐତିହାସିକ ପଦକ୍ଷେପ ଭାବେ ଲିପିବଦ୍ଧ ରହିବ।
ବାସ୍ତବରେ ମୋଦୀ ୨.୦.୧ର ପ୍ରଥମ ୧୦୦ଦିନରେ ହିଁ ସରକାରଙ୍କ ପ୍ରଭାବଶାଳୀ ପଦକ୍ଷେପ ଦେଶରେ ସାମାଜିକ ସୁଧାରକୁ ତ୍ୱରାନ୍ୱିତ କରିଥିଲା। ଏହାର ଏକ ବଡ଼ ଉଦାହରଣ ହେଉଛି ମୁସଲମାନ ମହିଳାଙ୍କୁ ସମ୍ମାନର ଅଧିକାର ଦେବାକୁ ଯାଇ ‘ତିନି ତଲାକ’ ପ୍ରଥାକୁ ହଟାଯିବା। ବହୁମତ ଆଧାରରେ ସଂସଦରେ ‘ତିନି ତଲାକ’କୁ ଦଣ୍ଡନୀୟ ଅପରାଧ ଘୋଷଣା କରାଯିବା ପରେ ମୋଦୀ ସରକାର ମୁସଲମାନ ମହିଳାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇଥିଲା। ଏହାପରେ ସମ୍ବିଧାନର ଅସ୍ଥାୟୀ ଧାରା ୩୭୦କୁ ହଟାଯାଇ, ଜାମ୍ମୁ ଏବଂ କାଶ୍ମୀରକୁ ଭାରତରେ ସମ୍ମିଳିତ କରାଇବା ମୋଦୀ ସରକାରଙ୍କ ୨.୦.୧ ସମୟର ସବୁଠାରୁ ବୃହତ୍‌ ସାହସିକ ପଦକ୍ଷେପ ଥିଲା। ଦୀର୍ଘ ୭୦ ବର୍ଷ ଧରି ଯେଉଁ ପଦକ୍ଷେପ ନିଆ ହୋଇପାରୁ ନ ଥିଲା, ତାହା ମୋଦୀ ସରକାର କରି ଦେଖାଇଲେ। ଯଦିଓ ଏହା ବିଜେପିର ନିର୍ବାଚନୀ ଘୋଷଣାପତ୍ରରେ ରହିଥିଲା ଓ ସରକାର ପ୍ରତିଶ୍ରୁତି ପାଳନ କଲେ ବୋଲି କୁହାଯାଇପାରିବ, ତଥାପି ଏହା ରାଷ୍ଟ୍ରୀୟ ଏକତାକୁ ଅକ୍ଷୁଣ୍ଣ ରଖିବାର ଏବଂ ଜାମ୍ମୁ ଓ କାଶ୍ମୀରର ବିକାଶକୁ ସୁନିଶ୍ଚିତ କରିବାର ଲକ୍ଷ୍ୟକୁ ପୂରଣ କରୁଛି ବୋଲି ଯେକୌଣସି ନିରପେକ୍ଷ ସମୀକ୍ଷକ ନିଶ୍ଚିତ ମାନିବେ।
ଏହି ଐତିହାସିକ ନିଷ୍ପତ୍ତି ନେଇଥିବା ମୋଦୀ ସରକାରଙ୍କ ସହ କୋଟିକୋଟି ଭାରତୀୟ ଅଛନ୍ତି ବୋଲି ସେତେବେଳେ ଜଣାପଡ଼ିଲା, ଯେତେବେଳେ ଏହାର ଉତ୍ସବ ମନାଇବାକୁ ହଜାରହଜାର ଭାରତୀୟ ରାସ୍ତାକୁ ଓହ୍ଲାଇଲେ। ଲଦାଖର ଜନତା ଅନୁଭବ କଲେ ଯେ ଏବେ ସେମାନେ ବି ବିକାଶ ଅଭିମୁଖେ ଅଗ୍ରସର ହେଉଛନ୍ତି। ଦେଶବ୍ୟାପୀ ୫୦୦ରୁ ଊର୍ଦ୍ଧ୍ବସ୍ଥାନରେ ବିଜେପିର ରାଷ୍ଟ୍ରୀୟ ଏକତା ଅଭିଯାନ ମଧ୍ୟ ଜନତାଙ୍କ ସମର୍ଥନ ସାଉଁଟିଥିଲା। ଏହି ପଦକ୍ଷେପ ସମ୍ପୂର୍ଣ୍ଣ ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିବାର କାର୍ଯ୍ୟକଲା। ଏପରିକି ପାକିସ୍ତାନ ଏନେଇ ଆଙ୍ଗୁଳି ଉଠାଇବା ଦେଖି ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଭାରତର ଏହି ପଦକ୍ଷେପକୁ ବ୍ୟକ୍ତିଗତ ମାମଲା କୁହାଯାଇ ସମର୍ଥନ କରାଗଲା।
ଯେତେବେଳେ ମୋଦୀ ସରକାର ଦଳୀୟ ଘୋଷଣାପତ୍ରର ଆଉ ଏକ ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ୩ ପଡ଼ୋଶୀ ଦେଶ ପାକିସ୍ତାନ, ଆଫ୍‌ଗାନିସ୍ତାନ ଓ ବାଂଲାଦେଶରୁ ନିର୍ଯାତିତ ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବା ଲାଗି ନାଗରିକତ୍ୱ ସଂଶୋଧନ ଆଇନ ଆଣିଲେ, ସେତେବେଳେ ମୋଦୀ ସରକାରଙ୍କ ଉପଲବ୍ଧିଗୁଡ଼ିକରେ ଆଉ ଏକ ପଦକ୍ଷେପ ସାମିଲ ହୋଇଗଲା। ନେହେରୁ-ଲିଆକତ ଚୁକ୍ତି, ଯାହା ନିଜନିଜ ଦେଶରେ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବା ଉପରେ କରାଯାଇଥିଲା, ତାହାର ପ୍ରାବଧାନ ଅନୁଯାୟୀ ଧର୍ମକୁ ପ୍ରାଧାନ୍ୟ ଦେଉଥିବା ୩ ପଡ଼ୋଶୀ ଦେଶରେ ନିର୍ଯାତିତ ସଂଖ୍ୟାଲଘୁଙ୍କ ପାଇଁ ସିଏଏରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଗଲା। ଅବଶ୍ୟ ଏହାକୁ କିଛି ବିରୋଧୀ, ଅଧା ତଥ୍ୟ ଦେଖାଇ, ତଥାକଥିତ ଭାବେ ଭ୍ରାନ୍ତ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ପ୍ରତିନିଧିତ୍ୱ କରୁଥିବା ଦଳର ବରିଷ୍ଠ ନେତାମାନେ ମଧ୍ୟ ପୂର୍ବରୁ ଏହାକୁ ସମର୍ଥନ କରିଛନ୍ତି ବୋଲି ପ୍ରମାଣ ସାମ୍ନାକୁ ଆସିବାପରେ ସେମାନଙ୍କ ଚେଷ୍ଟା ବିଫଳ ହେଲା। ସିଏଏ ପୁଣି ଥରେ ମୋଦୀ ସରକାରଙ୍କ ଦୃଢ଼ ସଂକଳ୍ପକୁ ସାବ୍ୟସ୍ତ କରାଇଲା। କେବଳ ଏତିକି ନୁହେଁ, ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ସରକାର ରାମ ଜନ୍ମଭୂମି ଟ୍ରଷ୍ଟ ଗଠନ କଲେ। ଲୋକସଭାରେ ଏନେଇ ଘୋଷଣା କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ ରହୁଥିବା ସମସ୍ତ ସମୁଦାୟ ଏକ ବଡ଼ ପରିବାରର ସଦସ୍ୟ ଓ ଆମର ସଂସ୍କୃତି, ପରମ୍ପରା, ‘ବସୁଧୈବ କୁଟୁମ୍ବକମ’ ଏବଂ ‘ସର୍ବେ ଭବନ୍ତୁ ସୁଖିନଃ’ର ଆଦର୍ଶ ପଥରେ ଆଗକୁ ବଢ଼ିବାକୁ ଆମକୁ ପ୍ରେରଣା ଦେଉଛି ବୋଲି କହିଥିଲେ। ଏହା କହି ସେ କୌଣସି ଏକ ଧର୍ମକୁ ନୁହେଁ, ବରଂ କେବଳ ଭାରତୀୟ ହେବାର ମହାନତାକୁ ଦର୍ଶାଇଥିଲେ। ତାଙ୍କର ଏହି ଗୁଣ ରାଜନେତାଙ୍କ ମଧ୍ୟରେ କ୍ୱଚିତ ଦେଖିବାକୁ ମିଳିଥାଏ ବୋଲି ଯେ କେହି ନିରପେକ୍ଷ ବ୍ୟକ୍ତି କହିପାରିବେ।
ସେହିପରି ‘ସ୍ୱଚ୍ଛ ଭାରତ ଅଭିଯାନ’, ଥରେ ମାତ୍ର ବ୍ୟବହାର ହୋଇପାରୁଥିବା ପ୍ଲାଷ୍ଟିକ ନିଷେଧ, ଜଳ ସଂରକ୍ଷଣ ସଚେତନତା ସୃଷ୍ଟି, ‘ଫିଟ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ଇତ୍ୟାଦି ବିଶ୍ୱସ୍ତରୀୟ ମଞ୍ଚରେ ଭାରତକୁ ଲୋକପ୍ରିୟ କରାଇଛି। ଏହିପରି ଗୋଟିଏ ପରେ ଗୋଟିଏ ଉଲ୍ଲେଖନୀୟ ପଦକ୍ଷେପ ନେଉଥିବା ସମୟରେ କୋଭିଡ୍-୧୯ ଭଳି ବିଶ୍ୱ ମହାମାରୀ, ଯାହା ଏବେ ଆମ ଜୀବନର ଏକ ଅଂଶ ହୋଇଯାଇଛି, ତାହାର ମୁକାବିଲା କରିବାରେ ମଧ୍ୟ ଭାରତ ସରକାରଙ୍କ ପଦକ୍ଷେପ ଅଦ୍ୱିତୀୟ ବୋଲି ଗ୍ରହଣ କରାଯାଇଛି। ଜାନୁଆରୀରେ ଏହି ସଂକଟ ବିଷୟରେ ଜଣାପଡ଼ିବା ପରେ ଭାରତ ସରକାର ଏକ ବିପର୍ଯ୍ୟୟ ପରିଚାଳନା ଦଳ ସ୍ଥାପନ କରି ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିଲେ। ସେହିଦିନଠାରୁ ଚାଇନାରୁ ବିମାନ ଆସିବା ଉପରେ ରୋକ, ବିଦେଶୀ ନାଗରିକଙ୍କ ସ୍କ୍ରିନିଂ, କ୍ୱାରେଣ୍ଟାଇନରେ ରଖିବା, ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ଧୀରେଧୀରେ ବୃଦ୍ଧି ପାଇଥିଲା।
ଏହାପରେ ସମସ୍ତଙ୍କ ପାଇଁ ଏକ ଗ୍ରହଣୀୟ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଥମେ ‘ଜନତା କର୍ଫ୍ୟୁ’ ଓ ପରେ ୨୧ ଦିନ ପର୍ଯ୍ୟନ୍ତ ଜାତୀୟ ଲକଡାଉନ୍ ଘୋଷଣା କରାଗଲା ତଥା ଏହାର ସମ୍ପ୍ରସାରଣ ଭଳି କଠୋର, କିନ୍ତୁୁ ଅପରିହାର୍ଯ୍ୟ ନିଷ୍ପତ୍ତି ନିଆଗଲା। ଏହାର ଫଳାଫଳ ମଧ୍ୟ ସ୍ପଷ୍ଟ ହୋଇଛି; ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁଯାୟୀ ପ୍ରାୟ ୨୧୬ଟି ଜିଲା କରୋନାମୁକ୍ତ ହୋଇସାରିଛନ୍ତି ଓ ୬୦,୪୯୦ ରୋଗୀ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଲୋକଙ୍କ ହାର ୪୦.୬୧%କୁ ବୃଦ୍ଧି ପାଇଛି। ୮୦% ମାମଲା ୫ଟି ସହରରେ ସୀମିତ ରହିଛି। ଆମେରିକା, ଜର୍ମାନୀ, ଇଟାଲୀ, ଲଣ୍ଡନ ଭଳି ଉନ୍ନତ ସ୍ୱାସ୍ଥ୍ୟ ସେବା ରହିଥିବା ଦେଶଗୁଡ଼ିକ ତୁଳନାରେ ଭାରତର ପ୍ରଦର୍ଶନ ଭଲ ରହିଛି ଓ ବିଶ୍ୱସ୍ତରରେ ପ୍ରଶଂସିତ ହୋଇଛି। ଲକଡାଉନ ପ୍ରଭାବ ଉପରେ ବିଶେଷଜ୍ଞ ଓ ସରକାରଙ୍କ ସଦ୍ୟତମ ରିପୋର୍ଟ ଅନୁଯାୟୀ କୋଭିଡ ମାମଲା ୧୪-୨୯ ଲକ୍ଷ କମାଇ ଦିଆଯାଇଥିବାବେଳେ ୩୭୦୦୦-୭୮୦୦୦ ଜୀବନ ରକ୍ଷା ହୋଇପାରିଛି।
କରୋନା ସଂକଟର ମୁକାବିଲା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ୯୩% ଲୋକ ବିଶ୍ୱାସ କରୁଛନ୍ତି ବୋଲି ଗତ ମାସରେ ଏକ ଜାତୀୟ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ସର୍ଭେ ଅନୁସାରେ ମାର୍ଚ୍ଚ ୨୫ରେ ଘୋଷଣା ହୋଇଥିବା ଲକ୍‌ଡାଉନକୁ ୭୬.୮% ଲୋକ ବିଶ୍ୱାସ କରିଥିବାବେଳେ ଏପ୍ରିଲ ୨୧ ସୁଦ୍ଧା ମୋଦୀ ସରକାରଙ୍କ ଉପରେ ବିଶ୍ୱାସ ହାର ବୃଦ୍ଧି ପାଇ ପହଞ୍ଚିଥିଲା ୯୩.୫%ରେ, ଯାହା ଏକ ବିଶାଳ ରେକର୍ଡ ବୋଲି କୁହାଯାଇପାରେ।
ଅନ୍ୟପଟେ ଗଣତାନ୍ତ୍ରିକ ଦେଶଗୁଡ଼ିକରେ କଠୋର ନିଷ୍ପତ୍ତି ନେବା ସହଜ କଥା ନୁହେଁ। ବିବିଧତାପୂର୍ଣ୍ଣ ଭାରତରେ ହୁଏତ ଏହି ନିଷ୍ପତ୍ତି ଯୋଗୁଁ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିପାରିଥାନ୍ତେ, କିନ୍ତୁ ଏହି ସମୟରେ ଦେଶକୁ ଏପରି ଜଣେ ନେତାଙ୍କର ଆବଶ୍ୟକତା ଥିଲା, ଯିଏ ଜନତାଙ୍କ ସହ ଯୋଗାଯୋଗ କରିବାରେ ଉତ୍କୃଷ୍ଟ,ବିଶେଷକରି ସଂକଟ ସମୟରେ। ଏହା ହିଁ ହେଉଛି ଭାରତର ପ୍ରଧାନମନ୍ତ୍ରୀଙ୍କ ବୈଶିଷ୍ଟ୍ୟ। ଦେଶ ଏକ ବଡ଼ ସଂକଟ ଦେଇ ଗତି କରୁଥିବାବେଳେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବାରମ୍ବାର ସମ୍ବୋଧନ କରି କରୋନା ବିରୋଧୀ ଲଢ଼େଇ ପାଇଁ ମନୋବଳ ବଢ଼ାଇଥିଲେ, ଯାହା ମହତ୍ତ୍ବପୂର୍ଣ୍ଣ ଥିଲା। ପୂର୍ବରୁ ମଧ୍ୟ ଭାରତ ଅନେକ ବୃହତ୍‌ ଜନଆନ୍ଦୋଳନ ଦେଖିଛି, କିନ୍ତୁ ସେସବୁ ରାଜନୈତିକ ଥିଲା। ପ୍ରଥମଥର ପାଇଁ ଭାରତରେ ଏପରି ଦେଖାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ଡାକରାରେ ବୃହତ୍‌ ସଂଖ୍ୟକ ନାଗରିକ ଶାନ୍ତିପୂର୍ଣ୍ଣ ଭାବେ ଏକାଠି ହୋଇଛନ୍ତି। ଏକ ସାମାଜିକ କାରଣ ପାଇଁ ଲକ୍ଷଲକ୍ଷ ଲୋକଙ୍କୁ ଏକାଠି କରିବାକୁ ପ୍ରଧାନମନ୍ତ୍ରୀଙ୍କ ଉତ୍ସାହ ଓ ଏହାର ଶକ୍ତି ଅନେକଥର ପ୍ରଦର୍ଶିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ପ୍ରାୟ ୧୦ ନିୟୁତରୁ ଊର୍ଦ୍ଧ୍ବଲୋକ ରିଆତିଯୁକ୍ତ ଗ୍ୟାସ ସିଲିଣ୍ଡର ସ୍ୱେଚ୍ଛାକୃତ ଭାବେ ତ୍ୟାଗ କରିବା ଏହାର ଏକ ବୃହତ୍‌ ଉଦାହରଣ ହୋଇପାରେ।
କେବଳ ଏତିକି ନୁହେଁ, ଲକ୍ଷଲକ୍ଷ ସ୍ୱେଚ୍ଛାସେବୀ ଅଭାବୀ ଲୋକଙ୍କ ପାଖରେ ପହଞ୍ଚିଛନ୍ତି ଓ ଅନେକ ସାହାଯ୍ୟ ଆବଶ୍ୟକ କରୁଥିବା ଲୋକଙ୍କ ସମ୍ପର୍କରେ ଅଛନ୍ତି। ଭାରତର ସ୍ଥିତି ଉପରେ ଦୃଷ୍ଟି ରଖିଥିବା ଘରୋଇ ଓ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଆସ୍ଥା ପ୍ରକଟ କରିଛନ୍ତି। ଏହି ମହାମାରୀକୁ ନିୟନ୍ତ୍ରଣ କରିବାରେ ବହୁତ ବଡ଼ବଡ଼ ଦେଶ ତୁଳନାରେ ଭାରତ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି ବୋଲି ଏଥିରୁ ପ୍ରତିଫଳିତ ହୋଇଛି। ଏହି ସମୟରେ ଅଧିକାଂଶ ବିରୋଧୀ ଭାରତର ଆର୍ଥିକସ୍ଥିତି ନେଇ ସମାଲୋଚନା ଆରମ୍ଭ କରିବା ବେଳକୁ ମୋଦୀ ସରକାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ଯାହାକି ଦେଶର ମୋଟ ଜିଡିପିର ୧୦%। ଏହି ପ୍ୟାକେଜରେ ଶ୍ରମିକ, କୃଷକ, ମଧ୍ୟମ ବର୍ଗ, ଉଦ୍ୟୋଗୀ ଜଗତ, କୁଟୀର ଶିଳ୍ପ, ଲଘୁ ଉଦ୍ୟୋଗ, ଗରିବ, ପ୍ରବାସୀ ଶ୍ରମିକ, ଉଠା ଦୋକାନୀ, ମତ୍ସ୍ୟଜୀବୀ ଆଦି ସମସ୍ତଙ୍କ ପାଇଁ ସହାୟତା ଓ ସ୍ୱତନ୍ତ୍ର ସୁବିଧା ଦେଶର ଆର୍ଥିକ ସ୍ଥିତିକୁ ସୁଧାରିବାରେ ଦୀର୍ଘମିଆଦୀ ସାବ୍ୟସ୍ତ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏଥିସହ ଏହି ପ୍ୟାକେଜ ଦେଶକୁ ଆତ୍ମନିର୍ଭରଶୀଳ କରିବ ବୋଲି କହି ପ୍ରଧାନମନ୍ତ୍ରୀ ଯେଉଁ ୫ ସୂତ୍ରୀ ମନ୍ତ୍ର ଦେଇଛନ୍ତି,ତାହା ‘ଆତ୍ମନିର୍ଭର ଅଭିଯାନ’ ସାଙ୍ଗକୁ ଜୀବନର ନୂଆ ମନ୍ତ୍ର ହୋଇଛି।
କେବଳ କରୋନା ଭଳି ବିଶ୍ୱ ମହାମାରୀ ନୁହେଁ, ବିପଦ ସମୟରେ ବିଭିନ୍ନ ରାଜ୍ୟ ସହ ମୋଦୀ ସରକାର ଠିଆ ହେବାର ଅନେକ ଦୃଷ୍ଟାନ୍ତ ମଧ୍ୟ ରହିଛି। ନିକଟରେ ବାତ୍ୟା ‘ଅମ୍ପନ’ର ଠିକ୍‌ ପର ଦିନ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଓ ଓଡ଼ିଶା ଆସି ସ୍ଥିତି ପରଖିବା ଏବଂ ଯଥାକ୍ରମେ ୧୦୦୦କୋଟି ଓ ୫୦୦କୋଟି ତ୍ୱରିତ ସାହାଯ୍ୟ ଘୋଷଣା କରିବା ପୂର୍ବରୁ କୌଣସି ସରକାର ଅମଳରେ ହୋଇନଥିଲା। ଏଥିସହ ବାତ୍ୟା ସହାୟତା ଘୋଷଣା ହେବାର ୨୪ଘଣ୍ଟା ନପୂରୁଣୁ ଉଭୟ ରାଜ୍ୟକୁ ଏହି ଅର୍ଥ ପ୍ରଦାନ ମଧ୍ୟ କରାଗଲା। ଭିତ୍ତିଭୂମି ହେଉ ଅଥବା ସହାୟତା, ମୋଦିଜୀ ସବୁବେଳେ ଆମର ଆବଶ୍ୟକତା ପ୍ରତି ନ୍ୟାୟ କରିଛନ୍ତି। ସେହିପରି ଓଡ଼ିଶା ଅନ୍ୟ କେନ୍ଦ୍ରସରକାରଙ୍କ ତୁଳନାରେ ମୋଦୀ ସରକାରଙ୍କଠାରୁ ଅଧିକ ସହାୟତା ପାଇଥିବା ରିପୋର୍ଟ ରହିଛି। ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷରେ ଓଡ଼ିଶାକୁ ବାତ୍ୟା ‘ଫଣି’ ସହାୟତା ବାବଦରେ ମୋଟ ୪୬୭୮.୨୨କୋଟି ଟଙ୍କା, ‘କାମ୍ପା’ ଫଣ୍ଡରେ ସର୍ବାଧିକ ୫୯୩୩.୯୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏପରିକି ବଜେଟରେ ଓଡ଼ିଶାକୁ ବିଶେଷ ଗୁରୁତ୍ୱ, ଯେପରିକି ରେଳ ବଜେଟ୍‌ରେ ରେକର୍ଡ ଅର୍ଥ ୫ ହଜାର ୯୯୩ କୋଟି ଟଙ୍କା ବ୍ୟୟବରାଦ ଇତ୍ୟାଦିର ତାଲିକା ବେଶ ବଡ଼ ରହିଛି।
ବିଶେଷକରି ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମବର୍ଷ ଦୃଢ଼ ପ୍ରତିଶ୍ରୁତିବଦ୍ଧତାର ଛାପ ଛାଡ଼ିଯାଇଥିବାବେଳେ “ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ”ର ନୀତିକୁ ଅନୁସରଣ କରିଛି ଓ ବିଶ୍ୱସ୍ତରରେ ପ୍ରଶଂସିତ ହୋଇଛି। ତେବେ ଆଗକୁ ଆହୁରି ଅନେକ ଚ୍ୟାଲେଞ୍ଜ ରହିଛି। ବିଶେଷତଃ ବର୍ତ୍ତମାନ କରୋନା ପାଇଁ ଉପୁଜୁଥିବା ସମସ୍ୟାଗୁଡ଼ିକୁ ନିୟନ୍ତ୍ରଣ କରିବାରେ ମୋଦୀ ସରକାର ଯଥାସମ୍ଭବ ପଦକ୍ଷେପ ନେଇଆସୁଛନ୍ତି ଓ ଅନେକ ବଡ଼ବଡ଼ ଦେଶ ତୁଳନାରେ ଭଲ ପ୍ରଦର୍ଶନ କରି ବିଶ୍ୱରେ ପ୍ରଶଂସିତ ହୋଇଛନ୍ତି। ହେଲେ ସ୍ଥିତି ଯେପର୍ଯ୍ୟନ୍ତ ସ୍ୱାଭାବିକ ନହୋଇଛି ଏ ସରକାର ଅଟକି ନାହିଁ କି ଅଟକିବ ନାହିଁ। ବରଂ ବଢ଼ୁଥିବା ଚ୍ୟାଲେଞ୍ଜ ମୋଦୀ ସରକାରଙ୍କ ଏକ ନୂଆ ଭାରତ ନିର୍ମାଣର ସଂକଳ୍ପକୁ ଆହୁରି ଦୃଢ଼ କରିବାରେ ଲାଗିଛି।

ବୈଜୟନ୍ତ ‘ଜୟ’ ପଣ୍ଡା

ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ପ୍ରବକ୍ତା, ବିଜେପି

Comments are closed.