ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦ୍ୱିତୀୟ କାର୍ଯ୍ୟକାଳ ପ୍ରଥମ ବର୍ଷର ଐତିହାସିକ ଉପଲବ୍ଧି

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷ ମେ ୩୦ ତାରିଖରେ ସଂପୂର୍ଣ୍ଣ ହେଉଛି। ଏହି ବର୍ଷଟି କେବଳ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କର ୬ବର୍ଷ ଶାସନକାଳ ମଧ୍ୟରେ ଅଦ୍ଭୂତପୂର୍ବ ଐତିହାସିକ ଘଟଣାବଳୀର ବର୍ଷ ନୁହେଁ, ଭାରତ ସ୍ୱାଧୀନତା ପାଇବା ଦିନଠାରୁ ଅଦ୍ୟାବଧି ଯେତେ ଯେତେ ପ୍ରଧାନମନ୍ତ୍ରୀ ଭାରତ ବର୍ଷରେ ଶାସନ କରିଛନ୍ତି ସମସ୍ତଙ୍କ କାର୍ଯ୍ୟକାଳକୁ ବିଚାରକୁ ନେଇବି ଏହି ବର୍ଷଟି ସର୍ବୋତ୍କୃଷ୍ଟ ବର୍ଷ। କାରଣ ଏହି ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏନଡିଏ-୨ ସରକାର ଅଚିନ୍ତ୍ୟ ଓ ଅକଳ୍ପନୀୟ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ସେଥିପାଇଁ ତାଙ୍କ ନେତୃତ୍ୱ ଓ ଦୂରଦୃଷ୍ଟିକୁ ଯେତେବି ପ୍ରଶଂସା କଲେ କମ୍‍ ହେବ। ଏହି ବର୍ଷକ ଭିତରେ, ୧- ୩୭୦ ଧାରାର ଉଚ୍ଛେଦ , ୨- ୩ ତିନି ତଲାକ ଉଚ୍ଛେଦ, ୩- ରାମ ମନ୍ଦିର ପ୍ରତିଷ୍ଠା, ୪- ପାକିସ୍ତାନ, ବଙ୍ଗଳାଦେଶ ଓ ଆଫଗାନିସ୍ତାନରୁ ଆସି ଭାରତରେ ଶରଣାର୍ଥୀଭାବେ ରହୁଥିବା ହିନ୍ଦୁ, ଶିଖ୍‍, ବୈାଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିୟାନମାନଙ୍କୁ ଭାରତର ସ୍ଥାୟୀ ନାଗରିକତା ଦେବା ପାଇଁ ନାଗରିକତା ଆଇନର ସଂଶୋଧନ କରାଯାଇଛି। ଏହି ଚାରୋଟି ଘଟଣା ସମଗ୍ର ଭାରତର ଜନସମୁଦାୟକୁ ବିଭିନ୍ନ ଦୃଷ୍ଟିକୋଣକୁ ଗଭୀର ଭାବେ ପ୍ରଭାବିତ କରିଛି। ଦେଶର ନିର୍ବାଚିତ ସରକାରମାନେ ତାଙ୍କର ଜନକଲ୍ୟାଣ ଆଭିମୁଖ୍ୟକୁ ପ୍ରତିଷ୍ଠା କରିବା ପାଇଁ ଯେପରି ଗତାନୁଗତିକ ଭାବେ ସାମାଜିକ, ରାଜନୈତିକ ବା ଆର୍ଥିକ ଦୃଷ୍ଟିରୁ ପଦକ୍ଷେପ ଗ୍ରହଣ କରିଥାନ୍ତି ଏହି ଉପରୋକ୍ତ ୪ ଟି ଘଟଣା ତାର ଏକ ବିଶାଳ ବ୍ୟତିକ୍ରମ। ଏହି କାର୍ଯ୍ୟଗୁଡିକ ଶ୍ରୀମୋଦିଙ୍କର ଆଦର୍ଶ, ଇଚ୍ଛାଶକ୍ତି ଓ ଦୃଢ଼ ରାଜନୈତିକ ନିଷ୍ପ୍‍ତ୍ତିର ପ୍ରମାଣ ଦେଇଛି।
ଶହଶହ ବର୍ଷ ଧରି ଗଡ୍ଡାଳିକା ପ୍ରବାହରେ ପ୍ରଚଳିତ ହୋଇ ଆସୁଥିବା ବ୍ୟବସ୍ଥାକୁ ଭଙ୍ଗକରି ନାଗରିକମାନଙ୍କର ଆଶା , ଆକାଂକ୍ଷା ଓ ସ୍ୱପ୍ନକୁ ପୂରଣ କରିବା ନିମନ୍ତେ ଏହି ନିଷ୍ପତ୍ତି ଗୁଡିକ ଅଭିପ୍ରେତ। ନିଶ୍ଚିତଭାବେ ଏହି ଐତିହାସିକ ଉପଲବ୍ଧି ପାଇଁ ଚଳିତ ବର୍ଷଟି ଭାରତ ଇତିହାସରେ ସ୍ୱର୍ଣ୍ଣିିମ ଅକ୍ଷରରେ ଲିପିବଦ୍ଧ ହୋଇରହିବ ଏବଂ ଭାରତୀୟମାନେ ଆଗାମୀ ସମୟରେ ସବୁଦିନ ପାଇଁ ତାଙ୍କୁ ଶ୍ରଦ୍ଧାର ସହିତ ସ୍ମରଣ କରିବେ।
ସମ୍ବିଧାନର ୩୭୦ ଧାରା ଓ ୩୫ କ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଶ୍ରୀ ଜବାହାର ନେହରୁଙ୍କର ନିର୍ବୋଧ ପାଗଳାମି ଓ ଦୂରଦୃଷ୍ଟିହୀନ ସାଂପ୍ରଦାୟିକତାର ଏକ ଘୃଣ୍ୟ ଉଦାହରଣ ଥିଲା। ଅଗଣତାନ୍ତିକ ଭାବେ ଜଣେ ସ୍ୱରାଚାରୀ ଶାସକଭାବେ ଭାରତୀୟମାନଙ୍କ ମଥା ଉପରେ ‘ଡେମୋକ୍ଲିସ ଖଣ୍ଡା’ ଭଳି ଏହି ଧାରାଟିକୁ ସେ ଝୁଲାଇ ଦେଇଥିଲେ। ଭାରତୀୟ ସମ୍ବିିଧାନ ପ୍ରଣେତା ତଥା ଡ୍ରାଫ୍ଟିଂ କମିଟିର ମୁଖ୍ୟ ଡଃ ଆମ୍ବେଦକରଙ୍କର ପ୍ରବଳ ପ୍ରତିବାଦ ସତ୍ତ୍ବେ ନେହେରୁ ଅନ୍ୟତମ ଡ୍ରାଫ୍ଟିଂ କମିଟି ସଦସ୍ୟ ଗୋପାଳସ୍ୱାମୀ ଆୟଙ୍ଗରଙ୍କୁ ଧରି ଅବିଚରିତ ଭାବେ ଏହି ଧାରାଟି ଭାରତୀୟ ସଂବିଧାନରେ ଯୋଡି ଦେଇଥିଲେ। ସେହିଭଳି ୧୯୫୪ ମସିହାରେ କାର୍ଯ୍ୟପାଳିକା ମୁଖ୍ୟ ରାଷ୍ଟ୍ରପତିଙ୍କ ଜରିଆରେ ସଂସଦର ଅଗୋଚରରେ ଅଗଣତାନ୍ତ୍ରିକ ଭାବେ ୩୫-ଏ ଧାରାଟି ସଂବିଧାନରେ ସ୍ଥାନ ପାଇଥିଲା। ଏହି ଦୁଇଟିର ଉଚ୍ଛେଦ ଏକ ସାର୍ବଭୌମ ଜନମଙ୍ଗଳ ରାଷ୍ଟ୍ରର ମର୍ଯ୍ୟଦା ଦୃଷ୍ଟିରୁ ଭାରତ ପାଇଁ ଅତ୍ୟନ୍ତ ଆବଶ୍ୟକ ଥିଲା। ଭାରତ ରାଜ୍ୟସଂଘରେ ଜମ୍ମୁକାଶ୍ମୀର ବିଲୀନ ହୋଇଥିଲେ ମଧ୍ୟ ଏହି ଦୁଇଟି ଧାରା ଭାରତୀୟ ନାଗରିକମାନଙ୍କ ପ୍ରତି ଅପମାନଜନକ ଥିଲା। ଭାରତ ସରକାର ଏହି ଧାରା ଦୁଇଟ ିଯୋଗୁଁ ଜମ୍ମୁକାଶ୍ମୀର ଉପରେ ତାଙ୍କର ସଂପୂର୍ଣ୍ଣ ସାମ୍ବିଧାନିକ କ୍ଷମତା ପ୍ରୟୋଗ କରିପାରୁନଥିଲେ ଓ ଜମ୍ମୁକାଶ୍ମୀରବାସୀମାନେ ଭାରତୀୟ ନାଗରିକ ହୋଇମଧ୍ୟ କେତେକ ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗୁଁ ନିଜକୁ ଅନୁଗୃହୀତ ଓ ଦୟାର ପାତ୍ର ରୂପେ ବିଚାର କରି ଆସୁଥିଲେ। ଏହି ଦୁଇଟି ଧାରାର ଉଚ୍ଛେଦ ଯୋଗୁଁ ଜମ୍ମୁକାଶ୍ମୀର ଯର୍ଥାଥରେ ଭାରତ ଓ ଅନ୍ୟ ରାଜ୍ୟମାନଙ୍କ ସହିତ ସମାନସ୍ତରକୁ ଆସିଲେ ଏବଂ ଭାରତୀୟ ସାଂବିଧାନିକ ବିିଧିବ୍ୟବସ୍ଥା ଜମ୍ମୁକାଶ୍ମୀରରେ ପ୍ରଥମ ଥର ପାଇଁ ସଂପୂର୍ଣ୍ଣ ଭାବେ ଲାଗୁ ହେଲା। ସେହିଭଳି ଲଦାଖବାସୀ ଜମ୍ମୁକାଶ୍ମୀର ରାଜ୍ୟର ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବେ ବିବେଚିତ ହୋଇ ଆସୁଥିବାରୁ ଦୀର୍ଘକାଳ ଧରି କେନ୍ଦ୍ରଶାସିତ ଅଂଚଳର ମାନ୍ୟତା ପାଇଁ ଦାବି କରି ଆସୁଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କର ବହୁଦିନର ଦାବିକୁ ପୂରଣ କରିବା ସହିିତ ପ୍ରଥମ କରି ରାଜ୍ୟର ଏକ ବିଶାଳ ଅଂଚଳକୁ ରାଜ୍ୟପାହ୍ୟା ପରିବର୍ତ୍ତେ କେନ୍ଦ୍ର ଶାସିତ ଅଂଚଳର ମାନ୍ୟତା ଦେଲେ। ଫାରୁକ ଅବଦୁଲାଙ୍କ ଭଳି ନେତା, ‘ମୋଦି ୧୦ ଥର ପ୍ରଧାନମନ୍ତ୍ରୀ ହେଲେ ମଧ୍ୟ ୩୭୦ ଧାରାର ଉଚ୍ଛେଦ କରିପାରିବେ ନାହିଁ’ ବୋଲି ଧମକ ଦେଇଥିଲେ। କିନ୍ତୁ ମୋଦିଙ୍କର ଦୃଢ଼ ନେତୃତ୍ୱ ତାଙ୍କ ଆସ୍ଫାଳନକୁ ନିସ୍ଫଳ କରିଦେଇଥିଲା। କେବଳ ସେତିକି ନୁହେଁ ହୁରିଆତ ନେତାମାନଙ୍କୁ କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ପାଇଁ ନିୟମିତ ଉତ୍କୋଚ ଆକାରରେ ଦିଆଯାଉଥିବା ହଜାର ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ମଧ୍ୟ ବନ୍ଦ କରିଦିଆଗଲା।
ତିନି ତଲାକ ଉଚ୍ଛେଦ କରିବା ପାଇଁ ମୁସଲିମ ମହିଳା ମାନେ ସୁପ୍ରିମ କୋର୍ଟରେ ଆଶ୍ରୟ ନେଇଥିଲେ। ମାନ୍ୟବର ସୁପ୍ରିମ କୋର୍ଟ ମହିଳାମାନଙ୍କର ଅଧିକାରକୁ ସମ୍ମାନ ଦେଇ ତିନି ତଲାକ ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଦୁର୍ବଳ ଓ ମୁସଲିମ ସନ୍ତୁଷ୍ଟୀକରଣରେ ବିଶ୍ୱାସ ରଖୁଥିବା କଂଗ୍ରେସ , ବାମପନ୍ଥୀ ଏବଂ ଅନ୍ୟାନ୍ୟ ଆଂଚଳିକ ଦଳମାନେ ଭୋଙ୍କ ବ୍ୟାଙ୍କ ଯୋଗୁଁ ତିନି ତଲାକ ଉଚ୍ଛେଦର ସପକ୍ଷରେ ନଥିଲେ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଭାରତରେ ଯେଉଁଭଳି ଟ୍ରିପ୍ପଲ ତଲାକ ବ୍ୟବହାର ହୋଇ ଆସୁଥିଲା ସମଗ୍ର ପୃଥିବୀର ଇସଲାମିକ ରାଷ୍ଟ୍ରଗୁଡିକରେ ମଧ୍ୟ ସେହିଭଳି ବ୍ୟବହାର ହେଉନଥିଲା। ଏପରିକି ପାକିସ୍ତାନ ବାଙ୍ଗଳାଦେଶ, ଇଣ୍ଡୋନେସିଆ ଓ ମଧ୍ୟପ୍ରାଚ୍ୟର ମୁସଲିମ ଦେଶମାନେ ବହୁ ଆଗରୁ ଟ୍ରିପଲ ତଲାକରେ ସଂସ୍କାର ଆଣି ଏହି ଶରିଆତ ଆଇନରେ ବ୍ୟାପକ ପରିବର୍ତନ କରିସାରିଛନ୍ତି। କିନ୍ତୁ ଭାରତର ଇସଲାମିକ ମୌଳବାଦୀମାନଙ୍କର ଦାବି, ଅହଙ୍କାର ଏବଂ ତାଙ୍କ ପ୍ରତି ଥିବା ରାଜନୈତିକ ଦଳମାନଙ୍କର ଭୋଟ ବ୍ୟାଙ୍କ ଭୟ ଯୋଗୁଁ ଏହା ସଂଭବ ହୋଇପାରୁନଥିଲା। କିନ୍ତୁ ମୋଦି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଏଭଳି କୁଶ୍ଚିତ ଭୋଟ ବ୍ୟାଙ୍କ ରାଜନୀତିର ଊର୍ଦ୍ଧ୍ବକୁ ଯାଇ ମୁସଲିମ ମହିଳାମାନଙ୍କୁ ସେମାନଙ୍କ ଅଧିକାର ଦେବାକୁ ଯାଇ ଏହି ଘୃଣ୍ୟ ପ୍ରଥାର ଉଚ୍ଛେଦ କରିପାରିଛନ୍ତି।
ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ବାବରଙ୍କ ସମୟରୁ ଶହ ଶହ ବର୍ଷ ଧରି ହିନ୍ଦୁ , ମୁସଲିମମାନଙ୍କ ମଧ୍ୟରେ ଦାବି ଓ ପ୍ରତିଦାବି ଓ ଏହାକୁୂ ନେଇ ସାମ୍ପ୍ରଦାୟିକ ବିଦ୍ୱେଷ ଲାଗି ରହିଥିଲା। ଏପରିକି ବାବ୍ରୀ ମସଜିଦ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମସ୍ଥଳୀରେ ନିର୍ମିତ ପ୍ରାଚୀନ ମନ୍ଦିରକୁ ଭାଙ୍ଗି ବାବ୍ରୀ ମସଜିଦ୍‍ ପ୍ରତିଷ୍ଠା ହୋଇଥିଲା ବୋଲି ହିନ୍ଦୁମାନଙ୍କର ଏହି ଦାବିକୁ ମୁସଲିମ ଶାସକମାନେ ପ୍ରତ୍ୟାକ୍ଷାନ କରି ଆସିଥିଲେ। ଇଂରେଜ ସମୟରେ ହିନ୍ଦୁମାନଙ୍କର ଦାବି ପ୍ରତି ମଧ୍ୟ କର୍ଣ୍ଣପାତ କରାଯାଇନଥିଲା। ଅପରପକ୍ଷେ ପ୍ରାୟ ଦେଢ଼ ଶହ ବର୍ଷ ଧରି ବିଭିନ୍ନ ବିଚାରାଳୟରେ ଏସଂପର୍କରେ ମାଲି ମକଦ୍ଦମା ଚାଲିଥିଲା। ହାଇକୋର୍ଟ ଏବଂ ସୁପ୍ରିମ କୋର୍ଟରେ ପ୍ରାୟ ଦୀର୍ଘ ୭୦ ବର୍ଷ ଧରି ଏହି ମକଦ୍ଦମା ଚାଲିଥିଲେ ମଧ୍ୟ କୌଣସି ସନ୍ତୋଷଜନକ ନିର୍ଣ୍ଣୟ ବାହାରି ପାରିନଥିଲା। ହିନ୍ଦୁମାନେ ସେମାନଙ୍କର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ମୁସଲିମ ଐତିହାସିକମାନଙ୍କ ଦ୍ୱାରା ପାର୍ସୀ ଓ ଉର୍ଦ୍ଦୁ ଭାଷାରେ ଓ ପ୍ରାଚୀନ କାଳରୁ ଉପଲବ୍ଧ ସଂସ୍କୃତ ଭାଷାର ବିଭିନ୍ନ ତଥ୍ୟାବଳୀ ଯାହା ହଜାର ହଜାର ପୃଷ୍ଠାରେ ଲେଖାଯାଇଥିଲା, କୌଣସି ସରକାର ସେ ସବୁର ଇଂରାଜୀ ଅନୁବାଦ କରି କୋର୍ଟରେ ଉପସ୍ଥାପନ କରିପାରିନଥିଲେ। ପ୍ରଥମ କରି ମୋଦି ସରକାର ଏହି ତଥ୍ୟଗୁଡ଼ିକୁ କୋର୍ଟରେ ଉପସ୍ଥାପିତ କଲେ ଏବଂ ମାନ୍ୟବର ସୁପ୍ରିମକୋର୍ଟ ବାବ୍ରୀ ମସଜିଦ ଠିଆ ହୋଇଥିବା ଜମିର ମାଲିକାନା ସତ୍ତ୍ୱ ହିନ୍ଦୁମାନଙ୍କ ସପକ୍ଷରେ ଦେବା ସହିତ ଏକ ସ୍ୱତନ୍ତ୍ର ନ୍ୟାସ ଗଠନ କରି ରାମ ମନ୍ଦିର ନିର୍ମାଣ କରିବାକୁ ନିର୍ଦେଶ ଦେଇଥିଲେ। ଚଳିତ ସପ୍ତାହରେ ଅଯୋଧ୍ୟାର ଏହି ତଥାକଥିତ ବିବାଦିତ ସ୍ଥାନରେ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।
ମୋଦି ସରକାରଙ୍କ ଆଉଗୋଟିଏ ବଡ ସଫଳତା ହେଲା ନାଗରିକତା ଆଇନର ସଂଶୋଧନ କରି ପାକିସ୍ତାନ, ବଙ୍ଗଳାଦେଶ ଓ ଆଫଗାନିସ୍ତାନରେ ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ଭାରତରେ ଶରଣାର୍ଥୀ ଭାବେ ଜୀବନ କାଟୁଥିବା ହିନ୍ଦୁ, ବୌଦ୍ଧ, ଜୈନ, ଶିଖ୍‍, ପାର୍ସୀ ଓ ଖ୍ରୀଷ୍ଟିଆନମାନଙ୍କୁ ଭାରତର ନାଗରିକତା ଦେବାପାଇଁ ନାଗରିକତା ଆଇନର ସଂଶୋଧନ। ଭାରତ ବିଭାଜନ ବେଳେ ମହମ୍ମଦ ଅଲ୍ଲୀ ଜିନା ପାକିସ୍ତାନକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଭାବେ ଗଢ଼ିବେ ଓ ଏହା ସବୁଧର୍ମର ଲୋକଙ୍କ ପାଇଁ ଏକ ସ୍ୱର୍ଗ ସଦୃଶ ହେବ ବୋଲି କହିଥିଲେ। କିନ୍ତୁ ପାକିସ୍ତାନ ଗଠନ ହେବା ବର୍ଷକରେ ତାଙ୍କର ମୃତ୍ୟୁ ହେଲା ଏବଂ ଧିରେ ଧିରେ ପାକିସ୍ତାନ ଏକ କଟ୍ଟରପନ୍ଥୀ ମୁସଲିମ ରାଷ୍ଟ୍ର ହୋଇଗଲା। ଯେଉଁ ରାଷ୍ଟ୍ର ହେଲା କୌଶଳ କ୍ରମେ ପାକିସ୍ତାନରେ ସବୁ ଅଣ ମୁସଲିମମାନଙ୍କୁ ଇସଲାମ ଧର୍ମରେ ଧର୍ମାନ୍ତରିତ କରିବା ନହେଲେ ହତ୍ୟା କରିବା, ନହେଲେ ଧର୍ମୀୟ ଉତ୍ପୀଡନ ଦ୍ୱାରା ସେମାନଙ୍କୁ ସନ୍ତ୍ରସ୍ତ କରି ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବେ ଇସଲାମ ଧର୍ମୀମାନଙ୍କର ଦୟା ଉପରେ ବଞ୍ଚି ରହିବାକୁ ଛାଡିଦେବା। ବିଭାଜନ ବେଳେ ପାକିସ୍ତାନର ମୋଟ ଜନସଂଖ୍ୟାର ଏକ ଚର୍ତୁଥାଂଶ ଥିଲେ ଅଣମୁସଲମାନ ବା ସଂଖ୍ୟାଲଘୁ। ଦେଶର ସ୍ୱାଧୀନତା ବେଳେ ଗଠିତ ୫୩ ଜଣିଆ ମନ୍ତ୍ରୀମଣ୍ଡଳରେ ୧୭ ଜଣ ଥିଲେ ଅଣମୁସଲିମ ମନ୍ତ୍ରୀ। କିନ୍ତୁ ବର୍ତ୍ତମାନ ସେହି ସଂଖ୍ୟାଲଘୁମାନଙ୍କ ସଂଖ୍ୟା ୨.୫ ପ୍ରତିଶତକୁ ଖସିଆସିଛି। ସଂଖ୍ୟାଲଘୁମାନଙ୍କର ପ୍ରାୟ ୯୦ ପ୍ରତିଶତ ଉପାସନାସ୍ଥଳୀକୁ ଧ୍ୱଂସ କରିଦିଆଯାଇଛି। ବଳପୂର୍ବକ ସେମାନଙ୍କ ପରିବାରର ମହିଳାମାନେ ଯୌନଉତ୍ପୀଡ଼ନର ଶିକାର ହୋଇଛନ୍ତି ବା ଅନେକ କ୍ଷେତ୍ରରେ ସେମାନଙ୍କର ସଂପତ୍ତିକୁ ଜବରଦସ୍ତ କବଜା କରାଯାଇଛି। ପାକିସ୍ତାନର ନ୍ୟାୟାଳୟ ସେମାନଙ୍କୁ ସହାୟତା ଦେଇପାରିନାହିଁ। ଏହି ପରିପ୍ରେକ୍ଷୀରେ ଧାର୍ମିକ ଉତ୍ପୀଡ଼ିତ ସଂଖ୍ୟାଲଘୁମାନେ ଦୀର୍ଘ ଦିନ ଧରି ଭାରତରେ ଶରଣାର୍ଥୀଭାବେ ଆଶ୍ରୟ ନେଇ ଆସିଛନ୍ତି। ମହାତ୍ମା ଗାନ୍ଧି ଓ ନେହରୁଙ୍କଠାରୁ ଆରମ୍ଭ କରି ମନମୋହନ ସିଂହଙ୍କ ପର୍ଯ୍ୟନ୍ତ ତୁଙ୍ଗ ନେତାମାନେ ଏଭଳି ଶରଣାର୍ଥୀମାନଙ୍କୁ ଭାରତୀୟ ନାଗରିକତା ଦେବା ପାଇଁ ବ୍ୟବସ୍ଥା କରିନାହାଁନ୍ତି। ପ୍ରଧାନମନ୍ତ୍ରୀ ମୋଦି ନିର୍ଦ୍ଦିଷ୍ଟ ଭାବେ ଏହି ସବୁଧର୍ମର ସଂଖ୍ୟାଲଘୁ ପାକିସ୍ତାନୀଙ୍କୁ ଭାରତର ନାଗରିକ ଭାବେ ସ୍ଥାୟୀଭାବେ ରହିବା ପାଇଁ ନାଗରିକ ଆଇନର ଆବଶ୍ୟକ ସଂଶୋଧନ କରିଛନ୍ତି। ଏହି ପଦକ୍ଷେପ ସଂଖ୍ୟାଲଘୁ ହିନ୍ଦୁ, ବୌଦ୍ଧ, ଜୈନ, ଶିଖ୍‍, ପାର୍ସୀ ଓ ଖ୍ରୀଷ୍ଟିଆନମାନଙ୍କ ସ୍ୱପ୍ନ ଓ ଦାବୀକୁ ପୂରଣ କରିଛନ୍ତି। ତେଣୁ ଏହି ଐତିହାସିକ କାର୍ଯ୍ୟ ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦି ଭାରତ ଇତିହାସରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ଏଥିପାଇଁ ଏହି ବର୍ଷଟି ଭାରତ ଇତିହାସରେ ଚିରସ୍ମରଣୀୟ ହୋଇ ରହିବ ଏଥିରେ ସନ୍ଦେହ ନାହିଁ।

ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ

୯୩୩୭୧୨୦୨୫୫

Comments are closed.