ଆଜି ମହାରାଷ୍ଟ୍ରରେ ପ୍ରଚାର କରିବେ ମୋଦୀ, ରାହୁଲ

ହରିୟାଣାରେ ବିଜେପି ଜାରି କରିବ ଇସ୍ତାହାର

ମୁମ୍ବଇ: ମହାରାଷ୍ଟ୍ର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଦଳଗୁଡ଼ିକ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ରବିବାର ମହାରାଷ୍ଟ୍ରରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଚାର ମଇଦାନକୁ ଓହ୍ଲାଇବେ। ଗୋଟିଏ ଦିନରେ ଦୁଇ ହେଭିୱେଟ୍‌ ନେତାଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଥିବାରୁ ରାଜ୍ୟ ରାଜନୀତି ଆହୁରି ସରଗରମ ହୋଇଯାଇଛି। ଉଭୟ ଦଳର ନେତା ଏବଂ କର୍ମୀମାନେ ବେଶ୍‌ ଉତ୍ସାହିତ ଅଛନ୍ତି। ସେହିପରି ହରିୟାଣାରେ ରବିବାର ବିଜେପି ନିର୍ବାଚନୀ ଇସ୍ତାହାର ଜାରି କରିବ ବୋଲି ସୂଚନା ମିଳିଛି।

ରବିବାର ହେବାକୁ ଥିବା ବିଜେପିର ରାଲିକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ୍‌ କରି ଲେଖିଛନ୍ତି ଯେ, ଆଜି ମହାରାଷ୍ଟ୍ରରେ ନିର୍ବାଚନ ପ୍ରଚାର କରିବି। ଜଲଗାଓଁ ଏବଂ ସକୋଲୀରେ ରାଲିକୁ ସମ୍ବୋଧିତ କରିବା ଲାଗି ବେଶ୍‌ ଉତ୍ସୁକ ଅଛି। ଆମର ଯୁବ ଏବଂ ଦୁରଦର୍ଶୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ନେତୃତ୍ଵାଧୀନ ସରକାରଙ୍କ କାର୍ଯ୍ୟ ଆଧାରରେ ଏନଡିଏ ଲୋକଙ୍କ ନିକଟତର ହୋଇଛି। ରାଜ୍ୟର ସେବା କରିବା ଲାଗି ଆମେ ଆହୁରି ୫ବର୍ଷ ସମୟ ମାଗିବୁ ବୋଲି ମୋଦୀ ଟ୍ବିଟ୍‌ କରିଛନ୍ତି।

ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ମହାରାଷ୍ଟ୍ରରେ ୩ଟି ରାଲି କରିବେ। ଅପରାହ୍ନରେ ସେ ଲାତୁରର ଅସୁଆରେ କଂଗ୍ରେସ ପ୍ରାର୍ଥୀ ବସାବରନ ଏମ. ପାଟିଲଙ୍କ ପାଇଁ ପ୍ରଚାର କରିବେ। ଏହା ପରେ ସନ୍ଧ୍ୟାରେ ମୁମ୍ବଇର ଚାନ୍ଦୀୱଲୀ ଆସନରେ ଦଳୀୟ ପ୍ରାର୍ଥୀ ନସୀମ ଖାନ ଏବଂ ଧାରାୱୀରେ ବର୍ଷା ଗାୟକୱାଡଙ୍କ ପାଇଁ ଆୟୋଜିତ ହେବାକୁ ଥିବା ଏକ ଜନସଭାକକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

Comments are closed.