ଦଲାଲରାଜ୍‌ର ଅନ୍ତ ଘଟାଇବ କୃଷି ବିଲ୍‌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : କୃଷିଜାତ ସାମଗ୍ରୀର ବିପଣନ ଓ କାରବାର (ପ୍ରୋତ୍ସାହନ ଓ ସୁବିଧା ପ୍ରଦାନ) ବିଧେୟକ ୨୦୨୦ ଓ କୃଷକ (ସଶକ୍ତୀକରଣ ଓ ସୁରକ୍ଷା) ରାଜିନାମା ସଂକ୍ରାନ୍ତ ମୂଲ୍ୟ ସୁନିଶ୍ଚିତତା ଓ କୃଷି ସେବା ବିଲ୍‌ ୨୦୨୦ ଏବେ ସଂସଦର ଉଭୟ ସଦନରେ ଗୃହୀତ ହେବା ପରେ ଏନେଇ ସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଧେୟକକୁ ନେଇ ବିରୋଧୀ ଦଳ ଗୁଡିକ ଦେଶରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ଦେଶର ଅନ୍ନଦାତାଙ୍କୁ କେନ୍ଦ୍ର ସରକାର ଅଧିକ ସଶକ୍ତ କରିବା ସହିତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସେମାନଙ୍କ ଫସଲକୁ ସହଜରେ ଓ ଅଧିକ ମୂଲ୍ୟରେ ବିକ୍ରି କରିବାର ସୁବିଧା, ସୁରକ୍ଷା ଓ ପ୍ରୋତ୍ସାହନ ପ୍ରଦାନ ଲାଗି ଉକ୍ତ ବିଧେୟକରେ ବ୍ୟବସ୍ଥା କରାଯାଇଥିବାବେଳେ ଏହାକୁ ସଠିକ୍‌ ବିଶ୍ଲେଷଣ ନକରି ଦେଶର କୃଷକ ଭାଇ-ଭଉଣୀମାନଙ୍କ ମନରେ କେତେକ ନେତା ଅଯଥା ଦ୍ବନ୍ଦ୍ବ ସୃଷ୍ଟି କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। କୃଷକଙ୍କ ଲାଗି ଏହା ଐତିହାସିକ ଦିବସ କହିବା ସହିତ ଏନଡିଏ ସରକାର ଦେଶର କୃଷକଙ୍କ ପ୍ରତି ସମର୍ପିତ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଧେୟକ ଦ୍ୱାରା କୃଷକଙ୍କ ଉତ୍ପାଦିତ ସାମଗ୍ରୀକୁ ସରକାର କ୍ରୟ କରିବାରେ କୌଣସି ସମସ୍ୟା ରହିବ ନାହିଁ। ସରକାର ପୂର୍ବପରି ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ରେ କୃଷକଙ୍କ ଠାରୁ ଉତ୍ପାଦିତ ସାମଗ୍ରୀ କ୍ରୟ କରିବେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିରୋଧୀ ଦଳଗୁଡିକ ପ୍ରଚାର କରୁଛନ୍ତି ଯେ ନୂଆ ବିଧେୟକ ଆଇନରେ ପରିଣତ ହେଲେ ସରକାରୀ ଏଜେନ୍ସି ଗୁଡିକ ଚାଷୀଙ୍କ ଠାରୁ ଧାନ ଓ ଗହମ କ୍ରୟ କରିବେନାହିଁ। ଏହା ସମ୍ପୂର୍ଣ୍ଣ ମିଥ୍ୟା। କୃଷକମାନଙ୍କୁ ଠକିବା ପାଇଁ ଏହା ଏକ ଷଡ଼ଯନ୍ତ୍ର। ତେଣୁ ବିରୋଧୀଙ୍କ ଏହି ଷଡଯନ୍ତ୍ର ପ୍ରତି କୃଷକମାନେ ସତର୍କ ରହିବା ଦରକାର। ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ, ସରକାର ପୂର୍ବପରି କୃଷକଙ୍କ ଉତ୍ପାଦିତ ସାମଗ୍ରୀ ଏମଏସପି ଅନୁଯାୟୀ କ୍ରୟ କରିବେ।

ସଂସଦରେ କୃଷିମନ୍ତ୍ରୀଙ୍କ ବିବୃତି ବିରୋଧୀ ପକ୍ଷଙ୍କ ସମସ୍ତ ଆଶଙ୍କାକୁ ଦେଶ ସାମ୍ନାରେ ସ୍ପଷ୍ଟ କରିଥିଲେ ବି ରାଜନୈତିକ ଦଳଙ୍କ ବିରୋଧ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

Comments are closed.