‘ଶକ୍ତ ମୁଠା’ର ପ୍ରଭାବ

ବଢ଼ୁଛି ସୁନା ଓ ମୋବାଇଲ୍‍ ଚୋରାଚାଲାଣ

ବାଲିକୁ ଜାବୁଡ଼ି ଧରି ରଖିବା ଉଦ୍ଦେଶ୍ୟରେ ହାତମୁଠାକୁ ଯେତେ ଟାଣ କରିବ, ବାଲି ସେତିକି ଖସି ଚାଲିବ – ସାଧାରଣ ଜନଜୀବନରେ ପ୍ରଚଳିତ ଏହି ବାସ୍ତବବାଦୀ ଉଦାହରଣ ଏବେ ଦେଖିବାକୁ ମିଳୁଛି ଦେଶର ଅର୍ଥନୀତିରେ। ‘ଗାଁ ଓ ଗରିବ ବିକାଶ’ ଲକ୍ଷ୍ୟ ପୂରଣ ପାଇଁ ଆବଶ୍ୟକ ରାଜସ୍ୱ ଆଦାୟ ଆଶାରେ କେନ୍ଦ୍ର ସରକାର ୨୦୧୯-୨୦ ସାଧାରଣ ବଜେଟ୍‍ରେ ଯେଉଁ କେତେକ କଠୋର ଟିକସ ନୀତି ଘୋଷଣା କରିଥିଲେ ତାହାର ଫଳ ଏବେ ଅନୁଭୂତ ହେବାରେ ଲାଗିଛି। ଏକ କଠୋର ନୀତିଗତ ନିଷ୍ପତ୍ତି ବ୍ୟବସ୍ଥା ଓ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ବଦଳରେ ଅଧିକ ବିଗାଡ଼ି ଦିଏ – ଏହି ଶିକ୍ଷା ଓ ଅଭିଜ୍ଞତାକୁ ଯଦି ସରକାର ନୀତି ନିର୍ଦ୍ଧାରଣ ବେଳେ ଚିନ୍ତା କରିଥାନ୍ତେ ତେବେ ହୁଏତ ଦେଶର ଆର୍ଥିକ ଅବସ୍ଥା ଏତେ ସଙ୍ଗିନ ହୋଇନଥାନ୍ତା।
ଅଧିକ ରାଜସ୍ୱ ଆଦାୟ ଲକ୍ଷ୍ୟରେ ଅତ୍ୟୁଚ୍ଚ ଧନୀ ଓ ପ୍ରତିଭୂତି କାରବାର ବାବଦ ଲାଭାଂଶ ଉପରେ ବଜେଟ୍‍ରେ ଅତିରିକ୍ତ ସେସ୍‍ ଘୋଷଣାରେ ଅତିଷ୍ଠ ହୋଇ ବିଦେଶୀ ପୁଞ୍ଜି ନିବେଶକାରୀମାନେ ଭାରତର ପ୍ରତିଭୂତି ବଜାରରୁ ମୁହଁ ଫେରାଇବାକୁ ଆରମ୍ଭ କରିଥିଲେ। ଅବଶ୍ୟ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଗତ୍ୟା ଅତିରିକ୍ତ ସେସ୍‍ ପ୍ରତ୍ୟାହାର କରିବା ପରେ(ହାତମୁଠା କୋହଳ କରିବା ପରେ) ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ନିବେଶ ଅନ୍ତଃସ୍ରୋତ ସ୍ଥିତିରେ କିଛିଟା ସୁଧାର ଆସିଛି, କିନ୍ତୁ ସେତେବେଳର ହାତମୁଠା ଶକ୍ତ କରିବା ନିଷ୍ପତ୍ତିର ପରିଣତି ଓ ପ୍ରଭାବ ଏବେ ଉତ୍ପାଦନ, ନିର୍ମାଣ, ଶିଳ୍ପ ସୂଚକାଙ୍କ ଓ ସାମଗ୍ରିକ ଭାବରେ ଅର୍ଥନୈତିକ ଅଭିବୃଦ୍ଧି ହାରରେ ପ୍ରତିଫଳିତ ହୋଇଛି। ଏହାପୂର୍ବରୁ ଜିଏସ୍‍ଟି, କିଣାବିକାରେ ନଗଦ ଦେଣନେଣର କଟକଣା, ବ୍ୟାଙ୍କରେ ଅର୍ଥ ଉଠାଣ ଓ ଟଙ୍କା ସ୍ଥାନାନ୍ତରରେ କଟକଣା(ହାତମୁଠା କଠିନ)ର ପ୍ରଭାବ ସାମଗ୍ରିକ ଅର୍ଥନୀତିରେ କିଭଳି ପଡ଼ିଛି ତାହା ଆଉ ବୁଝାଇ କହିବା ଆବଶ୍ୟକ ନାହିଁ।
ଏବେ ଆଉ ଏକ ତଥ୍ୟ ସାମ୍‍ନାକୁ ଆସିଛି। ରାଜସ୍ୱ ବୃଦ୍ଧି ଲକ୍ଷ୍ୟରେ କେନ୍ଦ୍ର ସରକାର ଚଳିତ ଆର୍ଥିକ ବଜେଟ୍‍ରେ ସୁନା ଆମଦାନୀ ଶୁଳ୍କରେ ଯେଉଁ ୨.୫% ବୃଦ୍ଧି ନିଷ୍ପତ୍ତି ନେଇଥିଲେ ତାହାର ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିଛି। ସୀମା ଶୁଳ୍କ ଫାଙ୍କିବା ପାଇଁ ଚୋରା ଚାଲାଣ ପୂର୍ବାପେକ୍ଷା ବୃଦ୍ଧି ପାଇଛି। ଚୋରାଚାଲାଣ ହେଉଥିବା ସାମଗ୍ରୀ ମଧ୍ୟରେ ସବୁଠାରୁ ଆଗରେ ରହିଛି ସୁନା। ରାଜସ୍ୱ ଗୁଇନ୍ଦା ନିର୍ଦେଶାଳୟରୁ ପ୍ରାପ୍ତ ସୂଚନା ଅନୁଯାୟୀ ୨୦୧୮ତୁଳନାରେ ୨୦୧୯ରେ ସୁନା ଚୋରା ଆମଦାନୀ ୪୦% ବୃଦ୍ଧି ପାଇଛି। ଯଦି ଶୁଳ୍କ ହ୍ରାସ ନ ପାଏ ତେବେ ଆସନ୍ତା ବର୍ଷ ସୁନା ଚୋରାଚାଲାଣ ଆହୁରି ବଢ଼ିପାରେ ବୋଲି ଅଖିଳ ଭାରତୀୟ ରତ୍ନ ଓ ଗହଣା ପରିଷଦ ପକ୍ଷରୁ ଆଶଙ୍କା ପ୍ରକାଶ ପାଇଛି। ଆମଦାନୀ ଶୁଳ୍କ ବୃଦ୍ଧି ଜରିଆରେ ସରକାର ଯେତିକି ରାଜସ୍ୱ ଲକ୍ଷ୍ୟ ରଖିଥିଲେ ତା’ଠାରୁ ଅଧିକ କ୍ଷତି ସହିଛନ୍ତି। ଏହା କେବଳ ଆଜିର ଧାରା ନୁହେଁ, ବରଂ ଯେତେବେଳେ ବି ସୁନା ଆମଦାନୀକୁ ନିରୁତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଶୁଳ୍କ ବୃଦ୍ଧି କରିଛନ୍ତି ସେତେବେଳେ ଚୋରାଚାଲାଣ ବୃଦ୍ଧି ପାଇଛି। ଦୁର୍ଭାଗ୍ୟର ବିଷୟ ନୀତି ନିର୍ଦ୍ଧାରକମାନେ ଅତୀତର ଅନୁଭୂତିକୁ ପ୍ରୟୋଗ କରିବାକୁ ଚାହୁଁନାହାନ୍ତି।
ସେହିଭଳି ଉଚ୍ଚ ମୂଲ୍ୟର ମୋବାଇଲ୍‍ ଫୋନ୍‍ ସେଟ୍‍ ଚୋରାଚାଲାଣ ଯୋଗୁଁ କେନ୍ଦ୍ର ସରକାର ବାର୍ଷିକ ୨,୪୦୦ କୋଟି ଟଙ୍କାର କ୍ଷତି ସହିଛନ୍ତି। ଆମଦାନୀ ହେଉଥିବା ମୋବାଇଲ୍‍ ହ୍ୟାଣ୍ଡସେଟ୍‍ ଉପରେ ୨୦% ସୀମା ଶୁଳ୍କ ଓ ୧୨% ଜିଏସ୍‍ଟି ଲାଗୁ ହେଉଛି। ଭାରତରେ ଉତ୍ପାଦକଙ୍କୁ ପ୍ରୋତ୍ସାହିିତ କରିବା ପାଇଁ ଏଭଳି ବ୍ୟୟବହୁଳ ବା ଦାମୀ ହ୍ୟାଣ୍ଡସେଟ୍‍ ଉପରେ କେନ୍ଦ୍ର ସରକାର ସୀମା ଶୁଳ୍କ ବୃଦ୍ଧି କରିଥିଲେ। ଭାରତ ସରକାରଙ୍କ ଏହି ଲକ୍ଷ୍ୟ ତ ପୂରଣ ହେଲା ନାହିଁ, ଅଧିକନ୍ତୁ କେନ୍ଦ୍ରୀୟ ରାଜକୋଷ କ୍ଷତି ସହିବା ହିଁ ସାର ହେଲା। ୧୯୯୧ରେ ଜଗତୀକରଣ ଓ ଘରୋଇକରଣ ସହିତ ଉଦାରୀକରଣ ନୀତିର ମୂଳ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଥିଲା ଲାଇସେନ୍ସ ରାଜ୍‍ ବା ନାଲିଫିତା କଟକଣାକୁ ସମାପ୍ତ କରିବା। ଲାଇସେନ୍ସ ରାଜ ଯୋଗୁଁ ଭାରତରେ ଶିଳ୍ପ ପ୍ରତିଷ୍ଠା କିମ୍ବା ବ୍ୟବସାୟ ଆରମ୍ଭ କରିବା ଯେତିକି କଷ୍ଟକର ଥିଲା ବାଣିଜ୍ୟ ତା’ଠାରୁ ଅଧିକ ଜଟିଳ ପ୍ରକ୍ରିୟା ଦେଇ ଗତି କରୁଥିଲା। ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏବଂ ବିଶ୍ୱ ବିକାଶଧାରାରେ ଅଂଶୀଦାର ହେବା ପାଇଁ କଟକଣା କୋହଳ ବା ହାତମୁଠାକୁ ଖୋଲା କରି ସେତେବେଳେ ନୀତି ନିର୍ଦ୍ଧାରକମାନେ ଯେଉଁ ବିଜ୍ଞତାର ପରିଚୟ ଦେଇଥିଲେ ତାହାର ସୁଫଳ ପରବର୍ତ୍ତୀ ସମୟରେ ଦେଖିବାକୁ ମିଳିଥିଲା।
ଏବେ ରାଜସ୍ୱ ବୃଦ୍ଧି ଲକ୍ଷ୍ୟରେ କେନ୍ଦ୍ର ସରକାର ହାତମୁଠାକୁ ଆହୁରି ଶକ୍ତ କରିବାକୁ ଯାଉଛନ୍ତି। ନିତ୍ୟ ବ୍ୟବାହାର୍ଯ୍ୟ ସାମଗ୍ରୀ ଉପରେ ଲାଗୁ ହେଉଥିବା ୫% ଜିଏସ୍‍ଟିକୁ ପୁଣି ୧% ବୃଦ୍ଧି କରିବାକୁ ଯାଉଥିବା ସୂଚନା ମିଳିଛି। ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ ମାନ୍ଦାବସ୍ଥା​‌ରେ ଆକ୍ରାନ୍ତ ଉପଭୋକ୍ତା ବଜାର ଆହୁରି ପ୍ରଭାବିତ ହେବ ଓ ମୁଦ୍ରାସ୍ଫୀତି ଉତ୍କଟ ହେବ। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ସୁଧ ହାର ବୃଦ୍ଧି ପାଇଲେ ନିବେଶ ସଂକୁଚିତ ହୋଇ ଅଭିବୃଦ୍ଧି ହାର ଆହୁରି କମିବ। ଏହାର ସାମଗ୍ରିକ ପ୍ରଭାବରେ ରାଜସ୍ୱ ଧାର୍ଯ୍ୟ ଲକ୍ଷ୍ୟ ହାସଲରେ ସରକାର ବିଫଳ ହୋଇପାରନ୍ତି। ବିଶ୍ୱର ସର୍ବାଦ୍ରୁତ ଅର୍ଥନୀତିର ମାନ୍ୟତା ଲାଭ କରିଥିବା ଭାରତକୁ ଆଗାମୀ ୫ ବର୍ଷ ମଧ୍ୟରେ ୫ ଟ୍ରିଲିୟନ୍‍ ଡଲାରର ଅର୍ଥନୀତିରେ ପହଞ୍ଚାଇବାକୁ ହେଲେ ହାତମୁଠା ଶକ୍ତ କରିବାକୁ ହେବ କିମ୍ବା ଖୋଲା କରିବାକୁ ହେବ – ତାହାର ଶେଷ ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଉପରେ।

Comments are closed.