୧୨୧ କୋଟି ଟଙ୍କା ମଞ୍ଜୁର, ୩୩ ହଜାର ବିଦ୍ୟାଳୟରେ ‘ମୋ ସ୍କୁଲ୍’ପ୍ରକଳ୍ପ

ଭୁବନେଶ୍ୱର: ‘ମୋ ସ୍କୁଲ ଅଭିଯାନ’ର ୨୪ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ମାସ ଅଭାସୀ ସମ୍ମିଳନୀ (ଭର୍ଚୁଆଲ)ରେ ଅନୁଷ୍ଠିତ ବୈଠକରେ ଓଡ଼ିଶାର ୨୪ଟି ଜିଲାର ୧୨୧ କୋଟି ୨୬ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। କରୋନା କଟକଣା ସତ୍ତ୍ବେ ମାସକ ମଧ୍ୟରେ ୩୬ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ୍ ଅଭିଯାନ ସହ ଯୋଡ଼ି ହୋଇଛନ୍ତି।

ପ୍ରାକ୍ତନ ବିଦ୍ୟାର୍ଥୀ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୨୦ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ବାଲେଶ୍ୱରରେ ସର୍ବାଧିକ ୧.୭୭କୋଟି ଟଙ୍କା ସଂଗ୍ରହ ହୋଇଥିବାବେଳେ କଟକରେ ୫୩ ଲକ୍ଷ ୫୪ ହଜାର ଅର୍ଥ ଦେଇଛନ୍ତି ପ୍ରାକ୍ତନ ବିଦ୍ୟାର୍ଥୀ। ଏହା ବ୍ୟତୀତ ବିଭିନ୍ନ ଉଦ୍ୟୋଗ ସାମାଜିକ ଦାୟିତ୍ବବୋଧ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ’ ସ୍କୁଲ୍ ଅଭିଯାନକୁ ୩୫କୋଟି ୫୫ ଲକ୍ଷ ଟଙ୍କାର ଅନୁଦାନ ମିଳିଛି। ପୁରାତନ ଛାତ୍ରଛାତ୍ରୀ, ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୧୨୧ କୋଟି ୨୬ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି।

ଏଯାବତ୍ ୫ ଲକ୍ଷ ୬ହଜାର ପୁରାତନ ଛାତ୍ରଛାତ୍ରୀ ଓ ୩୩ ହଜାରରୁ ଊର୍ଦ୍ଧ୍ୱ ସ୍କୁଲ୍ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଛି। ଆସନ୍ତା ମେ’ ୧୫ସୁଦ୍ଧା ସମସ୍ତ ଜିଲାରେ ବିଦ୍ୟାଳୟ ସ୍ତରରେ ପୁରାତନ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ସମ୍ବଳିତ ଧନ୍ୟବାଦ ପତ୍ର ପ୍ରଦାନ କରାଯିବାକୁ ଲକ୍ଷ୍ୟ ରହିଛି। ମୋ’ ସ୍କୁଲ ଅଭିଯାନ ଅନ୍ତର୍ଗତ ରାଜ୍ୟ ହଜାରେ ଉଚ୍ଚ ବିଦ୍ୟାଳୟକୁ ପରବର୍ତ୍ତନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୫-ଟି ରେ ଏହି ବିଦ୍ୟାଳୟ ରୂପାନ୍ତରଣ ହେଉଛି।

ଭିତ୍ତିଭୂମି ସୁଦୃଢ ସହ ସାମଗ୍ରିକ ବିକାଶକୁ ଗୁରୁତ୍ବ ଦିଆଯାଉଛି। ଶକ୍ତି ସଂରକ୍ଷଣ କରିବାକୁ ଏହି ବିଦ୍ୟାଳୟଗୁଡ଼ିକରେ ‘ଏନର୍ଜି କ୍ଲବ୍’ ପ୍ରତିଷ୍ଠା କରାଯିବ। ପ୍ରତି ବିଦ୍ୟାଳୟରେ ସଚେତନତା ପାଇଁ ବାର୍ଷିକ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଦେବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୧୩୮୦ ଜଣ ବ୍ୟକ୍ତି ବିଭିନ୍ନ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ମୋ’ ସ୍କୁଲରେ ଚାଲିଥିବା କାର୍ଯ୍ୟକ୍ରମକୁ ଧାର୍ଯ୍ୟ ସମୟରେ ସାରିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଅନୁଷ୍ଠିତ ବୈଠକରେ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ।

Comments are closed.