ଆରମ୍ଭ ହେଲା ‘ମୋ ସରକାର’ – ଏଣିକି ଦୁଃଖ ବୁଝିବେ ନବୀନ

ଭୁବନେଶ୍ୱର: ରାଜ୍ୟରେ ସରକାରଙ୍କ ଯୋଜନା ଜନସାଧାରଣଙ୍କ ନିକଟରେ ପହଁଚୁଛି କି ନାହିଁ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପୁଲିସ ପକ୍ଷରୁ କିଭଳି ସେବା ଯୋଗାଇ ଦିଆଯାଉଛି, ତାହା ଜାଣିବା ପାଇଁ ଆଜି (ବୁଧବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’ ଯୋଜନା ଆରମ୍ଭ କରିଛନ୍ତି। ଭୁବନେଶ୍ୱର ସ୍ତିତ କ୍ୟାପିଟାଲ ହସପିଟାଲରୁ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ସହ ଫୋନରେ କଥା ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଯାଇ ସେଠାରେ ମୋ ସରକାର ପାଇଁ ହୋଇଥିବା ବ୍ୟବସ୍ଥା ବୁଲି ଦେଖିଥିଲେ ଓ ସେ ସନ୍ତୁଷ୍ଟ ଥିବା ପ୍ରତିକ୍ରିୟାରେ କହିଥିଲେ। ପରେ ମୁଖ୍ୟମନ୍ତ୍ରୀ ଯୋଜନାର ଶୁଭାରମ୍ଭ କରି କହିଥିଲେ ଯେ ସେ ୯ ଜଣ ଲୋକଙ୍କ ସହ ସିଧା ସଳଖ କଥା ହୋଇଛନ୍ତି ଏବଂ ସେମାନଙ୍କ ଠାରୁ ହସ୍ପିଟାଲ ଏବଂ ଥାନା ସମ୍ପର୍କରେ ପଚାରି ବୁଝିଥିଲେ। ନବୀନ ଲୋକମାନଙ୍କଠାରୁ ସେମାନେ ହସ୍ପିଟାଲ ଓ ଥାନା ସମ୍ପର୍କରେ ଭଲ ମତ ଦେଇଥିବା କହିଥିଲେ। ପରେ ମୁଖ୍ୟମନ୍ତ୍ରୀ ସହିଦନଗର ଥାନା ଗସ୍ତ କରି ଏହି ଯୋଜନାର ଶୁଭ ଦେଇଥିଲେ।

ମୋ ସରକାର ଯୋଜନାରେ ରାଜ୍ୟରେ ଥିବା ବିଭିନ୍ନ ହସ୍ପିଟାଲ ଓ ଥାନାଗୁଡିକରେ ସାଧାରଣ ଜନତାଙ୍କ ପ୍ରତି ହେଉଥିବା ବ୍ୟବହାର ସମ୍ପର୍କରେ ଜଣାପଡିବା ଓ ପରବର୍ତ୍ତୀ ସମୟରେ ତାହା ତର୍ଜମା କରାଯାଇ ପଦକ୍ଷେପ ନିଆଯାଇ ପାରିବ। ମିଳିଥିବା ସୂଚନା ଅନୁଯାୟୀ, ଏହି ପ୍ରକ୍ରିୟାରେ ହସ୍ପିଟାଲ ଓ ଥାନା ପକ୍ଷରୁ ମୋବାଇଲ ନମ୍ବର ରଖାଯିବ କିମ୍ବା ଜଣେ ଚାହିଁଲେ ମଧ୍ୟ ଅନଲାଇନରେ ନିଜ ନମ୍ବର ପଞ୍ଜିକରଣ କରି ମତାମତ ରଖିପାରିବେ। ମତାମତ ଅନୁକୂଳ କିମ୍ବା ପ୍ରତିକୂଳ ହୋଇପାରେ। ମତାମତ ଅନୁକୂଳ ହେଲେ ସ୍ୱାସ୍ଥ୍ୟକର୍ମୀ, ନର୍ସ ଓ ଡାକ୍ତରଙ୍କୁ ପୁରସ୍କୃତ କରାଯିବ ଏବଂ ଆବଶ୍ୟକସ୍ଥଳେ ପ୍ରମୋସନ ମଧ୍ୟ ଦିଆଯିବ ଓ ମତାମତ ପ୍ରତିକୂଳ ହେଲେ ଅନୁସନ୍ଧାନ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments are closed.