ପାଖର ପଂଚାୟତରେ ମନରେଗା ଦୁର୍ନୀତି ; ସତ ଢାଙ୍କିବାକୁ ରାତିଅଧିଆ ମେସିନ କାମ, ଧରିବା ପରିବର୍ତ୍ତେ ଖସାଇବାକୁ ଉଦ୍ୟମ

ଗଡ଼ମଧୁପୁର : ଧର୍ମଶାଳା ବ୍ଲକ ପାଖର ପଂଚାୟତରେ ମନରେଗା ଯୋଜନାରେ ହୋଇଥିବା ଦୁର୍ନୀତି ତଦନ୍ତ ପରେ ଏବେ ଏହାକୁ ଚାପି ଦେବାକୁ ସବୁମତେ ଉଦ୍ୟମ କରାଯାଉଥିବା ସ୍ଥାନୀୟ ଲୋକେ ଆଭିଯୋଗ କରିଛନ୍ତି। ସ୍ଥାନୀୟ ଜନସାଦାରଣ ଓ ଲୋକପ୍ରତିନିଧିଙ୍କ ଅଭିଯୋଗ ପରେ ପ୍ରମାଣ ଲିଭାଇବାକୁ ଚେଷ୍ଟା କରି ବଡ ପ୍ରମାଣ ଛାଡି ଯାଇଛନ୍ତି। ରାସ୍ତାରେ ମାଟି ମୁଠାଏ ପଡି ନଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର କାଗଜପତ୍ରରେ ବିଲ୍ ହୋଇ ସାରିଛି। ତେବେ ଅଭିଯୋଗକୁ ମିଛ ପ୍ରମାଣ କରିବାକୁ ପଂଚାୟତର ଅଧିକାରୀ ଓ ଉପରିସ୍ଥ ଅଧିକାରୀଙ୍କ ମିଳିତ ସଲାସୁତରାରେ ଏବେ ଏବେ ରାତି ଅଧିଆ ମେସିନ କାମ କରି ରାସ୍ତା ତିଆରି କରାଯାଇଛି ଯାହାକି ଜଳ ଜଳ ଦିଶୁଛି। ମେସିନ ଚେନର ଚିହ୍ନ ପୁରା ନିର୍ମାଣାଧିନ ରାସ୍ତା ଉପରେ ରହିଛି। ଏହି ଦୁର୍ନୀତିର ତଦନ୍ତ ନିମିତ ପଂଚାୟତର ଜନସାଧାରଣ ଓ ସମିତି ସଭ୍ୟ ସ୍ଥାନୀୟ ବିଡିଓ, ଜିଲାପାଳ ଯାଜପୁର, ୫ଟି ସଚିବ, ମନ୍ତ୍ରୀ ପଂଚାୟତିରାଜ ଓ ସିଏମଓକୁ ତଥ୍ୟଗତ ପ୍ରମାଣ ପତ୍ରଦେଇ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଜିଲାପାଳଙ୍କ ନିର୍ଦ୍ଦେଶ ପରେ ସ୍ଥାନୀୟ ବିଡିଓ ଏକ ଟିମ ଦ୍ୱାରା ତଦନ୍ତ କଲା ପରେ ଦୁର୍ନୀତି ପଦାରେ ପଡିଯାଇଥିଲା। ଏହାକୁ ସବୁମତେ ଚପାଇ ଦେବାକୁ ବ୍ଲକ କାର୍ଯ୍ୟାଳୟରେ ଏକ ବୈଠକ କରାଯାଇଥିବା ବିଶ୍ୱସ୍ତ ସୁତ୍ରରୁ ଜଣାଯାଏ। ତଦନୁଯାଇ ଘଟଣାର ରୂପରେଖ ବଦଳାଇବାକୁ ଗତକାଲି ରାତିରେ ଦୁଇଟି ମେସିନ ଏକ ସମୟରେ ଏହି ତିନୋଟି କାର୍ଯ୍ୟରେ ନିୟୋଜିତ କରାଯାଇ କାମ ସାରି ଦିଆଯାଇଛି। ଯହାହେଉ ଗଣମାଧ୍ୟମର ଚାପରେ ଖାଇସାରି ଏବେ ବାନ୍ତି କରିବାକୁ ପଡିଛି ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ। ତେବେ ତଦନ୍ତକାରୀ ଅଧିକାରୀ କି ରିପୋର୍ଟ ଦେଲେ ତାହା ଏବେ ସୁଧା ଜଣାପଡିନଥିବା ବେଳେ ଏଭଳି ରାତି ଅଧିଆ କାମ ଯେ ତଦନ୍ତକାରୀ ଅଧିକାରୀଙ୍କ  ପରୋକ୍ଷ ଇଙ୍ଗିତରେ ହୋଇନାହିଁ ତାହା କହିବା ବାହୁଲ୍ୟ। ପଂଚାୟତ ସ୍ଥରରେ ଲୋକମାନଙ୍କ ରୋଜଗାର ନିମନ୍ତେ କାମ ଯୋଗାଇଦେବା। ଉଦେଶ୍ୟରେ କରାଯାଉଥିବା ମନରେଗା କାର୍ଯ୍ୟରେ ଯେ ଏଭଲି ଦୁର୍ନୀତି ମାଡିଗଲାଣି ତାହା ପାଖର ପଂଚାୟତର ଏହି ଘଟଣା ପରେ ପଦାରେ ପଡିଛି। ନିୟମ ଅନୁଯାଇ ଏହି ଯୋଜନାରେ ଜବକାର୍ଡଧାରୀ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରି ସର୍ବନିମ୍ନ ୧୦୦ଦିନର ମଜୁରୀ ପାଇବେ କିନ୍ତୁ ଏହି ଯୋଜନାର ସୁଫଳ ଶ୍ରମିକ ମାନଙ୍କଠାରୁ ଯୋଜନ ଯୋଜନ ଦୂରରେ ରହିଛି। ସମିତିସଭ୍ୟାଙ୍କ ଅଭିଯୋଗ ଅନୁଯାଇ ଏହି ପଂଚାୟତର ତିନୋଟି ପ୍ରକଳ୍ପକୁ କାର୍ଯ୍ୟ କରିବା ପାଇଁ ମୋଟାମୋଟି ୧୪ଲକ୍ଷ ୯୮ ହଜାର ଟଙ୍କା ବ୍ୟୟ ବରାଦ ମଧ୍ୟରୁ ୬ଲକ୍ଷ ଟଙ୍କାରୁ ଅଧିକ ବିନା କାର୍ଯ୍ୟରେ ଉଠାଯାଇ ହଡପ ହୋଇସାରିଛି କିନ୍ତୁ ରାସ୍ତାରେ କୌଣସି ସ୍ଥାନରେ ଲୋକମାନଙ୍କ ଦ୍ୱାରା ମୁଠାଏ ମାଟି ପଡିନାହିଁ।

ମିଳିଥିବା ସୁଚନା ଅନୁଯାଇ ଏହି ପଂଚାୟତର ବାଜବାଟି ଗ୍ରାମର ସାଆନ୍ତାଣୀ ଘରଠାରୁ ସୁଇସ ଗେଟ, ଅଙ୍ଗନ ବାଡି ସେଣ୍ଟର ଠାରୁ ତେଲର ଦାଣ୍ଡରାସ୍ତା ଓ ଗଉଡବୁଢା ପିଠରୁ କୁଆଁରିଆ ନାଳ ପର୍ଯ୍ୟନ୍ତ ଏହି ତିନୋଟି ରାସ୍ତାରେ ଏହି ଦୁର୍ନୀତି ହୋଇଛି। ପ୍ରଶ୍ନ ଉଠୁଛି କୌଣସି ଲୋକ କାମ କରିନଥିବା ଓ ରାସ୍ତାରେ ମୁଠାଏ ମାଟି ପଡିନଥିବା ସ୍ଥିତିରେ ରାସ୍ତାକୁ ତଦନ୍ତ ନ କରି, କ୍ଷେତ୍ର ପରିଦର୍ଶନ ନକରି ୬ଲକ୍ଷରୁ ଅଧିକ ବିଲକୁ କିପରି ମଞ୍ଜୁରୀ ମିଳିଲା? ଚଞ୍ଚକତା  କରି  ଏସବୁ କରାଯାଇଥିବା ଅଭିଯୋଗକାରୀ ମାନେ କହିଛନ୍ତି। ୨୦୨୧ ଅର୍ଥିକ ବର୍ଷରେ ଦ୍ୱୀତିୟ ପ୍ରକଳ୍ପ ପାଇଁ  ମଜୁରୀ ବାବଦକୁ ୪ଲକ୍ଷ ୬୭ହଜାର ଓ ଜିନିଷ କିଣିବା ପାଇଁ ୩୨୩ହଜାର ୫ଶହ ଟଙ୍କାର ଖର୍ଚ୍ଚ ନିମନ୍ତେ ବ୍ୟୟ ବରାଦ ହୋଇଥିଲା। ଗୋଟିଏ ଶ୍ରମଦିବସ କାର୍ଯ୍ୟ ହୋଇନଥିବା ବେଳେ ୧୫୬୮ ଶ୍ରମ ଦିବସ ସୃଷ୍ଟି ହୋଇଥିବା ଦର୍ଶାଯାଇଛି। ମୋଟା ମୋଟି ଦେଖିବାକୁ ଗଲେ ଏହି ତିନୋଟି ପ୍ରକଳ୍ପରେ ସମ୍ପୂର୍ଣ୍ଣ ଭାବେ ଚଞ୍ଚକତା କରାଯାଇଛି। ଯାହା କି ତଦନ୍ତ ସାପେକ୍ଷ ହୋଇପଡିଛି। ଏପରି କରାଯିବା ଦ୍ୱାରା ଏହି ଯୋଜନାର ଉଦେଶ୍ୟ ସାଧିତ ହେବା ପରିବର୍ତ୍ତେ ଯୋଜନା ଲକ୍ଷ୍ୟ ଦୂରକୁ ଚାଲିଯାଉଛି। ମନରେଗା ଯୋଜନା ଧର୍ମଶାଳା ବ୍ଲକରେ ଏକ ବିଶେଷ ଉପାୟ ଅବଲମ୍ବନ କରାଯାଇ ମେସିନ କିପରି ମଣିଷର କାର୍ଯ୍ୟକୁ ବ୍ୟବସ୍ଥିତ ଭାବରେ କରିପାରିବ ତାର ଟେର କେହି ପାଇ ପାରିବେ ନାହିଁ ସେଭଳି ବ୍ୟବସ୍ଥା କରାଯାଉଛି। ଏହାକୁ ଏପରି ଭାବରେ କରିବାକୁ ଉପରୁ ସବୁଜ ସଙ୍କେତ ମିଳିଥିବା କୁହାଯାଉଛି। ଏହି ବାବଦରେ ବ୍ୟୟବରାଦ ହୋଇଥିବା ଅର୍ଥକୁ ହଡପ କରିବାକୁ ଏକ ସୁନ୍ଦର ବ୍ୟବସ୍ଥା କରାଯାଇ ଯାଇଛି। ତଦାରଖ ଓ ବ୍ୟବସ୍ଥିତ କରିବାକୁ ଥିବା ଅଧିକାରୀ ଓ ସ୍ଥାନୀୟ ଲୋକପ୍ରତିନିଧି ମାନେ ମିଶି ଏହି ବାବଦରେ ଖର୍ଚ୍ଚ କରିବାକୁ ଥିବା ଟଙ୍କାକୁ କିପରି କେବଳ କାଗଜ କଲମରେ ମଣିଷ କାମକୁ ମେସିନ ମାଧ୍ୟମରେ ହଡପ କରାଯାଇପାରିବ ଏବଂ ତାହା ପୁଣି ବ୍ୟବସ୍ଥା ଭିତରେ ତାର ଏକ ବ୍ଲୁ ପ୍ରିଣ୍ଟ କରାଯାଉଛି। ଅଧିକାରୀ ମାନଙ୍କ କାର୍ଯ୍ୟକୁ ସହଜ କରିବାକୁ ମନରେଗାରେ ଥିବା ପ୍ରକଳ୍ପକୁ ବ୍ଲକଗ୍ରାଣ୍ଟ କିମ୍ବା ବିଧାୟକଙ୍କ ହାତପାଣ୍ଠି କିମ୍ବା ଅନ୍ୟ କୌଣସି ପାଣ୍ଠିରୁ କିଛି ପାଣ୍ଠି ମିଶାଇ ଦିଆଯାଉଛି। ଯଦ୍ୱାରା ରାସ୍ତା, ପୋଖରୀ କିମ୍ବା ଅନ୍ୟ କୌଣସି କାର୍ଯ୍ୟକୁ ମେସିନ ସାହାଯ୍ୟରେ କରାଯାଇପାରିବ। ଅଭିଯୋଗ ହେଲେ ତାହା ରାଜ୍ୟ ସରକାରଙ୍କ ଅର୍ଥରେ ହେଉଥିବାର ଦର୍ଶାଯିବ। ପରେ ସେହି କାର୍ଯ୍ୟ ଉପରେ ମନରେଗା ଅର୍ଥକୁ ବିନିଯୋଗ କରାଯାଇ ହଡପ କରାଯାଇପାରିବ ତାର ସୁବନ୍ଦୋବସ୍ତ ସରକାରୀ ସ୍ତରରେ କରିଦିଆ ଯାଇଥିବା ଜଣାଯାଇଛି। ଯାହାକି ପାଖର ଘଟଣାରୁ ସ୍ପଷ୍ଟ ହୋଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Comments are closed.