ଦାଦନ ପ୍ରବଣ ଅଞ୍ଚଳରେ ମନରେଗାର ଦୟନୀୟ ଚିତ୍ର – କାଗଜ କଲମରେ ସଫଳ

ପାଟଣାଗଡ (ଲକ୍ଷ୍ମିକାନ୍ତ ମିଶ୍ର): ତିନୋଟି ବ୍ଲକ ପାଟଣାଗଡ, ବେଲପଡା ଏବଂ ଖପ୍ରାଖୋଲକୁ ନେଇ ଗଠିତ ପାଟଣାଗଡ ଉପଖଣ୍ଡ। ତନ୍ମଧ୍ୟରୁ ଦୁଇଟି ବ୍ଲକ ଖପ୍ରାଖୋଲ ଏବଂ ବେଲପଡା ସଂପୂର୍ଣ୍ଣ ଭାବରେ ଦାଦନ ପ୍ରବଣ ଅଞ୍ଚଳ ଭାବରେ ପରିଗଣିତ। ପେଟ ଚାଖଣ୍ଡକ ପାଇଁ ମୁଠାଏ ଯୋଗାଡ କରିବା ଚିନ୍ତାରେ ଏ ଅଞ୍ଚଳର ଶ୍ରମିକ ଚିନ୍ତିତ। ଯେଉଁଠି ସେତକ ଯୋଗାଡ କରିବା ତା ପାଇଁ ଅସମ୍ଭବ, ସେଠି ରହିବା ମଧ୍ୟ ଅସମ୍ଭବ। ଏଣୁ ସେମାନେ ଫି ବର୍ଷ ନୂଆଁଖାଇ ପରେ ପରେ ନିଜର ଭିଟାମାଟିକୁ ଛାଡି ଚାଲିଯାଆନ୍ତି। କେତେବେଳେ ଜିଲ୍ଲା ବାହାରକୁ ତ ଆଉ କେତେବେଳେ ରାଜ୍ୟ ବାହାରକୁ। ସେମାନେ ପାଲଟି ଯାଆନ୍ତି ଦାଦନ। ଯଦିଓ ଖାଦ୍ୟ ଅଭାବ ଦାଦନ ସମସ୍ୟାର ମୁଖ୍ୟ କାରଣ, ରୋଜଗାରର ଅଭାବ ଏବଂ କାମ ଧନ୍ଦାର ଅଭାବ ମଧ୍ୟ ଏ ସମସ୍ୟା ପାଇଁ ବିଶେଷ ଭାବରେ ଦାୟୀ। ପ୍ରଥମେ ପ୍ରଥମେ ସରକାର ଶ୍ରମିକଙ୍କ ଏହି ବିସ୍ଥାପନକୁ ଶ୍ରମିକମାନଙ୍କର ଏକ ପ୍ରବୃତ୍ତି ବୋଲି ବିବେଚନା କରି ଅଣଦେଖା କରିଚାଲିଥିଲେ ମଧ୍ୟ କ୍ରମବର୍ଦ୍ଧିଷ୍ଣୁ ଏହି ସମସ୍ୟା ସଂପର୍କିତ ଏବଂ ସତ୍ୟ ଉପରେ ଆଧାରିତ ବିଭିନ୍ନ ସମସ୍ୟା ଉପରେ ଗଣମାଧ୍ୟମ ଆଲୋକପାତ କଲା ସେତେବେଳେ ବାଧ୍ୟ ହୋଇ ଏହି ବିସ୍ଥାପନ ପଛରେ ଶ୍ରମିକମାନଙ୍କ ଅସହାୟତା ଥିବା ସ୍ୱୀକାର କଲେ ସରକାର। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏ ସମସ୍ୟାର ସମାଧାନ ପାଇଁ ଚିନ୍ତା ପ୍ରକଟ କଲା ପରେ ଆରମ୍ଭ ହେଲା ଶ୍ରମ ଭିତ୍ତିକ କାର୍ଯ୍ୟକ୍ରମ, ଖାଦ୍ୟ ପାଇଁ କାମ ଯୋଜନା ସବୁ। ଆରମ୍ଭ ହେଲା ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା। ଗୋଟିଏ ପଟେ କେନ୍ଦ୍ର ସରକାର ଏହି ଯୋଜନାରେ ଟଙ୍କାର ଅଭାବ ନାହିଁ ବୋଲି ଘୋଷଣା କରୁଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏହି ଯୋଜନା ଉପରେ ବିଶେଷ ଗୁରୁତ୍ୱ ଦେଇଆସୁଛନ୍ତି। ତେବେ ଦାଦନ ସମସ୍ୟାକୁ କାହିଁକି ରୋକି ପାରୁ ନାହିଁ ଏହି ଯୋଜନା ?

ସୂଚନାନୁଯାୟୀ, ୩୦ ଗ୍ରାମ ପଞ୍ଚାୟତ ବିଶିଷ୍ଟ ପାଟଣାଗଡ ବ୍ଲକରେ ୨୪ ହଜାର୯୪୬ଟି ପରିବାରର ୫୩ ହଜାର ୫୯୨ ଜଣ ବ୍ୟକ୍ତି ଏହି ଯୋଜନାରେ ନାମ ପଞ୍ଜୀକରଣ କରାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନୁସୂଚୀତ ଜାତି ବର୍ଗର ୩ ହଜାର ୩୭୪ ଜଣ, ଅନୁସୂଚୀତ ଜନଜାତି ବର୍ଗର ୬ ହଜାର ୪୬୨ ଜଣ ଏବଂ ଅନ୍ୟାନ୍ୟ ବର୍ଗର ୧୪ ହଜାର ୧୫୭ ଜଣଙ୍କୁ ମିଶାଇ ମୋଟ ୨୩ ହଜାର ୯୯୩ ଜଣଙ୍କୁ ଜବକାର୍ଡ ପ୍ରଦାନ କରାଯାଇଛି। ୧୦ ହଜାର ୮୭୨ଟି ପରିବାରର ୨୦୭୪୬ ଜଣ କାମ ପାଇଁ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ହଜାର ୮୨୨ଟି ପରିବାରର ୨୦ ହଜାର ୫୯୮ଜଣଙ୍କୁ କାମ ଦିଆଯାଇ ୪ ଲକ୍ଷ ୧୮ ହଜାର ୨୮୦ ଶ୍ରମ ଦିବସ ସୃଷ୍ଟି କରାଯାଇ ପାରିଛି। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ୨୨୮ଟି ପରିବାର ୧୦୦ ଦିନର କାମ ସଂପୂର୍ଣ୍ଣ କରିସାରିଛନ୍ତି। ସେହିଭଳି ଦାଦନ ପ୍ରବଣ ୨୪ ଗ୍ରାମ ପଞ୍ଚାୟତ ବିଶିଷ୍ଟ ବେଲପଡା ବ୍ଲକରେ ୨୬ ହଜାର ୪୨୪ଟି ପରିବାରର ୫୯ ହଜାର ୭୦୫ ଜଣ ନାମ ପଞ୍ଜୀକରଣ କରାଇଥିବା ବେଳେ ଅନୁସୂଚୀତ ଜାତି ବର୍ଗର ୩ ହଜାର ୮୮୧ ଜଣଙ୍କୁ, ଅନୁସୂଚୀତ ଜନଜାତି ବର୍ଗର ୭ ହଜାର ୯୭୭ ଜଣ ଏବଂ ଅନ୍ୟାନ୍ୟ ବର୍ଗର ୧୪ ହଜାର ୩୫୫ ଜଣଙ୍କୁ ମିଶାଇ ମୋଟ ୨୬ ହଜାର ୨୧୩ ଜଣଙ୍କୁ ଜବକାର୍ଡ ପ୍ରଦାନ କରାଯାଇଛି।

ସେମାନଙ୍କ ମଧ୍ୟରୁ ୮ ହଜାର ୯୭୮ଟି ପରିବାରର ୧୫ ହଜାର ୪୦୫ ଶ୍ରମିକ କାମ ପାଇଁ ଆବେଦନ କରିଥିବା ବେଳେ ୮ ହଜାର ୯୬୬ଟି ପରିବାରର ୧୫ ହଜାର ୩୭୩ ଜଣଙ୍କୁ କାମ ଯୋଗାଇ ଦିଆଯାଇଥିବା ଜଣାଯାଇଛି। ଏହି ବ୍ଲକରେ ୨୨୮ଟି ପରିବାର ୧୦୦ ଦିନର କାମ ସଂପୂର୍ଣ୍ଣ କରିଥିବା ବେଳେ ୩ ଲକ୍ଷ ୫୬ ହଜାର ୪୨୪ ଶ୍ରମ ଦିବସ ସୃଷ୍ଟି କରାଯାଇଥିବା ଜଣାଯାଇଛି। ଉପଖଣ୍ଡର ଅନ୍ୟତମ ଦାଦନ ପ୍ରବଣ ୨୧ ଗ୍ରାମ ପଞ୍ଚାୟତ ବିଶିଷ୍ଟ ଖପ୍ରାଖୋଲ ବ୍ଲକରେ ୨୬ ହଜାର ୨୩୦ଟି ପରିବାରର ୫୫ ହଜାର ୬୯୩ ଜଣ ଶ୍ରମିକ ନାମ ପଞ୍ଜୀକୃତ କରିଥିବା ବେଳେ ୩ ହଜାର ୮୬୪ ଜଣ ଅନୁସୂଚୀତ ଜାତି ବର୍ଗର, ୮ ହଜାର ୪୪୯ ଜଣ ଅନୁସୂଚୀତ ଜନଜାତି ବର୍ଗର ଏବଂ ୧୩ ହଜାର ୫୧୩ ଜଣ ଅନ୍ୟାନ୍ୟ ବର୍ଗର ଶ୍ରମିକଙ୍କୁ ମିଶାଇ ମୋଟ ୨୫ ହଜାର ୮୨୬ ଜଣଙ୍କୁ ଜବକାର୍ଡ ପ୍ରଦାନ କରାଯାଇଥିବା ଜଣାଯାଇଛି। ବର୍ତ୍ତମାନ ସୁଦ୍ଧା ବ୍ଲକର ୧୩ ହଜର୨୦୨ଟି ପରିବାରର ୨୫ ହଜାର ୩୯ ଜଣ ଶ୍ରମିକ କାମ ପାଇଁ ଆବେଦନ କରିଥିବା ବେଳେ ସମସ୍ତଙ୍କୁ କାମ ଯୋଗାଇ ଦିଆଯାଇ ୪ ଲକ୍ଷ ୮୮ ହଜାର ୯୧୯ ଶ୍ରମ ଦିବସ ସୃଷ୍ଟି କରାଯାଇପାରିଥିବା ଜଣାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ବ୍ଲକରେ ୭୭୧ଟି ପରିବାର ୧୦୦ ଦିନର କାମ ସଂପୂର୍ଣ୍ଣ କରିସାରିଥିବା ଜଣାଯାଇଛି।

ଯଦିଓ ସରକାରୀ ଭାବରେ ଦିଅଯାଇଥିବା ତଥ୍ୟ ଅନୁସାରେ କାମ ପାଇଁ ଆବେଦନ କରିଥିବା ଶ୍ରମିକଙ୍କୁ ପର୍ଯ୍ୟାପ୍ତ ଭାବରେ କାମ ଯୋଗାଇ ଦିଆଯାଉଛି ତେବେ ମଧ୍ୟ କମୁ ନାହିଁ ଦାଦନ ଶ୍ରମିକଙ୍କ ସଂଖ୍ୟା। ଧୀରେ ଧୀରେ ବଢିଚାଲିଛି ସେମାନଙ୍କ ନିର୍ଯ୍ୟାତନାର କରୁଣ କାହାଣୀ। ମନରେଗା ଯୋଜନାରେ କେଉଁଠି ରାଜସ୍ଥାନୀ ଟ୍ରାକ୍ଟର କାମ କଲାଣି ତ କେଉଁଠି ନିର୍ବାଚିତ ପ୍ରତିନିଧି ମାନଙ୍କ ହସ୍ତକ୍ଷେପ ଯୋଗୁଁ ଶ୍ରମିକ ବଦଳରେ ଠିକାଦାର କାମ କଲାଣି। କେଉଁଠି କାମର ଅନିଶ୍ଚିତତା ହେତୁ ବେରୋଜଗାରୀ ଭତ୍ତା ଦେବା ଭୟରେ ଜବକାର୍ଡ ଦିଆଯାଇନଥିବା ବେଳେ କେଉଁଠି ମିଥ୍ୟା ମଷ୍ଟର ରୋଲ କରି ସବି ଚଳୁ କରିଦିଆଗଲାଣି ତ ଆଉ କେଉଁଠି କାମ ନପାଇ ଜବକାର୍ଡକୁ ଶ୍ରମିକ ବନ୍ଧା ପକାଇ ସାରିଲେଣି। ତେବେ ଏତିକି ମାତ୍ର କୁହାଯାଇପାରେ ଯେ, ଯୋଜନା ରହିଛି, କିନ୍ତୁ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ମାନସିକତା ସୃଷ୍ଟି ହୋଇପାରିନାହିଁ। ଅନ୍ୟପଟେ କାଗଜ କଲମରେ ଯୋଜନାର ସଫଳତା ଏତେ ବେଶୀ ଯେ, ଓଡିଶାର ସ୍ଥାନ ବହୁ ଉର୍ଦ୍ଧ୍ବରେ ରହିଛି।

Comments are closed.