ଏମ୍‍କେସିଜି ଚତୁର୍ଦିଗ ସିଲ୍

ବ୍ରହ୍ମପୁର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ଏମ୍‍କେସିଜି ମେଡିକାଲ କଲେଜ ଓ ହସପିଟାଲର ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇଛି। ମୁଖ୍ୟ ଫାଟକରେ କେବଳ ଆମ୍ବୁଲାନ୍ସ ଓ ଗୁରୁତର ରୋଗୀଙ୍କୁ ଛଡା ଯାଉଥିବା ବେଳେ କାଜୁଆଲିଟିରେ ଚିକିତ୍ସା ପ୍ରଦାନ କରାଯାଉଛି।
ଏହି ମେଡିକାଲରୁ ପ୍ରତ୍ୟେକ ଦିନ ଡାକ୍ତର ଓ ନର୍ସ କରୋନାରେ ଆକ୍ରାନ୍ତ ହେଉଛନ୍ତି। କରୋନାରେ ଆକ୍ରାନ୍ତ ହୋଇସାରିଥିବା ଲୋକେ ସାଧାରଣ ଚିକିତ୍ସା ପାଇଁ ଏଠାକୁ ଆସୁଛନ୍ତି। ସେମାନଙ୍କୁ ଚିକିତ୍ସା କରି ଏଠାକାର ଡାକ୍ତର, ନର୍ସ ଓ କର୍ମଚାରୀ ସଂକ୍ରମିତ ହେଉଛନ୍ତି। ଆଜି ପର୍ଯ୍ୟନ୍ତ ଏମକେସିଜି ମେଡିକାଲରୁ ଶତାଧିକ କର୍ମଚାରୀ ଏହି ମହାମାରୀର ଶିକାର ହୋଇସାରିଛନ୍ତି। ଏପଟେ ବଡମେଡିକାଲ ହୋଇଥିବାରୁ ଗଞ୍ଜାମ ସମେତ ଆଖାପଖ ଜିଲା ଓ ଆନ୍ଧ୍ରସୀମାନ୍ତରୁ ପ୍ରତ୍ୟେକ ଦିନ ଶହ ଶହ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି। ଆଉ କାହାପାଖରେ କରୋନା ରହିଛି ତାହା ଜାଣିବା ମୁସ୍କିଲ ହୋଇପଡ଼ୁଛି। ଯେଉଁଥିପାଇଁ ଅଜାଣତରେ ଏମକେସିଜିର ଡାକ୍ତର ଓ ନର୍ସ ସଂକ୍ରମିତ ହେଉଛନ୍ତି। ଏହି ଧାରାରେ ରୋକ ଲଗାଇବାକୁ ଜିଲା ପ୍ରଶାସନ ଏମ୍‍କେସିଜିରେ ବହିର୍ବିଭାଗ ସେବା ତଥା ଆଉଟଡୋରକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ସେହି କ୍ରମରେ ଗତକାଲି ରାତିରେ ଏମ୍‍କେସିଜି ମେଡିକାଲର ପଛ ଗେଟରେ ଥିବା ଗଳାବାଟରେ ବାଉଂଶ ବାନ୍ଧି ବନ୍ଦ କରାଯାଇଥିଲା। ସେହିପରି ଏମକେସିଜି ଭିତର ଦେଇ ଯାଇଥିବା ଭାବିନିପୁର-ଗୋଇଲୁଣ୍ଡି ରାସ୍ତାର ୨ଟି ସ୍ଥାନରେ ବ୍ୟାରିକେଡ ନିର୍ମାଣ କରି ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଗୋଇଲୁଣ୍ଡିରୁ ମେଡିକାଲ କଲେଜ ପଡ଼ିଆ ଛକରୁ ଆସିବା ରାସ୍ତାକୁ ବନ୍ଦ କରାଯାଇଥିବା ବେଳେ ସିଦ୍ଧାର୍ଥନଗର ଛକରୁ ଖେଳପଡ଼ିଆ ଛକୁ ଆସିବା ରାସ୍ତାକୁ ମଧ୍ୟ ବନ୍ଦ କରାଯାଇଛି। ଏପଟେ ଏମ୍‍କେସିଜିର ମୁଖ୍ୟଫାଟକରେ ପୁଲିସ ଓ ସୁରକ୍ଷା କର୍ମୀ ନିୟୋଜିତ କରାଯାଇ କେବଳ ଗୁରୁତର ରୋଗୀଙ୍କୁ ହିଁ ଭିତରକୁ ଯିବାକୁ ଦିଆଯାଇଛି। ଫଳରେ ଆଜି ସକାଳୁ ମୁଖ୍ୟଫାଟକରେ ବହୁ ରୋଗୀଙ୍କ ଭିଡ ଜମିଥିଲା। କିଛି ରୋଗୀ ଚିକିତ୍ସା ପାଇଁ ଭିତରକୁ ଯିବାକୁ ଚାହୁଁଥିଲେ ମଧ୍ୟ ଗୁରୁତର ନଥିବାରୁ ସେମାନଙ୍କୁ ଫେରାଇ ଦିଆଯାଇଥିଲା। ଜିଲା ପ୍ରଶାସନ ଓ ଏମ୍‍କେସିଜି କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତି ଯୋଗୁ ଆଜି ଏମ୍‍କେସିଜିରେ ରୋଗୀ ସଂଖ୍ୟା ଢେର ହ୍ରାସ ପାଇଥିଲା। ସନ୍ଧ୍ୟାସୁ୍ଦ୍ଧା ମାତ୍ର ୧୩୦ ଜଣ ରୋଗୀ ଏମ୍‍କେସିଜି ଭିତରକୁ ଯାଇଥିଲେ। ଆଉ ସମସ୍ତଙ୍କୁ କାଜୁଆଲିଟିରେ ଚିକିତ୍ସା ପରେ ସେମାନଙ୍କ ରୋଗ ଅନୁସାରେ ୱାର୍ଡକୁ ପଠା ଯାଇଥିଲା। ରୋଗୀଙ୍କ ମଧ୍ୟରେ ଅଧିକାଂଶ ଗର୍ଭବତୀ ରହିଥିଲେ। ଏମ୍‍କେସିଜିକୁ ଆସୁଥିବା ରୋଗୀଙ୍କ ଚିକିତ୍ସା ପୂର୍ବରୁ ତାଙ୍କ ଠାରେ କରୋନା ଅଛିକି ନାହିଁ ତାହା ଜାଣିବାକୁ ସବୁ ରୋଗୀଙ୍କୁ ଅଣ୍ଟିଜେନ ଟେଷ୍ଟ କରାଯିବ ବୋଲି ଏମ୍‍କେସିଜିର ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର କହିଛନ୍ତି।

Comments are closed.