ମିୟାବାକି ବନୀକରଣ ପଦ୍ଧତିର ପ୍ରୟୋଗଶାଳା ମାଲକାନଗିରି: ସୃଷ୍ଟି ହେବ ଘଞ୍ଚ ଜଙ୍ଗଲ, ମିଳିବ ପ୍ରଚୁର ଅମ୍ଲଜାନ

ମାଲକାନଗିରି:ବିଶ୍ୱ ତାପନ ବୃଦ୍ଧି ଯୋଗୁଁ ଜଳବାୟୁ ଓ ପାଣିପାଗ ଉପରେ ତାହାର ଗଭୀର ପ୍ରଭାବ ପଡୁଛି। ମୃତ୍ତିକା ଓ ବାୟୁ ଆଦି ପ୍ରାକୃତିକ ସମ୍ପଦ ଧୀରେ ଧୀରେ ହ୍ରାସ ପାଇବା ସହ ପ୍ରଦୂଷଣ ବୃଦ୍ଧି ପାଉଛି। ଏଥିରୁ ରକ୍ଷା ପାଇବା ପାଇଁ ଏକମାତ୍ର ଉପାୟ ପ୍ରାକୃତିକ ସମ୍ବଳର ସୀମିତ ତଥା ନିୟନ୍ତ୍ରିତ ବ୍ୟବହାର ଏବଂ ନୂତନ ଜଙ୍ଗଲ ସୃଷ୍ଟି। ପାରମ୍ପରିକ ପଦ୍ଧତିରେ ଚାରା ରୋପଣ ପାଇଁ ବିଭିନ୍ନ କର୍ୟ୍ୟକ୍ରମ ହାତକୁ ନିଆଯାଉଛି। ତଥାପି ସେଥିରୁ କୌଣସି ତୁରନ୍ତ ଫଳାଫଳ ମିଳୁନି। ଏଥିପାଇଁ ଚାରା ରୋପଣ କର୍ୟ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ଗବେଷଣା ଚାଲୁ ରହିଛି। ସେହିଭଳି ଏକ ଗବେଷଣାଲବ୍ଧ ନୂତନ ଜ୍ଞାନକୌଶଳ ମିୟାବାକି ବନୀକରଣ ପଦ୍ଧତି। ଆଞ୍ଚଳିକ ବା ସ୍ଥାନୀୟ ପ୍ରଜାତିର ଚାରାକୁୁ ସହରାଞ୍ଚଳରେ ମିଶ୍ରିତ ଭାବେ ରୋପଣ କରି ଦ୍ରୁତ ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ଏହି ପଦ୍ଧତିର ଲକ୍ଷ୍ୟ। ଏହି ପଦ୍ଧତିର ସଫଳ ପ୍ରୟୋଗ ପାଇଁ ମାଲକାନଗିରି ଜଙ୍ଗଲ ବିଭାଗ ତରଫରୁ ଏହାର ଏକ ପରୀକ୍ଷାମୂଳକ ବନୀକରଣ କର୍ୟ୍ୟକ୍ରମ ହାତକୁ ନିଆଯାଇଛି। ଏହାର ଫଳପ୍ରଦ ପ୍ରୟୋଗ ଆଗାମୀ ଦିନରେ ଓଡିଶାରେ ଦ୍ରୁତ ଜଙ୍ଗଲ ସୃଷ୍ଟି ପାଇଁ ଏକ ନୂତନ ଦିଗ୍‍ଦର୍ଶନ ଦେବ। ଉକ୍ତ ପଦ୍ଧତିକୁ ଓଡିଶାର ମାଲାକନଗିରି ଜିଲାରେ ପ୍ରଥମ ଥର ପାଇଁ ଆରମ୍ଭ କରାଯାଇଛି। ଜାପାନର ପ୍ରସିଦ୍ଧ ଉଦ୍ଭିଦ ବିଜ୍ଞାନବିତ୍‍ ଓ ପରିବେଶବିଜ୍ଞାନୀ ଡଃ ଆକିରା ମିୟାବାକିଙ୍କ ଦ୍ୱାରା ଅନୁସୃତ ଓ ପ୍ରଚଳିତ ଚାରାରୋପଣ ପଦ୍ଧତି ତାଙ୍କ ନାମାନୁସାରେ ମିୟାବାକି ବନୀକରଣ ପଦ୍ଧତି ଭାବେ ପରିଚିତ।
ଏହି ପଦ୍ଧତିକୁ ପ୍ରୟୋଗ କରି ବୈଜ୍ଞାନିକ ମିୟାବାକି, ଜାପାନ ଓ ପ୍ରଶାନ୍ତସାଗରୀୟ ଅଞ୍ଚଳରେ ପ୍ରାୟ ୧୭୦୦ଟି ସ୍ଥାନରେ ୧୭ ମିଲିୟନ ଚାରା ରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରାଯିବ। ଏହି ପଦ୍ଧତି ଦ୍ୱାରା ଖୁବ୍‍ ଦ୍ରୁତଗତିରେ ନୂତନ ଜଙ୍ଗଲ ସୃଷ୍ଟି ହେବା ସହ ଏକ ଜୈବ ବିବିଧତା ପରିବେଶ ସୃଷ୍ଟିରେ ସହାୟକ ହୋଇପାରିବ। ପାରମ୍ପରିକ ପଦ୍ଧତି ଠାରୁ ଏହା ୧୦ ଗୁଣ ଅଧିକ ବେଗରେ ୩୦ ଗୁଣ ଅଧିକ ଘଞ୍ଚ ଓ ଶହେଗୁଣ ଜୈବ ବିବିଧତା ଜଙ୍ଗଲ ସୃଷ୍ଟି କରୁଛି।

ଏଥିରେ ସ୍ଥାନୀୟ ପ୍ରଜାତିର ଚାରା ରୋପଣ ଓ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ ଦ୍ୱାରା ଏହାର ପରିଚାଳନା ଖର୍ଚ୍ଚ ସ୍ୱଳ୍ପ ଓ ଚ ଜଙ୍ଗଲ ସୃଷ୍ଟିରେ ସହାୟକ ହୋଇପାରିବ। ପରିବେଶୀୟ ସନ୍ତୁଳନ ପାଇଁ ଏହି ପଦ୍ଧତିରେ ବ୍ୟବହୃତ ଆଞ୍ଚଳିକ ମଞ୍ଜି ଓ ଚାରା ଅଧିକ ସହାୟକ ଓ ପ୍ରାକୃତିକ ପରିବେଶ ଗଠନରେ ଅଧିକ ଉପଯୋଗୀ। ସ୍ଥାନୀୟ ଅଞ୍ଚଳରେ ବଢି ଉଠିଥିବା ଗଛ ସବୁ ସଂପୃକ୍ତ ଅଞ୍ଚଳର ପ୍ରାକୃତିକ ପରିବେଶରେ ଜନ୍ମି ଥାଆନ୍ତି। ସେଗୁଡିକର ମଞ୍ଜିରୁ ନୂତନ ଜଙ୍ଗଲ ସୃଷ୍ଟି ଦ୍ୱାରା ସେଗୁଡିକ ସଂଘର୍ଷମୟ ପ୍ରାକୃତିକ ପରିବେଶରେ ତିଷ୍ଠି ରହିପାରନ୍ତି। ଗୁଳ୍ମ, କ୍ଷୁଦ୍ରଗଛ, ବୃହତ୍ତଛାୟା ପ୍ରଦାନକାରୀ ଗଛ ସବୁ ମିଶ୍ରିତ ରୋପଣ ଦ୍ୱାରା ଏକ ପ୍ରତିଯୋଗିତା ତଥା ସହାୟକ ପରିବେଶ ଗଛ ବଢିବାରେ ଓ ତିଷ୍ଠି ରହିବାରେ ସାହା ଯ୍ୟ କର।
ବର୍ତ୍ତମାନ ଦୃତ ଓ ଘଞ୍ଚ ବନୀକରଣର ଆବଶ୍ୟକତା ଦୃଷ୍ଟିରୁ ଏହି ମିୟାବାକି ବନୀକରଣ ପଦ୍ଧତି ଧୀରେ ଧିରେ ଅଧିକ ଲୋକପ୍ରିୟତା ଲାଭ କରୁଛି। ମାଲକାନଗିରି ଜିଲାରେ ଏହି ପଦ୍ଧତିକୁ ଅବଲମ୍ବନ କରାଯାଇ ସଦର ମହକୁମା ମୁଖ୍ୟଚିକିତ୍ସାଳୟ ପରିସରରେ ବୃକ୍ଷ ରୋପଣ କରା ଯାଇଛି। ଯାହାକୁ ଦେଖିବା ପାଇଁ ରୋଗୀ, ରୋଗୀଙ୍କ ସମ୍ପର୍କୀୟ, ଡାକ୍ତର ଏବଂ କର୍ମଚାରୀ ଓ ବିଭିନ୍ନ ପରିବେଶବିତ୍‍ ପ୍ରତିଦିନ ଆସୁଛନ୍ତି।
ବୈଜ୍ଞାନିକ ଆକିର ମିୟାବାକିଙ୍କ ଦ୍ୱାରା ଜାପାନ ଓ ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ଏହାର ସଫଳ ପ୍ରୟୋଗ ଦ୍ୱାରା ପ୍ରାୟ ଲକ୍ଷ ଲକ୍ଷ ହେକ୍ଟର ଆଂଚଳିକ ଜଙ୍ଗଲ ସୃଷ୍ଟି ସହ ସମଗ୍ର ଏସିଆ ମହାଦେଶରେ ସହରାଞ୍ଚଳ ଓ ପାହାଡିଆ ଅଂଚଳରେ ମଧ୍ୟ ଏହାର ସଫଳ ପ୍ରୟୋଗ କରା ଯାଇପାରିଛି। ସଂପ୍ରତି ଭାରତର ବିଭିନ୍ନ ସହରାଂଚଳ, ତଥା ପରିବେଶଗତ ପ୍ରତିରୋଧି ଅଂଚଳ ଓ ଦୃତ ପ୍ରାକୃତିକ ଜଙ୍ଗଲ ଅବକ୍ଷୟ ଅଂଚଳରେ ଏହାର ସଫଳ ପ୍ରୟୋଗ ଓ ପରୀକ୍ଷଣ କରା ଯାଇଛି।
ପ୍ରଥମେ ପୁନେ ଜଙ୍ଗଲ ବିଭାଗ ଦ୍ୱାରା ଏହି ପଦ୍ଧତି ଗ୍ରହଣ କରାଯିବା ପରେ ଉତ୍ତର ପୂର୍ବାଞ୍ଚଳ ବାରାପାଣି ଶିଳ୍ପାଞ୍ଚଳରେ ଏହି ପଦ୍ଧତି ୨୦୧୩ରୁ କାର୍ୟ୍ୟକାରୀ କରାଯାଇଛି। ସବୁଜ ଯାତ୍ରା, ସେଂଟ୍ରି ଭଳି ପରିବେଶ ସଂସ୍ଥା ଓ ଆଇଆଇଟି ରୋପାର ଭଳି ଜାତୀୟ ଅନୁଷ୍ଠାନ ଦ୍ୱାରା ସହରାଞ୍ଚଳ, ରେଳଧାରଣା ପାର୍ଶ୍ବ ଓ ଶିଳ୍ପାଞ୍ଚଳ ଭଳି ପ୍ରଦୂଷଣ ସଂକ୍ରମିତ ଅଞ୍ଚଳରେ ଏହି ପଦ୍ଧତି ଅନୁସୃତ ହୋଇ ଦ୍ରୁତ ଓ ଘଞ୍ଚ ଜଙ୍ଗଲ ସୃଷ୍ଟି କରା ଯାଉଛି। ଚେନ୍ନାଇ, ବେଙ୍ଗାଲୁର, ମୁମ୍ବାଇ, ହାଇଦରାବାଦ ଓ ଅମୃତସର ଭଳି ଜନ ଗହଳିପୂର୍ଣ୍ଣ ପ୍ରଦୂଷିତ ସହର​‌େ​‌ର ଏହି ପଦ୍ଧତିରେ ଜଙ୍ଗଲ ସୃଷ୍ଟି କରି ପ୍ରଦୂଷଣର ମାତ୍ର କମ୍‍ କରିବା ସହ ବିଶୁଦ୍ଧ ଅମ୍ଲଜାନ ଯୋଗାଇବା ପାଇଁ ପରିବେଶବିତ୍‍ ତଥା ଜଙ୍ଗଲ ଓ ପରିବେଶ ବିଭାଗ ଉଦ୍ୟମ ଜାରି ରଖିଛି।

Comments are closed.