ମିଶନ ଶକ୍ତି ଏସ୍‌ଏଚ୍‌ଜିମାନଙ୍କ ପାଇଁ କୋଭିଡ୍‌-୧୯ର ଆହ୍ୱାନ, ସହରାଞ୍ଚଳରେ ମଜୁରିଭିତ୍ତିକ ରୋଜଗାର କାର୍ଯ୍ୟକ୍ରମରେ ସହଭାଗୀ

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ସହରାଞ୍ଚଳରେ ଜୀବିକା ଅର୍ଜନ କାର୍ଯ୍ୟକ୍ରମଗୁଡ଼ିକ ଘୋର ସଂକଟ ମଧ୍ୟ ଦେଇ ଗତି କରୁଅଛି। ବିଭିନ୍ନ ସେବା ପ୍ରଦାନକାରୀ କ୍ଷେତ୍ରଗୁଡ଼ିକ ମନ୍ଥର ହେବା, ଉତ୍ପାଦନକାରୀ ସଂସ୍ଥାଗୁଡ଼ିକରେ କର୍ମଚାରୀ ଛଟେଇ, ସପ୍ଲାଇ ଚେନ୍‌ (ଯୋଗାଣ ଶୃଙ୍ଖଳ) ବାଧାପ୍ରାପ୍ତ ହେବା ଦ୍ୱାରା ଅଣସଂଗଠିତ କ୍ଷେତ୍ରଗୁଡ଼ିକରେ କାର୍ଯ୍ୟରତ ଶ୍ରମିକମାନେ ଜୀବିକା ହରାଇଛନ୍ତି। ଫଳ ସ୍ୱରୂପ ବହୁ ସଂଖ୍ୟାରେ ରୋଜଗାର ହରାଇଥିବା ଶ୍ରମିକମାନେ ନିଜ ନିଜ ଅଞ୍ଚଳକୁ ଫେରି ଆସିଛନ୍ତି ଏବଂ ସ୍ଥାନୀୟ ଅର୍ଥନୀତି ଏକ ପ୍ରକାର ଅଚଳ ଅବସ୍ଥାକୁ ଆସିଯାଇଛି। ଏଭଳି ଏକ ବିଶାଳ ଆହ୍ୱାନର ମୁକାବିଲା ପାଇଁ ଓଡ଼ିଶା ରାଜ୍ୟ ସରକାର ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସହଯୋଗିତାରେ ରାଜ୍ୟର ୧୧୪ଟି ପୌରସଂସ୍ଥା ଅଧୀନରେ ଥିବା ଅଣସଂଗଠିତ ଶ୍ରମିକମାନଙ୍କର ରୋଜଗାର ସୃଷ୍ଟି ପାଇଁ ସହରାଞ୍ଚଳ ମଜୁରିଭିତ୍ତିକ ନିଯୁକ୍ତି କାର୍ଯ୍ୟକ୍ରମ (ଅର୍ବାନ୍‌ ୱେଜ୍‌ ଏମ୍ପ୍ଲୟମେଣ୍ଟ ଇନିସିଏଟିଭ୍‌)ର ଶୁଭାରମ୍ଭ କରିଛନ୍ତି। ସହରାଞ୍ଚଳର ଗରିବ ଶ୍ରେଣୀର ଲୋକମାନଙ୍କୁ ମହାମାରୀ ସମୟରେ ମଜୁରିଭିତ୍ତିକ ଉପାର୍ଜନ ଯୋଗାଇଦେବା ଦିଗରେ ସାରା ଦେଶରେ ଏଭଳି କାର୍ଯ୍ୟକ୍ରମ ପ୍ରଥମ।

କୋଭିଡ୍‌-୧୯ର ପ୍ରତିକୂଳ ସ୍ଥିତିର ମୁକାବିଲା କରିବା ସହ ମୌସୁମୀ ପାଇଁ ପ୍ରସ୍ତୁତି ତଥା ସର୍ବସାଧାରଣ ସଂପତ୍ତିଗୁଡ଼ିକର ନିର୍ମାଣ ଓ ରକ୍ଷଣାବେକ୍ଷଣ ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ୧୧୪ଟି ପୌରାଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଜରିଆରେ ବ୍ୟାପକ ଶ୍ରମଭିତ୍ତିକ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି। ଏହି ଅଭିନବ ଜୀବିକା କାର୍ଯ୍ୟକ୍ରମରେ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସମସ୍ତ ପ୍ରକଳ୍ପର କାର୍ଯ୍ୟକାରୀ ସହଯୋଗୀ ଭାବେ କାର୍ଯ୍ୟଗୁଡ଼ିକର ତଦାରଖ ଏବଂ ପରିଚାଳନା କରିବେ। ଏହି ଯୋଜନା ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକାରୀ କରାଯିବ। ପ୍ରଥମ ଥର ପାଇଁ ମିଶନ ଶକ୍ତି ସହରାଞ୍ଚଳ ଏସ୍‌ଏଚ୍‌ଜି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ସହଯୋଗୀ ଭାବେ ନିୟୋଜିତ ହୋଇଛନ୍ତି। ଏହି ଯୋଜନାର ସୁପରିଚାଳନା ଏବଂ ସଫଳତା ପାଇଁ ମିଶନ ଶକ୍ତି ନିର୍ଦ୍ଦେଶାଳୟ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନିଂ ମଡୁ୍ୟଲ୍‌ର ବିକାଶ କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସାରିବା ନିମନ୍ତେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତଥା ପୌରାଞ୍ଚଳ ଏବଂ ମିଶନ ଶକ୍ତି କ୍ଷେତ୍ର ଅଧିକାରୀମାନଙ୍କୁ ଦକ୍ଷତା ବୃଦ୍ଧି ପାଇଁ ତାଲିମ ପ୍ରଦାନ କରାଯାଇଛି। ପୌରସଂସ୍ଥାଗୁଡ଼ିକ ପୌରାଞ୍ଚଳରେ ନିଯୁକ୍ତି ସୁଯୋଗ, ପଞ୍ଜୀକରଣ ପ୍ରକ୍ରିୟା ଏବଂ ଏହି ଯୋଜନାର ସୁଫଳ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିଛନ୍ତି। ଏହି ଯୋଜନାରେ ମୁଖ୍ୟତଃ ସହରାଞ୍ଚଳର ଡ୍ରେନ୍‌ଗୁଡ଼ିକର କଭର ଖୋଲି ସଫା କରିବା, ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ, ବୃକ୍ଷରୋପଣ, ବର୍ଜ୍ୟବସ୍ତୁର ପୁନଃବ୍ୟବହାର, କାନ୍ଥଚିତ୍ର ଏବଂ ତୈଳଚିତ୍ର ମାଧ୍ୟମରେ ସହରଗୁଡ଼ିକର ସୌନ୍ଦର୍ଯ୍ୟକରଣ ଆଦି ଅନ୍ତର୍ଭୁକ୍ତ।

ବର୍ତ୍ତମାନ ରାଜ୍ୟର ୬୯୩୭ଟି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରାୟ ୬୨.୦୮ କୋଟି ଟଙ୍କା ମଜୁରି ମୂଲ୍ୟ ବିନିମୟରେ ବିଭିନ୍ନ ପ୍ରକଳ୍ପ ପାଇଁ କାର୍ଯ୍ୟକାରୀ ସହଯୋଗୀ ଭାବେ ନିୟୋଜିତ ହୋଇଛନ୍ତି। ଏ ପର୍ଯ୍ୟନ୍ତ ଏହି ଗୋଷ୍ଠୀମାନେ ୭୦.୯୩ ଲକ୍ଷ ଟଙ୍କା ତଦାରଖ ବାବଦକୁ ପ୍ରାପ୍ୟ ପାଇଛନ୍ତି। କାର୍ଯ୍ୟକାରୀ ସହଯୋଗୀ ଭାବେ ଏହି ଗୋଷ୍ଠୀମାନେ ଏ ପର୍ଯ୍ୟନ୍ତ ପ୍ରାୟ ୩.୮୨ ଲକ୍ଷ ଶ୍ରମ ଦିବସ ବାବଦକୁ ୧୨.୦୯ କୋଟି ଟଙ୍କା ହିତାଧିକାରୀମାନଙ୍କ ବ୍ୟାଙ୍କ ଜମାଖାତାକୁ ପ୍ରେରଣ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ମିଶନ ଶକ୍ତିର ପ୍ରତ୍ୟେକ ମହିଳା ଗୋଷ୍ଠୀ ହାରାହାରି ଭାବେ ୬୭୧୨ ଟଙ୍କା କାର୍ଯ୍ୟ ତଦାରଖ ବାବଦରେ ପ୍ରାପ୍ୟ ପାଉଛନ୍ତି। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ୍‌-୧୯ ନିୟମାବଳୀର ଏବଂ ସ୍ୱାସ୍ଥ୍ୟ ସଂପର୍କିତ ମାର୍ଗଦର୍ଶିକାର କଡ଼ା ଅନୁପାଳନ ସହ ଏହି ଯୋଜନା ସହରାଞ୍ଚଳର ଗରିବ ଶ୍ରମଜୀବୀଙ୍କୁ ଏଭଳି ସଂକଟ ସମୟରେ ନିଜ ନିଜ ପୌରାଞ୍ଚଳରେ ରୋଜଗାର ପ୍ରଦାନ କରିପାରିଛି। ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଏହି ଯୋଜନାଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟକାରୀ କରି ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଆଭିମୁଖ୍ୟରେ ଆଖିଦୃଶିଆ ସହଯୋଗ କରିପାରିଛନ୍ତି। ଏହି ଯୋଜନାର କାର୍ଯ୍ୟକାରିତା ସଂପର୍କରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଶ୍ରୀଜଗନ୍ନାଥ ଏସ୍‌ଏଚ୍‌ଜିର ସଂପାଦିକା ସୁଜାତା ସାମଲ କହିଛନ୍ତି ଯେ ଆମ ଗୋଷ୍ଠୀ ନିକଟରେ ଗୋଟିଏ ନୂତନ ମାଟି ରାସ୍ତାର ମୋରମ ପକାଇବା କାର୍ଯ୍ୟ ସଂପନ୍ନ କରିଛନ୍ତି । ଆମର ତଦାରଖ ବାବଦକୁ ପ୍ରାପ୍ୟ ପାଇବା ବ୍ୟତୀତ ଆମ ମାଧ୍ୟମରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ଏବଂ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାରଙ୍କର ଏହି ପଦକ୍ଷେପ, ସେମାନଙ୍କୁ କୋଭିଡ୍‌-୧୯ ମହାମାରୀ ସମୟରେ ୩୦୦୦ ଟଙ୍କା ଲେଖାଏଁ ରୋଜଗାର ଦେଇପାରିଛି। ଏହା ଆମକୁ ଖୁସି ଏବଂ ଆତ୍ମସନ୍ତୋଷ ଆଣିଦେଇଛି। ଏହି ଅର୍ଥ ରୋଜଗାର କରି ସେମାନେ ନିଜର ଦୈନନ୍ଦିନ ଘର ଖର୍ଚ୍ଚ ତୁଲାଇବା ସହ ନିଜ ପରିବାର ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିପାରିଛନ୍ତି ବୋଲି ସୁଜାତା କହିଛନ୍ତି।

ଆମର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମସଲା ଉତ୍ପାଦନ କରିବା ସହ ସେସବୁକୁ ସ୍ଥାନୀୟ ବଜାର ଏବଂ ବିଭିନ୍ନ ପ୍ରଦର୍ଶନୀରେ ବିକି୍ରବଟା କରି ଲାଭବାନ ହୋଇଥାନ୍ତି। କୋଭିଡ୍‌-୧୯ ଲକ୍‌ଡାଉନ୍‌ ହେତୁ ଆମର ବ୍ୟବସାୟ ଗଭୀର ଭାବେ ପ୍ରଭାବିତ ହୋଇଥିଲା। ଏହି ସମୟରେ ସହରାଞ୍ଚଳ ଗରିବ ଲୋକମାନଙ୍କ ନିମନ୍ତେ ରାଜ୍ୟ ସରକାର ଏଭଳି ଏକ ଅଭିନବ ଜୀବିକା କାର୍ଯ୍ୟକ୍ରମର ଘୋଷଣା କଲେ। ଏହି ଯୋଜନା ମାଧ୍ୟମରେ ଆମ ଗୋଷ୍ଠୀ ଫୁଲବାଣୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ଡ୍ରେନଗୁଡ଼ିକ ଉପରେ ଆରସିସି ସ୍ଲାବ୍‌ ପକାଇବା କାର୍ଯ୍ୟ ପାଇଁ କାର୍ଯ୍ୟକାରୀ ସହଯୋଗୀ ଭାବେ ଚୟନ ହୋଇଥିଲା। ଆମେ ମଜୁରି ପ୍ରଦାନ କରି ଶ୍ରମିକମାନଙ୍କୁ ନିୟୋଜିତ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି କାର୍ଯ୍ୟ ଶେଷ କଲୁ। କୋଭିଡ୍‌ ସମୟରେ ଯେତେବେଳେ ଲୋକମାନେ ନିଜର ଜୀବିକା ହରାଉଛନ୍ତି ସେ ସମୟରେ ଆମର ଏସ୍‌ଏଚ୍‌ଜି ଆମ ୱାର୍ଡରେ ୧୦ ଜଣଙ୍କୁ ଉପାର୍ଜନ ଯୋଗାଇପାରିଛି।

ମହାମାରୀ ସମୟରେ ବେରୋଜଗାରୀର ମୁକାବିଲା ଦିଗରେ ଏହା ସବୁଠାରୁ ଫଳପ୍ରଦ ସମାଧାନ ବୋଲି କହିଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ବିଜ୍ଞାପିତ ଅଞ୍ଚଳ ପରିଷଦର ନନ୍ଦିନୀ ଏସ୍‌ଏଚ୍‌ଜିର ସଭାପତି ରାନୁପ୍ରଭା ମହାନ୍ତି। ୨୦୦୧ ମସିହାରେ ଓଡ଼ିଶା ସରକାର ମହିଳାମାନଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ମିଶନ ଶକ୍ତି ଆରମ୍ଭ କରିଥିଲେ। ତୃଣମୂଳ ସ୍ତରରେ ମହିଳାମାନଙ୍କୁ ସେମାନଙ୍କ ପରିଚୟ ଏବଂ ପ୍ରତିଷ୍ଠା ପାଇଁ ମିଶନ ଶକ୍ତି ଏକ ଶକ୍ତିଶାଳୀ ପ୍ଳାଟ୍‌ଫର୍ମ ପ୍ରଦାନ କରିଛି। କୋଭିଡ୍‌-୧୯ ମହାମାରୀର କଠିନ ସମୟରେ ମିଶନ ଶକ୍ତିର ମହିଳା ଏସ୍‌ଏଚ୍‌ଜିମାନଙ୍କ ନେତୃତ୍ୱରେ ସହରାଞ୍ଚଳରେ ମଜୁରିଭିତ୍ତିକ ରୋଜଗାର କାର୍ଯ୍ୟକ୍ରମ ମାଧ୍ୟମରେ ଗରିବ, ଶ୍ରମିକ ଏବଂ ଦିନମଜୁରିଆମାନଙ୍କୁ ଜୀବିକା ପ୍ରଦାନ ଦିଗରେ ଦୃଷ୍ଟାନ୍ତ ସୃଷ୍ଟି କରିଛି।

 

Comments are closed.