ନିଖୋଜ ଛାତ୍ର ଉଦ୍ଧାର

ରେଙ୍ଗାଲିକେମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡା ଛକଠାରେ ଗୁରୁବାର ଅପରାହ୍ନ ୧ଟା୩୦ମିନିଟ ସମୟରେ ଜଣେ ନିଖୋଜ ଛାତ୍ର ଉଦ୍ଧାର ହୋଇଛନ୍ତି। ଉଦ୍ଧାର ଛାତ୍ରଜଣକ ହେଉଛନ୍ତି ସିଦ୍ଧେଶ୍ୱର ଭୋଇ(୧୪)। ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଜଡ଼ାମୁଡ଼ା ଗ୍ରାମରୁ ଆସି ବରଗଡ଼ ମିନି ଷ୍ଟାଡିୟମ ପଛପଟେ ଏକ ଭଡ଼ା ଘରେ ନିଜ ମାଆ ବାପାଙ୍କ ସହ ରହି ସରସ୍ଵତୀ ଶିଶୁ ମନ୍ଦିର ଓଡ଼ିଆ ବିଭାଗ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ବୁଧବାର ସକାଳ ୯ଟା ୨୦ମିନିଟ ସମୟରେ ଘରୁ ଜଳଖିଆ ଖାଇ ସ୍କୁଲକୁ ପାଠ ପଢିବା ପାଇଁ ଯାଉଛି କହି ଘରୁ ବାହାରିଥିଲେ। ଅପରାହ୍ନ ୧ଟା ୩୦ମିନିଟ ସମୟରେ ସ୍କୁଲ ଛୁଟି ହେବା ପରେ ସିଦ୍ଧେଶ୍ୱରର ସାଙ୍ଗସାଥୀମାନେ ସିଦ୍ଧେଶ୍ୱରଙ୍କ ଘରକୁ ଯାଇ ସେ ସ୍କୁଲକୁ କାହିଁକି ଯାଇ ନାହିଁ ବୋଲି ତାଙ୍କ ବାପାଙ୍କୁ ପଚାରି ବୁଝିଥିଲେ। ଏହା ଶୁଣି ସେ ଅବାକ୍ ହୋଇ ଯାଇଥିଲେ, କାରଣ ବାପା ମାଆ ଭାବୁଥିଲେ ପୁଅ ସ୍କୁଲ୍ ଯାଇଛି। କିନ୍ତୁ ପିଲାମାନଙ୍କଠାରୁ ଏ କଥା ଶୁଣିବା ପରେ ସିଦ୍ଧେଶ୍ୱରଙ୍କ ବାପା ସଞ୍ଜୟ ତୁରନ୍ତ ତାଙ୍କ ସ୍କୁଲ ଗୁରୁଜୀଙ୍କୁ ପଚାରିଥିଲେ। ହେଲେ ପ୍ରତି ଉତ୍ତରରେ ସ୍କୁଲକୁ ଆସି ନ ଥିବା ଗୁରୁଜୀ ପ୍ରକାଶ କରିଥିଲେ। ପାଖ ପଡୋଶୀ, ବନ୍ଧୁ ସଜ୍ଜନଙ୍କୁ ପଚାରି ଜୋର୍ ସୋରରେ ଖୋଜା ଖୋଜି ମଧ୍ୟ ଚାଲିଥିଲା।

ପରିଶେଷରେ ସିଦ୍ଧେଶ୍ୱରଙ୍କୁ ନପାଇ ମାଆ ନିରୁପମା ବୁଡେକ ବରଗଡ଼ ଟାଉନ୍ ଥାନାରେ ଏକ ଲିଖିତ ଭାବରେ ପୁଅ ନିଖୋଜ ଥିବା ଅଭିଯୋଗ କରିଥିଲେ। ଏନେଇ ଟାଉନ୍ ପୁଲିସ ଚାରିଆଡ଼େ ଖବର ଦେଇ ଖୋଜାଖୋଜି ଆରମ୍ଭ ଜାରି ରଖିଥିଲା। ଏହି ଘଟଣା ସହ ସିଦ୍ଧେଶ୍ୱରଙ୍କ ଫଟୋ ସୋସିଆଲ ମିଡ଼ିଆରେ ବାପାଙ୍କ ମୋବାଇଲ ନଂ ରେ ଭାଇରାଲ ହେବା ପରେ ସରଣ୍ଡା ଛକରେ ନିଖୋଜ ଛାତ୍ରଙ୍କୁ ବୁଲୁଥିବା ଦେଖି ସହୃଦୟ ବ୍ୟକ୍ତି ବିଶେଷମାନେ ନିକଟସ୍ଥ ଥାନାକୁ ଜଣାଇଥିଲେ। ଏନେଇ ଅତାବିରା ପୁଲିସ ପ୍ରାରମ୍ଭିକ ତଦନ୍ତ ସହ ବରଗଡ଼ ଟାଉନ୍ ପୁଲିସ ଓ ଛାତ୍ରଙ୍କ ବାପାକୁ ଖବର ଦେଇ ସିଦ୍ଧେଶ୍ୱରଙ୍କୁ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ। ବର୍ତ୍ତମାନ ସୁଦ୍ଧା ଘଟଣାର ପ୍ରକୃତ ରହସ୍ୟ ଜଣାପଡିନାହିଁ। ସିଦ୍ଧେଶ୍ୱର କାହା ସାଙ୍ଗରେ ଥିଲେ, କେଉଁଠି ଥିଲେ, କଣ ପାଇଁ ସେ ସ୍କୁଲ୍ ଯାଇ ନଥିଲେ, ବରଗଡ଼ରୁ ସରଣ୍ଡା ପର୍ଯ୍ୟନ୍ତ ସେ କାହିଁକି ଆସିଥିଲେ,ଏମିତି ଅନେକ ପ୍ରଶ୍ନ ଉଙ୍କି ମାରିଥିଲେ ସୁଦ୍ଧା ସିଦ୍ଧେଶ୍ୱର କିଛି ନ କହିବା ଯାଏଁ କିଛି ଜଣା ପଡୁନାହିଁ । ତେବେ ପୁଅର ମାନସିକ ସ୍ଥିତିକୁ ଦୃଷ୍ଟିରେ ରଖି ବାପା ମାଆ ମଧ୍ୟ ତାକୁ ଜୋର ଦେଇ କିଛି ପଚାରି ପାରୁନାହାନ୍ତି। ସିଦ୍ଧେଶ୍ଵର ସମ୍ପୂର୍ଣ୍ଣ ଭାବରେ ନୀରବ ରହିଥିବା ଜଣାପଡିଛି।

Comments are closed.