ଆଗରେ ଭାରତ, ଚାନ୍ଦିପୁରରେ ହେଲା ‘ପ୍ରହାର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର: ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ସ୍ଥିତ ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ତିନି ନମ୍ବର ଉତକ୍ଷେପଣ କେନ୍ଦ୍ରରୁ ଆଜି ଏକ ଉଚ୍ଚ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର ‘ପ୍ରହାର’ର ତୃତୀୟ ସଫଳ ପରୀକ୍ଷଣ କରାଯାଇଛି। ଆଜି ଅପରାହ୍ନ ତିନିଟା ୮ ମିନିଟରେ ନୌବହିନୀ ପାଇଁ ବ୍ୟବହୃତ ହେବାକୁ ଥିବା ଭର୍ଟିକାଲ ଲଞ୍ଚ ସର୍ଟ ରେଞ୍ଜରୁ ଭୂପୃଷ୍ଠରୁ ଆକାଶକୁ ଉତକ୍ଷେପଣ ହୋଇ ପାରୁଥିବା କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିଲା ଏହା ୫୦ରୁ ୬୦ କିଲୋମିଟର ପର୍ୟ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ। ଏଥିପାଇଁ ଉତକ୍ଷେପଣ କେନ୍ଦ୍ରର ଅଢେଇ କିଲୋମିଟର ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳରେ ଥିବା ୬ଟି ପାହୀ ଅଞ୍ଚଳର ପାଖାପାଖି ୬ ହଜାର ୫ ଶହ ଲୋକଙ୍କୁ ଆଜି ସକାଳ ୭ଟାରୁ ସ୍ଥାନାନ୍ତର କରାଯାଇ ଅସ୍ଥାୟୀ ଶିବିରରେ ରଖାଯାଇଥିଲା। ଏହି ଗ୍ରାମ ଗୁଡ଼ିକ ହେଲା ଖଡ଼ୁ ପାହି, କୁସୁମୁଲି ପାହି,  ସାହାଜାନଗର,ଭୀମପୁର, ତୁଣ୍ଡୁରା ଓ ଜୟଦେବ କସବା ପାହି। ଅସ୍ଥାୟୀ ଭାବରେ ବାସ ଚ୍ୟୁତ ଲୋକଙ୍କୁ ତୁଣ୍ଡୁର।, ଜୟଦେବ କସବା ଓ ଖଡ଼ୁ ପାହି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଥିଲା। ବାସଚ୍ୟୂତଙ୍କୁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଆବଶ୍ୟକ କ୍ଷତିପୂରଣ ଜିଲ୍ଲା ପ୍ରଶାସନ ଜରିଆରେ ଦିଆଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଲଞ୍ଚପ୍ୟାଡରୁ ୭ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀମାନଙ୍କୁ ଯିବାକୁ ବାରଣ କରାଯାଇଥିଲା। ଏହି ପରୀକ୍ଷା ବେଳେ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାର ବହୁ ବୈଜ୍ଞାନିକ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ପୂର୍ବରୁ ‘ପ୍ରହାର’ କ୍ଷେପଣାସ୍ତ୍ରର ୨୦୧୧ ଜୁଲାଇ ୨୧ ଏବଂ ୨୦୧୮ ସେପ୍ଟେମ୍ବର ୨୦ରେ ସଫଳ ପରୀକ୍ଷଣ କରାଯାଇଥିଲା। ଏହାର ଲମ୍ବ ୭.୩୨ ମିଟର ଓ ଓଜନ ୧୨୮୦ କିଲୋଗ୍ରାମ ରହିଛି। ୨ ଶହରୁ ୫ ଶହ କିଲୋଗ୍ରାମ ପର୍ଯ୍ୟନ୍ତ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଥିବା ଏହି ପ୍ରହାର କ୍ଷେପଣାସ୍ତ୍ରର ଗତି ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ଓ ଏହା ୨୫୦ ସେକେଣ୍ଡ ମଧ୍ୟରେ ୧୫୦ ରୁ ୨୦୦ କିଲୋମିଟର ମଧ୍ୟରେ ଲକ୍ଷ୍ୟସ୍ଥଳ ଭେଦ କରିବାର କ୍ଷମତା ରଖିଛି।

Comments are closed.