ଚିନ୍ତା ବଢ଼ାଉଛି ପ୍ରବାସୀ ଓଡ଼ିଆଙ୍କ ଉତ୍ସୃଙ୍ଖଳ ଆଚରଣ ଆମ ଓଡ଼ିଶାନିଉଜ ଆଲର୍ଟବଡ଼ ଖବର By samajalive Last updated May 4, 2020 Share -କେଉଁଠି ଅବ୍ୟବସ୍ଥା ଆଉ କେଉଁଠି ମନମାନି -ସରପଞ୍ଚଙ୍କ କ୍ଷମତାର ଉପଯୋଗ ନେଇ ପ୍ରଶ୍ନବାଚୀ -ଏବେ ଠୁଁ ସାବଧାନ ନହେଲେ ସଙ୍ଗୀନ୍ ହେବ ସ୍ଥିତି Related Posts ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଇ ୩ ଗିରଫ Apr 26, 2024 ଶତାୟୁ ଭୋଟରଙ୍କୁ ସମ୍ମାନିତ କଲା ଜିଲା… Apr 26, 2024 ଭୁବନେଶ୍ବର: ପ୍ରଥମେ ନିଜାମୁଦ୍ଦିନ ଓ ଆଉ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପରେ ଏବେ ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟରେ ଚିନ୍ତା ବଢ଼ିଛି। ଗଞ୍ଜାମ, ଯାଜପୁର ଓ ଭଦ୍ରକ ଭଳି ଜିଲାରେ କ୍ବାରେଣ୍ଟାଇନ୍ ନିୟମ ଭାଙ୍ଗି ଆଶ୍ରୟସ୍ଥଳୀ ଛାଡ଼ିଥିବା ପ୍ରବାସୀ ଓଡ଼ିଆଙ୍କ ଯୋଗୁଁ ରାଜ୍ୟରେ କରୋନା ସଂକ୍ରମଣ ନେଇ ଆଶଙ୍କା ବଢିଛି। ଅନ୍ୟ ରାଜ୍ୟରେ ପ୍ରଶାସନର ଉଦାସୀନତା ହେଉ ଅବା ପରିସ୍ଥିତିର ଜଟିଳତା ହେତୁ ରାଜ୍ୟ ସରକାର ସ୍ଥିତିର ଗମ୍ଭୀରତା ଦୃଷ୍ଟିରୁ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇବା ପାଇଁ ନିଷ୍ପତ୍ତି ନେଲେ। ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ଓ କେନ୍ଦ୍ରର ସହଯୋଗ ପରେ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଫେରିବା ବାଟ ଫିଟିଥିଲା;କିନ୍ତୁ ରାଜ୍ୟକୁ ଫେରିଥିବା କିଛି ପ୍ରବାସୀଙ୍କ ଉତ୍ସୃଙ୍ଖଳ ଆଚରଣ ଅନ୍ୟ ପ୍ରବାସୀ ଓଡ଼ିଆଙ୍କୁ ବ୍ୟଥିତ କରିବା ସହ ରାଜ୍ୟବାସୀଙ୍କ ପାଇଁ ଲଜ୍ଜାର କାରଣ ପାଲଟିଛି। କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ୩୬ଟି ସ୍ବତନ୍ତ୍ର କୋଭିଡ୍-୧୯ ହସ୍ପିଟାଲ ପ୍ରସ୍ତୁତ କରିଥିବା ବେଳେ ୬୭୮୯ ଗ୍ରାମ ପଞ୍ଚାୟତରେ ୮୩୩୨ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର କରାଯାଇ ମୋଟ ୨,୫୬,୮୨୦ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି। ତୃଣମୂଳ ସ୍ତରରେ କ୍ଷମତାର ସଦୁପଯୋଗ ଓ ଶାସନ କଳକୁ ଚଳଚଞ୍ଚଳ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ତେବେ ଗତ ଦୁଇଦିନ ଧରି କ୍ବାରେଣ୍ଟାଇନ୍ ସେଣ୍ଟରରେ ଯେଉଁ ପ୍ରକାର ବିଶୃଙ୍ଖଳା ଲାଗି ରହିଛି ତାକୁ ଦେଖିଲେ ଏସବୁ ବ୍ୟବସ୍ଥାର ଯଥାର୍ଥତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେଉଁଠି କ୍ବାରେଣ୍ଟାଇନ୍ ସେଣ୍ଟରରେ ମୌଳିକ ସୁବିଧା ସୁଯୋଗ ଅଭାବ ନେଇ ପ୍ରବାସୀ ଓଡ଼ିଆ ପ୍ରତିବାଦ କରୁଥିବା ବେଳେ ଆଉ କେଉଁଠି କ୍ବାରେଣ୍ଟାଇନ୍ ସେଣ୍ଟରରୁ ଅନ୍ତେବାସୀ ଲୁଚି ଛପି ଘରକୁ ପଳାଇଲେଣି। ଏପରି ଉତ୍ସୃଙ୍ଖଳ ଆଚରଣ ସ୍ଥିତିକୁ ଅଧିକ ଜଟିଳ କରିଛି। ଯଦି ସଙ୍ଗରୋଧରେ ଥିବା ଲୋକେ ଏପରି ଆଚରଣ ଜାରି ରଖନ୍ତି ତା ହେଲେ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆଜି ପର୍ଯ୍ୟନ୍ତ ଯେତେ ସବୁ ଉଦ୍ୟମ ହୋଇଛି ତାହା ନିଷ୍ଫଳ ହୋଇପାରେ। ଅନ୍ୟ ରାଜ୍ୟ ସରକାରଙ୍କ ଅବହେଳା ହେଉ ଅବା ପରିସ୍ଥିତିର ବାଧ୍ୟବାଧକତା, ଲକ୍ଷାଧିକ ପ୍ରବାସୀ ଓଡ଼ିଆ ନିଜ ଘରକୁ ଫେରିବା ପାଇଁ ଗତ କିଛିଦିନ ହେଲା ଆତୁର ହୋଇ ନିବେଦନ କରୁଥିଲେ। ଅନେକ ପ୍ରବାସୀ ନିଜ ଉଦ୍ୟମରେ ଘର ବାହୁଡ଼ା ହୋଇଛନ୍ତି। ଏହାଦ୍ବାରା ଅନେକ ବିପଦ ରହିଛି। ଫଳରେ ସହୃଦୟତାର ନିଦର୍ଶନ ସ୍ବରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ଓଡ଼ିଆଙ୍କୁ ଫେରାଇ ଆଣିବା ସହ ନିୟମ ଅନୁସାରେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖିବା ଓ କ୍ବାରେଣ୍ଟାଇନ୍ ଅବଧି ଶେଷ ପରେ ୨ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମଧ୍ୟ ବ୍ୟବସ୍ଥା କରିଛନ୍ତି। ଏହା ସତ୍ତ୍ବେ କିଛି ପ୍ରବାସୀ ଓଡ଼ିଆଙ୍କ ମନମାନୀ ଓ ଅବ୍ୟବସ୍ଥା ଯୋଗୁଁ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଗତକାଲି ଗଞ୍ଜାମ ଜିଲାର ଦୁଇଟି ବ୍ଲକ୍ରେ ୨୪୧ ଜଣ ପ୍ରବାସୀ ଓଡ଼ିଆ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଲୁଚିକରି ପଳାଇଥିଲେ। ଏହି ଜିଲାର ବେଗୁନିଆପଡ଼ା ଓ ରାଗପୁର କ୍ବାରେଣ୍ଟାଇନ୍ ସେଣ୍ଟରରେ ରହୁଥିବା ପ୍ରବାସୀ ଓଡ଼ିଆ ଫାଟକ ଭାଙ୍ଗି ନିଜ ଘରକୁ ପଳାଉଥିବା ଦେଖିବାକୁ ମିଳିଥିଲା। ଏହି ଦୁଇଟି ସେଣ୍ଟରରେ ୧୨୮ ଜଣ ପ୍ରବାସୀ ଓଡ଼ିଆଙ୍କୁ ରଖାଯାଇ ଥିବାବେଳେ ସେଠାରେ ଖାଦ୍ୟପେୟର ଅଭାବ ଦର୍ଶାଇ ଘରକୁ ପଳାଇବା ଉଦ୍ୟମ କରିଥିଲେ। ସେହିପରି ଆଉ କିଛି ପ୍ରବାସୀ ଓଡ଼ିଆ ମଦ ପିଇବାକୁ ନେଇ ଏକ ଢ଼ାବାରେ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଛି। ସେହିପରି ଆଜି ଗଞ୍ଜାମ ବ୍ଲକ୍ ସୁବଳୟା ପଞ୍ଚାୟତ ସ୍ଥିତ ଶତୃସୋଲ ଆଦର୍ଶ ବିଦ୍ୟାଳୟର କ୍ବାରେଣ୍ଟାଇନ୍ ସେଣ୍ଟରରେ ନିମ୍ନମାନର ଖାଦ୍ୟ ଦିଆଯାଉ ଥିବା ଅଭିଯୋଗ କରି ଶତାଧିକ ପ୍ରବାସୀ ଓଡ଼ିଆ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବଲାଙ୍ଗୀର ଜିଲାର ତାମିଲନାଡ଼ୁ ଫେରନ୍ତା ୧୪୭ ନମ୍ବର ସଂକ୍ରମିତ ନିଜ ଘରେ ସଙ୍ଗରୋଧରେ ଥିବା ସମୟରେ ଗଁାରେ ବହୁବାର ସାଙ୍ଗମାନଙ୍କ ସହ କ୍ରିକେଟ୍ ଖେଳିଥିଲେ ଆଉ ସେଲୁନ୍ରେ ଚୁଟି କାଟିଥିଲେ। ଅପରପକ୍ଷେ ଆଜି କ୍ବାରେଣ୍ଟାଇନ୍ ସେଣ୍ଟରରୁ ପଳାଉ ଥିବା ୫୦ରୁ ଅଧିକ ପ୍ରବାସୀ ଓଡ଼ିଆଙ୍କୁ ଭଦ୍ରକ ସହରରେ ପୁଲିସ୍ ଅଟକାଇ ଭଣ୍ଡାରୀପୋଖରୀ ସ୍ଥିତ କ୍ବାରେଣ୍ଟାଇନ୍ ସେଣ୍ଟରକୁ ନେଇ ରଖିଛି। ଯାଜପୁର ଜିଲାରେ ମଧ୍ୟ ସଙ୍ଗରୋଧ ନିୟମ ଉଲ୍ଲଘଂନ କରାଯାଇଥିବା ଦେଖିବାକୁ ମିଳିଛି। ଓଡ଼ିଶାକୁ ଫେରିବା ପାଇଁ ଆଜି ସୁଦ୍ଧା ପାଖାପାଖି ୧୧ ଲକ୍ଷ ପ୍ରବାସୀ ଓଡ଼ିଆ ସରକାରଙ୍କ ନିକଟରେ ପଞ୍ଜୀକରଣ କରିଥିବାବେଳେ ସେଥିରୁ ମାତ୍ର ୨/୩ ପ୍ରତିଶତ ଫେରିଛନ୍ତି; କିନ୍ତୁ ଏତିକି ସଂଖ୍ୟକ ଫେରନ୍ତା ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେଲାଣି। ଅପରପକ୍ଷେ ଯେଉଁ ଉଦ୍ଦେଶ୍ୟରେ ସରକାର କ୍ଷମତାର ବିକେନ୍ଦ୍ରୀକରଣ କରି ସରପଞ୍ଚଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କଲେ ତାହା ଅନେକ ସ୍ଥାନରେ ଠିକଣା ବାଟରେ ଯାଇପାରୁନି। କିଛି ସ୍ଥାନରେ ଲୋକେ ଜୋରଜବରଦସ୍ତ ନିଜ ଘରକୁ ପଳାଉଛନ୍ତି। ଭୋଟ ପାଉଥିବା ସରପଞ୍ଚଟିଏ ସେମାନଙ୍କ ଉପରେ କେତେଦୂର କଟକଣା ଜାରି କରିପାରିବେ ତାହା ଚିନ୍ତାର ବିଷୟ। କ୍ବାରେଣ୍ଟାଇନ୍ ସେଣ୍ଟରରେ ପୁଲିସ୍ ମୁତୟନର ଆବଶ୍ୟକତା ଦେଖାଦେଉ ଥିବାବେଳେ ଏସ୍ଓପିରେ ସେପରି ବ୍ୟବସ୍ଥା ନାହିଁ। ପୂର୍ବତନ ରାଜ୍ୟ ସୂଚନା କମିଶନର ଜଗଦାନନ୍ଦ କହିଛନ୍ତି, କ୍ବାରେଣ୍ଟାଇନ୍ ସେଣ୍ଟର ଲୋକଙ୍କ ପାଇଁ ବୋଝ ନ ହୋଇଯାଉ। ଏହାର ନାମକୁ ପରିବର୍ତ୍ତନ କରି ଜନଶିକ୍ଷା କେନ୍ଦ୍ର କରାଯିବା ଆବଶ୍ୟକ। ଏହିକ୍ରମରେ ସେଠାରେ ରହୁଥିବା ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରି ଯୋଗ, ପ୍ରାଣାୟାମ, ଶ୍ରମଦାନ, ପଦ୍ୟାନ୍ତରୀ ଭଳି ବିଭିନ୍ନ ପ୍ରକାର ଶିକ୍ଷଣୀୟ କାର୍ଯ୍ୟରେ ନିୟୋଜିତ କରାଯିବ ଆବଶ୍ୟକ। ଆଉ ଏଥିରେ ସ୍ବେଚ୍ଛାସେବୀ, ପଞ୍ଚାୟତର ବୁଦ୍ଧିଜୀବୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। Share FacebookTwitterWhatsApp
Comments are closed.