ଶିକ୍ଷା କମିଟି ଗଠନ ବେଳେ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର, ଥାନାରେ ଅଭିଯୋଗ

ଧାମରା: ଧାମରା ନିକଟସ୍ଥ ବାଂଶଡା ପଞ୍ଚାୟତରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା କମିଟି ଗଠନ ହେଉଥିବା ବେଳେ କିଛି ଅସାମାଜିକ ଯୁବକ ସହକାରୀ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ବାଂଶଡା ଥାନାରେ ଅଭିଯୋଗ ହୋଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ବାଂଶଡା ପଂଚାୟତସ୍ଥିତ ଗଙ୍ଗାଧରପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା କମିଟି ଗଠନ କରାଯାଉଥିବା ବେଳେ କିଛି ଅସାମାଜିକ ଯୁବକ ଆସି ଏହି ଶିକ୍ଷା କମିଟି ଗଠନ ନ କରିବାକୁ ଧମକ ଦେଇଥିଲେ। ମାତ୍ର ସେମାନଙ୍କ କଥାକୁ ଭୃକ୍ଷେପ ନକରି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷା କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି କଥାକୁ ନେଇ ପ୍ରାଥମିକ ଭାବରେ ବଚସା ହେବା ପରେ ଉପସ୍ଥିତ ଥିବା ୩ଜଣ ଅସାମାଜିକ ଯୁବକ ସହକାରୀ ଶିକ୍ଷୟିତ୍ରୀ ମାଳତୀ ବିନ୍ଧାଣୀଙ୍କ ସହ ଯୁକ୍ତି କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ଜଣକ ନିଜର ଅକ୍ଷମତା ପ୍ରକାଶ କରିବା ସହ ଏହି କମିଟି ଗଠନ ବିଷୟରେ ଯାହା କହିବାର ଅଛି ସଂପୃକ୍ତ ପ୍ରଧାନ ଶିକ୍ଷକ ଏବଂ ସିଆରସିସିଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ ଏବଂ ପରେ ନିଜ ମୋବାଇଲରେ ଫୋନ କରୁଥିବା ସମୟରେ ଉପସ୍ଥିତ ଥିବା ୩ ଜଣ ଯୁବକ ସହକାରୀ ଶିକ୍ଷୟିତ୍ରୀ ମାଳତୀ ବିନ୍ଧାଣୀଙ୍କୁ ଦୁର୍ବ୍ୟବହାର କରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ସେ ବ୍ୟବହାର କରୁଥିବା ମୋବାଇଲକୁ ଛଡାଇ ନେଇ ତଳେ କଚାଡି ଭାଙ୍ଗି ଦେଇଥିଲେ। ଏଥିସହ ଏ ବିଷୟରେ ଥାନାରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିବା ନେଇ ବାଂଶଡା ଥାନାରେ ସଂପୃକ୍ତ ସହକାରୀ ଶିକ୍ଷୟତ୍ରୀ ଅଭିଯୋଗ ଆଣିଛନ୍ତି। ଏ ନେଇ ବାଂଶଡା ଥାନା ଅଧିକାରୀ ସେକ ହାପିଜଙ୍କ ସହ ଯୋଗାଯୋଗ କରିବାରୁ ସେ ଏହିଅଭିଯୋଗ ପାଇବା ପରେ ଏକ କେସ ରୁଜୁ କରି ତଦନ୍ତ କରୁଥିବା କଥା କହୁଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନେ ସେମାନଙ୍କ ଜୀବନ ପ୍ରତି ଭୟ ଥିବା କଥା ସେମାନଙ୍କ ସଂଘକୁ ଜଣାଇଛନ୍ତି ଆଗାମୀ ଦିନରେ ସଂଘ ଯାହା ସ୍ଥିର କରିବ ତାହା ମାନିନେବାକୁ ସେମାନେ ପ୍ରସ୍ତୁତ ଥିବା ବେଳେ ଆସାମୀମାନଙ୍କୁ ତୁରନ୍ତ ଗିରଫ କରାଯିବାକୁ ସାଧାରଣରେ ଦାବୀ ହୋଇଛି।

Comments are closed.