୫୯ ଲକ୍ଷ ୨୨ ହଜାର ସରକାରୀ ଅର୍ଥ ଆତ୍ମସାତ୍‍: ୩ ବ୍ୟାଙ୍କ ଅଧିକାରୀ, ଲ୍ୟାମ୍ପସ ଏମ୍‍ଡି, ପଞ୍ଚାୟତ ପିଇଓଙ୍କ ବିରୋଧରେ ମାମଲା

ରାଉରକେଲା: ୫୯ ଲକ୍ଷ ୨୨ ହଜାର ସରକାରୀ ଅର୍ଥ ତୋଷରପାତ ଅଭିଯୋଗରେ ୩ ଜଣ ବ୍ୟାଙ୍କ ଅଧିକାରୀ, ଜଣେ ଲ୍ୟାମ୍ପସ ଏମ୍‍ଡି ଓ ଜଣେ ପଞ୍ଚାୟତ ପିଇଓ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି। ଭିଜିଲାନ୍ସ ଏହି ଦୁର୍ନୀତିଗ୍ରସ୍ତ ଭିଜିଲାନ୍ସ ଅଧିକାରୀଙ୍କ ବିରୋଧରେ ୩ଟି ପୃଥକ୍‍ ପୃଥକ୍‍ ମାମଲା ରୁୁଜୁ କରିଛି। ଭିଜିଲାନ୍ସ ମାମଲାର ତଦନ୍ତ ଜାରି ରଖିଥିବା ବେଳେ ଗିରଫ ଭୟରେ ଅଧିକାରୀମାନେ ଫେରାର ହୋଇ ଯାଇଛନ୍ତି।

ବଡ଼ଗାଁ ଅନ୍ତର୍ଗତ ସାହାଜବାହାଲ ଲ୍ୟାମ୍ପସ୍‍ର ପୂର୍ବତନ ଏମ୍‍ଡି ଚୁଡ଼ାମଣୀ ନାୟକ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି। ଚୁଡ଼ାମଣି ୩୪ ଲକ୍ଷ ୭୪ ହଜାର ୯୨୪ ଟଙ୍କା ସରକାରୀ ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଛି। ଲ୍ୟାମ୍ପସ ଅଧୀନରେ ବିଭିନ୍ନ ମିନି ବ୍ୟାଙ୍କ ରହିଛି। ସ୍ୱଳ୍ପ ଆୟକାରୀ ଚାଷୀମାନେ ଏହି ବ୍ୟାଙ୍କରେ ଟଙ୍କା ଜମା କରିଥାନ୍ତି। ସେଥିରୁ ଚୁଡ଼ାମଣି ଟଙ୍କା ଉଠାଇ ଆତ୍ମସାତ କରିଥିଲେ। ସେହିପରି ଚାଷୀଙ୍କ ନାଁରେ ମିଥ୍ୟା ଲୋନ କରି ଟଙ୍କା ହଡ଼ପ କରିଥିଲେ। ଚୁଡ଼ାମଣୀ ୨୧/୧୦/୨୦୧୩ରୁ ୮/୫/୨୦୧୬ପର୍ଯ୍ୟନ୍ତ ସାହାଜବାହାଲ ଲ୍ୟାମ୍ପସରେ ଏମ୍‍ଡି ଥିଲେ। ୨୦୧୫-୧୬ରେ ସେ ଏହି ପରିମାଣର ଅର୍ଥ ଆତ୍ମସାତ କରିଥିବା ଜଣା ପଡ଼ିଥିଲା। ରାଉରକେଲା ଭିଜିଲାନ୍ସ ଏସ୍‍ପି ସୁଭାଷ ଚନ୍ଦ୍ର ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଡିଏସ୍‍ପି ବିରେନ୍ଦ୍ର ନାୟକ ଓ ଇନିସ୍‍ପେକ୍ଟର ସୁଧୀର କୁମାର ସାହୁ ପ୍ରମୁଖ ଅଭିଯୋଗର ତଦନ୍ତ କରିଥିଲେ। ତଦନ୍ତ ବେଳେ୩୪ ଲକ୍ଷ ୭୪ ହଜାର ୯୨୪ ଟଙ୍କାର କୌଣସି ହିସାବ ମିିଳିନଥିଲା। ତେଣୁ ଚୁଡ଼ାମଣୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁୁଜୁ କରିଛି। ଚୁଡ଼ାମଣି ଏବେ ହେମଗିରି ଏସ୍‍ଡିସିସି ବ୍ୟାଙ୍କରେ ସୁପରଭାଇଜର ଅଛନ୍ତି।

ସେହିପରି ସୁନ୍ଦରଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ବଣେଇଁ ଶାଖାର ୩ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀ ଭିଜିଲାନ୍ସ ମାମଲାରେ ଫସିଛନ୍ତି। ସେମାନେ ପୂର୍ବତନ ଶାଖା ପରିଚାଳକ ଦିଲୀପ କୁମାର ଦେବତା, ପୂର୍ବତନ ସହକାରୀ ମ୍ୟାନେଜର ରାଜୀବ ବାରିକ ଓ ପୂର୍ବତନ ଏକାଉଣ୍ଟାଣ୍ଟ ଜୟକିଶୋର ସାହୁ। ଏହି ତିିିନି ଅଧିକାରୀ ୩୮ ଜଣଙ୍କ ଏକାଉଣ୍ଟରୁ ୧୫ ଲକ୍ଷ ୫୩ ହଜାର ୯୭ ଟଙ୍କା ଆତ୍ମସାତ କରିଥିଲେ। ବଣେଇଁ ଅଞ୍ଚଳର ୩୮ ଜଣ ଲୋକ ଏସ୍‍ଡିସିସି ବ୍ୟାଙ୍କରେ ଏକାଉଣ୍ଟ ଖୋଲିଥିଲେ। ଶାଖା ପରିିଚାଳକ, ଶାଖା ସହକାରୀ ପରିଚାଳକ ଓ ଏକାଉଣ୍ଟ ୨୮/୦୮/୧୯ରୁ ୧୦/୦୧/୨୦୨୦ ଭିତରେ ଏହି ଟଙ୍କା ହଡ଼ପ କରିଥିଲେ। ଏକାଉଣ୍ଟରୁ ଟଙ୍କା ହଡ଼ପ ପରେ ଲୋକେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ସେମାନେ ଭାବିଥିଲେ ସାଇବର ଠକଙ୍କ ହାବୁଡ଼ରେ ପଡ଼ି ଯାଇଛନ୍ତି। ମାତ୍ର ସେମାନଙ୍କ ପାଖରେ ଚେକ୍‍ ବୁକ୍‍ କିମ୍ବା ଏଟିଏମ୍‍ କାର୍ଡ଼ ନଥିଲ। ତେଣୁ କିପରି ସାଇବର ଠକେଇ ହେବ ତାହା ବି ସେମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା। ଏହି ଘଟଣାରେ ବ୍ୟାଙ୍କର ଅଧିକାରୀଙ୍କ ହାତ ଥିବା ସନ୍ଦେହ ହୋଇଥିଲା। ତେଣୁ ଏହି ମାମଲା ଶେଷରେ ଭିଜିଲାନ୍ସ ପାଖକୁ ଯାଇଥିଲା। ଭିଜିଲାନ୍ସ ଖୋଳତାଡ଼ କଲା ପରେ ବ୍ୟାଙ୍କର ତିନି ଅଧିକାରୀ ଅର୍ଥ ହଡ଼ପ କରିଥିଲେ।

ବିନା ଚେକ୍‍, ବିନା ଟଙ୍କା ଉଠାଣ ଫର୍ମରେ ତିନି ଅଧିକାରୀ ଜାଲିଆତି କରି ଟଙ୍କା ହେରଫେର କରିଥିବା ସୂଚନା ମିଳିଥିଲା। ସହକାରୀ ମ୍ୟାନେଜର ରାଜୀବ ବାରିକଙ୍କ ଦୁଇଟି ଏକାଉଣ୍ଟକୁ ଏହି ଅର୍ଥ ଜାଲିଆତି ଉପାୟରେ ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଥିଲା। ଦେବଗଡ଼ ଟାଉନରେ ଥିବା ଆଇସିଆଇସିଆଇ ବ୍ୟାଙ୍କ ଓ ଏକ୍ସିସ ବ୍ୟାଙ୍କକୁ ଏସବୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଲା ପରେ ଭିଜିଲାନ୍ସ ତିନି ଅଧିକାରୀଙ୍କ ବିରୋଧରେ ମାମଲା ରୁୁଜୁ କରିଛି। ତୃତୀୟ ମାମଲା ରୁଜୁ ହୋଇଛି କୁଅାଁରମୁଣ୍ଡା ବ୍ଲକର ଖୁଖୁଣ୍ଡୁବାହାଲ ଗ୍ରାମ ପଞ୍ଚାୟତର ପୂର୍ବତନ ପିଇଓ ଶ୍ରୀକାନ୍ତ କରାଳୀ। ୨୦୧୮-୧୯ ଆର୍ଥିକ ବର୍ଷରେ ଶ୍ରୀକାନ୍ତ ସେଠାରେ ପିଇଓ ଥିଲେ। ନୂଆ ରାସ୍ତା ନିର୍ମାଣ, ପୁରୁଣା ରାସ୍ତାକୁ ନୂଆ ରାସ୍ତା, ନଳକୂଳ ପ୍ଲାଟଫର୍ମ ନିର୍ମାଣ ନାଁରେ ସେ ୮ ଲକ୍ଷ ୯୪ ହଜାର ଟଙ୍କା ହଡ଼ପ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଖୁଖୁଣ୍ଡୁବାହାଲ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଦୁଇଟି ନୂଆ ରାସ୍ତା ନିର୍ମାଣ ନାଁରେ ଶ୍ରୀକାନ୍ତ ୩ ଲକ୍ଷ ୮୦ ହଜାର ବିଲ କରି ଟଙ୍କା ଉଠାଇ ନେଇଥିଲେ। ମାତ୍ର କୌଣସି ରାସ୍ତା ନିର୍ମାଣ ହୋଇ ନାହିଁ। ସେହିପରି ଏକ ପୁରୁଣା ରାସ୍ତାକୁ ନୂଆ ରାସ୍ତା ଦର୍ଶାଇ ୨ ଲକ୍ଷ ଟଙ୍କା ଚଳୁ କରି ଦେଇଥିଲେ। କେବଳ ଏତିକି ନୁହେଁ ପଞ୍ଚାୟତର ଏକ ଗାଁରେ ନଳକୂଅ ପ୍ଲାଟଫର୍ମ ନିର୍ମାଣ ନ କରି ୧ ଲକ୍ଷ ୧୪ ହଜାର ଟଙ୍କା ପାଟିରେ ପକାଇ ଦେଇଥିଲେ। ଶ୍ରୀକାନ୍ତଙ୍କ ଜାଲିଆତି ଏତିକିରେ ସୀମିତ ନଥିଲା। ଗୁରୁଣ୍ଡିଆ ଅଞ୍ଚଳରେ ରହୁଥିବା ତାଙ୍କ ଭାଣିଜୀ ସୁନନ୍ଦା ପାତ୍ରଙ୍କୁ ଶ୍ରମିକ ଦର୍ଶାଇ ସରକାରୀ ଅର୍ଥ ହଡ଼ପ କରୁଥିଲେ।

ସୁନନ୍ଦାଙ୍କ ନାଁରେ ଏକାଉଣ୍ଟ ଖୋଲି ତାଙ୍କ ଏଟିଏମ୍‍ ନିଜ ପାଖରେ ରଖୁଥିଲେ। ସରକାରୀ ଏକାଉଣ୍ଟରୁ ସୁନନ୍ଦାଙ୍କ ଏକାଉଣ୍ଟକୁ ମଜୁରୀ ଟ୍ରାନ୍ସଫର କରି ପରେ ସେ ସବୁ ଅର୍ଥ ନିଜେ ଏଟିଏମ୍‍ କାର୍ଡ଼ରେ ଉଠାଣ କରୁଥିଲେ। ଭିଜିଲାନ୍ସ ସୁନନ୍ଦାଙ୍କୁ ଜେରା କରିବା ପରେ ସେ କିଛି ଜାଣିନଥିବା ଏବଂ ଜଣେ ଗୃହିଣୀ ବୋଲି ଜଣା ପଡ଼ିଥିଲା। ଭିଜିଲାନ୍ସ ଶ୍ରୀକାନ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ଭିଜିଲାନ୍ସ ଇନିସ୍‍ପେକ୍ଟର ଅଭୟ କୁମାର ପ୍ରଧାନ ମାମଲାର ତଦନ୍ତ କରୁଛନ୍ତି। ଏସବୁ ହେରାଫେରି ଅଭିଯୋଗରେ ବିଭାଗୀୟ ତଦନ୍ତ ହୋଇଥିଲା। ତଦନ୍ତ ବେଳେ ହେରାଫେରି ଧରାପଡ଼ିବାରୁ ସୁନ୍ଦରଗଡ଼ ଜିଲାପାଳ ତାଙ୍କୁ ଗତ କିଛି ମାସ ତଳେ ସସ୍‍ପେଣ୍ଡ କରିଥିଲେ। ଶ୍ରୀକାନ୍ତଙ୍କୁ ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଛି।

Comments are closed.