ମୀରାବାଈଙ୍କୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିଯୁକ୍ତି

ଇମ୍ଫାଲ : ଟୋକିଓ ଅଲିମ୍ପିକ୍‌ସରେ ଭାରତକୁ ପ୍ରଥମ ତଥା ରୌପ୍ୟପଦକ ଜିତାଇଥିବା ସାଇଖୋମ୍‌ ମୀରାବାଈ ଚାନୁ ସୋମବାର ସନ୍ଧ୍ୟାରେ ସ୍ବଦେଶ ଫେରିଛନ୍ତି। ସାରାଦେଶକୁ ଗର୍ବିତ କରିଥିବା ମୀରାବାଈଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ତାଙ୍କ ରାଜ୍ୟ ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହ। ଅଲିମ୍ପିକ୍‌ସ ରୌପ୍ୟ ଜିତିଥିବା ମୀରାବାଈଙ୍କୁ ମଣିପୁର ପୁଲିସ୍‌ରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଏଏସ୍‌ପି) ପଦରେ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସିଂହ ଘୋଷଣା କରିଛନ୍ତି। କେବଳ ଏତିକି ନୁହେଁ; ପୂର୍ବ ଘୋଷଣା ଅନୁସାରେ ଅଲିମ୍ପିକ୍‌ସ ରୌପ୍ୟ ଜିତିଥିବା ମୀରାବାଈଙ୍କୁ ୧ କୋଟି ଟଙ୍କା ପ୍ରଦାନ କରାଯିବ। ଟୋକିଓ ଅଲିମ୍ପିକ୍‌ସରେ ମହିଳା ଜୁଡୋରେ ଭାରତର ଏକମାତ୍ର ପ୍ରତିଯୋଗୀ ମଣିପୁରର ସୁଶୀଳା ଦେବୀଙ୍କୁ କନଷ୍ଟେବଳରୁ ସବ୍‌ଇନ୍‌ସ୍ପେକ୍ଟର ଭାବେ ପଦୋନ୍ନତି ପାଇବେ। ଏହାସହ ତାଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର ମିଳିବ। ମୀରାବାଈଙ୍କୁ ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ୍‌ ଘୋଷଣା କରିଥିବା ଅର୍ଥ ପୁରସ୍କାର ମଧ୍ୟ ମିଳିବ। ପରେ କେନ୍ଦ୍ର ସରକାର ଅଧିକ ଅର୍ଥ ପୁରସ୍କାର ଘୋଷଣା କରିପାରନ୍ତି।

Comments are closed.