ବ୍ୟବସାୟରେ ସଫଳତା ପାଇବା ପାଇଁ ଲୋକଙ୍କ ସହ ସମ୍ପର୍କ ଯୋଡ଼ିବା ଜରୁରୀ

ଭୁବନେଶ୍ୱର: ୟୁନିଟ ୨ ଅଶୋକନଗର ମାର୍କେଟ ବିଲଡିଂଠାରେ ଏ ଅଞ୍ଚଳର ସଂଖ୍ୟାଲଘୁ ସମ୍ପ୍ରଦାୟ ପକ୍ଷରୁ ଦୀପାବଳୀ ଉପଲକ୍ଷେ ଏକ ବନ୍ଧୁମିଳିନ କାର୍ଯ୍ୟକ୍ରମ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ସଭପତି ମନୋନୟନ ବୈଠକ ଅନୁଷ୍ଠିତ ହୋଇଯାଇଛି। କୋଭିଡ କଟକଣା ମାନି ସ୍ୱଳ୍ପ ସଂଖ୍ୟକ ସଭ୍ୟମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଅୟୁବ ଖାଁ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ସଂଖ୍ୟାଲଘୁ ସମ୍ପ୍ରଦାୟର ଉପସଭାପତି ଏସକେ ଅବଦୁଲ ଗନି ହୁସେନ, ଏସକେ ଦିଲଦାର ମହମ୍ମଦ, ଅନୀଲ ପ୍ରସାଦ ମିଶ୍ର, ଶେଖ ଆଜାଦ ଅଲ୍ଲି, ଏମ୍‍ଡି କରୀମ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଆଇନ ଶୃଙ୍ଖଳା, ଭାଇଚାରା ଓ ଅପରାଧ ପ୍ରବଣତାଠାରୁ ଦୂରେଇ ରଖିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବ୍ୟବସାୟରେ ସଫଳତା ପାଇବା ପାଇଁ ଲୋକଙ୍କ ସହ ସମ୍ପର୍କ ଯୋଡ଼ିବା ଜରୁରୀ ବୋଲି କୁହାଯାଇଥିଲା। ବୈଠକ ଶାନ୍ତିଶୃଙ୍ଖଳାର ସହିତ ବ୍ୟବସାୟ ବାଣିଜ୍ୟ କରିବା ଏବଂ ଲୋକମାନଙ୍କ ସହିତ ସୁସମ୍ପର୍କ ରଖିବା ଉପରେ ଗୁରତ୍ୱ ଦିଆଯାଇଥିଲା।

ଏହି ଅବସରରେ ସ୍ଥାନୀୟ ସଂଖ୍ୟାଲଘୁ ସମ୍ପ୍ରଦାୟର ସଭପତି ଭାବେ ଏସ.କେ.ଆଜାଦ ଅଲ୍ଲିଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ସଭାପତି ତାଙ୍କର ନିଜର କାର୍ଯ୍ୟଶୈଳୀକୁ ଠିକ ଭାବରେ କରିବା ପାଇଁ ସମ୍ପାଦକ ଓ ଅନ୍ୟାନ୍ୟ ପଦାଧିକାରୀମାନଙ୍‍କୁ ମନୋନୀତ କରିବେ ବୋଲି ନିଷ୍ପତ୍ତି ଗୃହିତ ହୋଇଥିଲା।

Comments are closed.